ଦେଶରେ କୋଭିଡ଼ ଆରୋଗ୍ୟହାର ୭୨%କୁ ବୃଦ୍ଧି; ମୃତ୍ୟୁ ହାର ୨%ରୁ କମ୍

ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତ  ହ୍ରାସ ପାଇବାରେ ଲାଗିଛି । ଦେଶରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର ମଧ୍ୟ କମିବାରେ ଲାଗିଛି । ସମ୍ପ୍ରତି ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇ ୭୨%​‌ରେ ପହଞ୍ଚିଛି ଏବଂ ମୃତ୍ୟୁ ହାର ହ୍ରାସ ପାଇ ୧.୯୩ ହୋଇଛି ।

କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭାରତରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଆମେରିକାରେ ୨୩ ଦିନରେ ମୃତ୍ୟୁ ୫୦ ହଜାରରେ ପହଞ୍ଚିଥିବାବ​‌େ​‌ଳେ ବ୍ରାଜିଲରେ ୯୫ ଓ ମେକ୍ସିକୋରେ ୧୪୧ ଦିନରେ ଓ ଭାରତରେ ୫୦ ହଜାର କରୋନା ମୃତ୍ୟୁ ନିମନ୍ତେ ୧୫୬ ଦିନ ଲାଗିଛି ।

କରୋନା ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା, ସ୍ୱଳ୍ପ ଆକ୍ରାନ୍ତଙ୍କୁ ଘରୋଇ ଏକାନ୍ତବାସରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବା, ରୋଗୀଙ୍କ ଯିବା ଆସିବା ପାଇଁ ଉତ୍ତମ ଆମ୍ବୁଲାନ୍ସ ସେବା ଓ ଉପଯୁକ୍ତ ଚିକିତ୍ସା ଫଳରେ ଭାରତରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାରେ ରହିଛି । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି । ସମଗ୍ର ବ୍ୟବସ୍ଥାଟି ସୁସଂହତ ଓ ଶୃଙ୍ଖଳିତଭାବେ ଚାଲିଥିବାରୁ ଭାରତର କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବା କେସ୍‌ ଫାର୍ଟାଲିଟି ରେଟ୍‌ ବିଶ୍ୱହାରଠାରୁ ତଳେ ରହିଛି । ସରକାରଙ୍କ ସକ୍ରିୟ  ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ଫଳରେ ରୋଗୀମାନଙ୍କୁ ଚିହ୍ନଟ କରି ତୁରନ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଫଳରେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବୃଦ୍ଧି ପାଉଛି । ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆରୋଗ୍ୟ ହାରରେ ଦ୍ରୁତ ଉନ୍ନତି ଦେଶରେ କେସ୍‌ ଲୋଡ ବା ଆକ୍ରାନ୍ତଙ୍କ ହାର କମିବାର ସୂଚନା ଦେଇଛି ।  ଏବେ ଦେଶରେ ପ୍ରକୃତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୭୭ ହଜାର୪୪୪ ରହିଛି । ମୋଟ ପଜିଟିଭ୍‌ କେସ୍‌ର ଏହା ମାତ୍ର ୨୬.୧୪ ଶତାଂଶ । ସରକାର ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତଙ୍କ ପରୀକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ ଏବଂ ବ୍ୟାପକ କରିଥିବାରୁ ଏବେ ଏହି ସଂଖ୍ୟା ପ୍ରାୟ ୩ କୋଟିରେ ପହଞ୍ଚିଲାଣି । ମୋଟ ନମୁନା ପରୀକ୍ଷା ସଂଖ୍ୟା ୨ କୋଟି ୯୩ ଲକ୍ଷ ୯ ହଜାର ୭୦୩ରେ ପହଞ୍ଚିଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.