ରେଳବାଇର କରୋନା ମୁକାବିଲା : ଲକ୍ଷାଧିକ ପିପିଇ, ସାନିଟାଇଜର ଓ ମାସ୍କ ସହିତ ସ୍ୱତନ୍ତ୍ର କରୋନା କୋଚ ନିର୍ମାଣ

ସମ୍ବଲପୁର : ବୈଶ୍ୱିକ ମହାମାରୀ କରୋନାର ମୁକାବିଲା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଉଛି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରେଳବାଇ ପକ୍ଷରୁ ଯାତ୍ରୀବାହୀ ରେଳ ସେବାକୁ ପ୍ରଥମେ ବନ୍ଦ ରଖା ଯାଇଥିବା ବେଳେ ଅନଲକ ୧.୦ ରେ ଆଂଶିକ ଭାବରେ ଚଳାଚଳ ଆରମ୍ଭ କରାଯାଇଛି। ଏହା ସହିତ ଲକ ଡାଉନ ସମୟରେ ସହସ୍ରାଧିକ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଯାଇ ପ୍ରବାସୀ ମାନଙ୍କୁ ସେମାନଙ୍କର ଘରକୁ ପହଞ୍ଚାଯାଇଛି। ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସହିତ ମିଳିତ ଭାବରେ କରୋନା ମୁକାବିଲା ପାଇଁ ଆଗ ଧାଡିର ଯୋଦ୍ଧା ମାନଙ୍କ ପାଇଁ ଜୁନ ୨୪ ତାରିଖ ସୁଦ୍ଧା ୧ ଲକ୍ଷ ୯୧ ହଜାର ପିପିଇ ଗାଉନ, ୬୬.୪୦ କିଲୋ ଲିଟର ସାନିଟାଇଜର, ୭ ଲକ୍ଷ ୩୩ ହଜାର ମାସ୍କ ଏବଂ ୫୨୩୧ଟି ରେଳବାଇ କୋଚକୁ କୋଭିଡ କେୟାର ସେଣ୍ଟର ଭାବରେ ପରିବର୍ତ୍ତି କରି ସାରିଛି।

ଇତି ମଧ୍ୟରେ ୯୬୦ ଟି ପରିବର୍ତ୍ତିତ କୋଚ ଗୁଡିକୁ ବିଭିନ୍ନ ରାଜ୍ୟରେ ସରକାରଙ୍କ ଅନୁରୋଧ କ୍ରମେ କାର୍ଯ୍ୟକ୍ଷମ କରାଯାଇ ସାରିଛି। ୫୦ଟି ରେଳବାଇ ଡାକ୍ତରଖାନାକୁ କୋଭିଡ ହସ୍ପିଟାଲରେ ପରବର୍ତ୍ତିତ କରାଯାଇ ସମସ୍ତ ପ୍ରକାରର ସୁବିଧାଯୁକ୍ତ କରାଯାଇଛି। ଏହା ସହିତ ଲକ ଡାଉନ ସମୟରେ ରେଳବାଇ ପକ୍ଷରୁ ନିରନ୍ତର ଦେଶର ବିଭିନ୍ନ ପ୍ରାନ୍ତକୁ ମାଲବାହୀ ସେବା ଯୋଗେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରାଯାଇ ଦେଶବାସୀଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରାଯାଇଛି। ଦେଶ ସେବାରେ ରେଲବାଇ ନିରନ୍ତର ଲାଗି ରହିଥିବାରୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Comments are closed.