ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର କୋଭିଡ଼ ସହାୟତା

କଟକସଦର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଦାନ

କଟକ : କଟକସଦର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ କୋଭିଡ଼ ଆକ୍ରାନ୍ତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କଟକ ସଦର ବ୍ଲକର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ ଓ ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବର୍ତମାନ ଭୁବନେଶ୍ୱରର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ବୁଧବାର କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀଙ୍କୁ ୧୦ ଲକ୍ଷ ୪୨ ହଜାର ୯୨୩ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି। ଏଭଳି ମହନୀୟ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଉଭୟ ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ଅନ୍ୟମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, କଟକ ସଦର ବ୍ଲକର ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ପରାମର୍ଶ କ୍ରମେ ଉଭୟ ସିଏମସି ଏବଂ କଟକସଦର ବ୍ଲକର ସମସ୍ତ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ, ସିଆରସିସି, ସ୍କୁଲର ପ୍ରଧାନ ଶିକ୍ଷକମାନେ ଏହି ଅର୍ଥରାଶି ସଂଗ୍ରହ କରିବା ସହିତ ନିଜେ ମଧ୍ୟ କିଛି କିଛି ଅର୍ଥ ଦାନ କରିଥିଲେ। ସମସ୍ତ ସ୍କୁଲର ଶିକ୍ଷକ- ଶିକ୍ଷୟିତ୍ରୀ ଓ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସହକାରୀ ଓ କର୍ମଚାରୀମାନେ ମଧ୍ୟ ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ସରସ୍ୱତୀ କାନୁନଗୋ, ଅଜୟ କୁମାର ସାହୁ, ଅନନ୍ତ ଚରଣ ଦେହୁରୀ ଓ ପୁଷ୍ପାଞ୍ଜଳୀ କରଙ୍କ ସମେତ ସମସ୍ତ ସିଆରସିସି ପ୍ରମୁଖ ଯୋଗ ଦେଇଥିଲେ।

Comments are closed.