କୋଭିଡ୍‍-୧୯ ପାଇଁ ଆଉ ଏକ ପ୍ରତିଷେଧକ : ‘ଜାଇକୋଭ୍-ଡି’ର ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ : ‘ଜାଇଡସ୍ କାଡିଲା’ ଦ୍ୱାରା ଡିଜାଇନ ଓ ବିକଶିତ ହୋଇଥିବା କୋଭିଡ୍‍-୧୯ ପାଇଁ ଏହାର ପ୍ରତିଷେଧକ ‘ଜାଇକୋଭ୍-ଡି’କୁ ମାନବ ଶରୀରରେ ପରୀକ୍ଷା ଆରମ୍ଭ କରିଛି।  ନ୍ୟାସନାଲ ବାୟୋଫାର୍ମା ମିଶନ ଅଧୀନରେ ଏହି ପ୍ରତିଷେଧକ ଜାଇଡସ୍ ବିକଶିତ କରିଥିବା ବେଳେ ବାୟୋଟେକ୍ନୋଲୋଜି ବିଭାଗ ଏଥିପାଇଁ ପାଣ୍ଠି ଯୋଗାଇଛି। ଭାରତ ବାୟୋଟେକ୍‍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭାକ୍ସିନ ପ୍ରତିଷେଧକ ପରେ ଏହା ହେଉଛି ଦ୍ୱିତୀୟ ପ୍ରତିଷେଧକ ଯାହା ମାନବ ଶରୀରରେ ପରୀକ୍ଷା ପାଇଁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନଠାରୁ ଅନୁମତି ପାଇଛି। ଏହା ଭାରତରେ ମାନବ ଶରୀରରେ ପରୀକ୍ଷଣ ହେଉଥିବା ପ୍ରଥମ ସ୍ୱଦେଶୀ ବିକଶିତ କୋଭିଡ-୧୯ ଟୀକା।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ‘ଜାଇକୋଭ୍-ଡି’ ପ୍ରତିଷେଧକର ମାନବ ଶରୀରରେ ପରୀକ୍ଷା ଆତ୍ମନିର୍ଭର ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଏକ ଟ୍ୱିଟ୍‍ କରି ସେ କହିଛନ୍ତି,ଏହି ପ୍ରତିଷେଧକ ସକାରାତ୍ମକ ଫଳ ଦେବ ବୋଲି ସେ ଆଶା କରୁଛନ୍ତି। ଏ ପର୍ଯ୍ୟନ୍ତ ଏହାର ହୋଇଥିବା ପରୀକ୍ଷାଗୁଡ଼ିକରୁ ଏହା ନିରାପଦ ଥିବା ପ୍ରମାଣିତ ହୋଇଛି।

୨୦୨୦ ଫେବ୍ରୁଆରୀରେ କୋଭିଡ-୧୯ ପାଇଁ ସମନ୍ୱିତ ଟିକା ବିକାଶ କାର୍ୟ୍ୟକ୍ରମ ଶୁଭାରମ୍ଭ ହେବାପରେ ଏହି ଟିକାର ମାନବ ପରୀକ୍ଷଣ ହେଉଛି ଏକ ପ୍ରମୁଖ ମାଇଲଖୁଣ୍ଟ।
ଡିବିଟି ସଚିବ ତଥା ବିଆଇଆରଏସି ଅଧ୍ୟକ୍ଷା ଡ. ରେଣୁ ସ୍ୱରୂପ କହିଛନ୍ତି, “ନ୍ୟାସନାଲ ବାୟୋଫାର୍ମା ମିଶନ ଅଧୀନରେ କୋଭିଡ-୧୯ ପାଇଁ ଏକ ସ୍ୱଦେଶୀ ଟିକାର ତ୍ୱରିତ ବିକାଶ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଜାଇଡସ୍ ସହ ସହଭାଗୀତା ସ୍ଥାପନ କରିଛି । ଦେଶର କୋଟି କୋଟି ଲୋକଙ୍କ ଜୀବନକୁ ବିପଦରେ ରଖିଥିବା ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ଜାଇଡସ୍ ସହ ଏହି ସହଭାଗିତା ସହାୟକ ହେବ । ଏଭଳି ଗବେଷଣା ଦ୍ୱାରା ଦେଶ ଭବିଷ୍ୟତର ମହାମାରୀ ରୋକିବା ପାଇଁ ଏକ ରକ୍ଷଣାତ୍ମକ ରଣନୀତି ବିକାଶିତ କରିବାରେ ସମର୍ଥ ହୋଇପାରିବ । ଆମ ସମାଜର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ନୂଆ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ତମ ଇକୋସିଷ୍ଟମ ସୃଷ୍ଟି କ୍ଷେତ୍ରରେ ସରକାରଙ୍କ ପ୍ରୟାସର ଏକ ଉଦାହରଣ ପ୍ରସ୍ତୁତ କରିବ।”
ଏ ସମ୍ପର୍କରେ ସୂଚନା ଦେଇ, ଜାଇଡସ୍ କାଡିଲା ଅଧ୍ୟକ୍ଷ ଶ୍ରୀ ପଙ୍କଜ ଆର୍. ପଟେଲ କହିଛନ୍ତି ଯେ, “ବର୍ତ୍ତମାନର କରୋନା ମହାମାରୀ ବିରୋଧୀ ଲଢ଼େଇରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହି ସ୍ୱାସ୍ଥ୍ୟସେବା ଆହ୍ୱାନକୁ ସମାଧାନ କରିବାରେ ଏହା ଦେଶ ପାଇଁ ବେଶ ସହାୟକ ହେବ। କୋଭିଡ-୧୯କୁ ରୋକିବା ଉଦ୍ଦେଶ୍ୟରେ ଏକ ନିରାପଦ ତଥା ଫଳପ୍ରଦ ଟିକା ଯୋଗାଣ ଉଦ୍ଦେଶ୍ୟରେ ଆମର ପ୍ରଚେଷ୍ଟା ପାଇଁ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଓ ବିଆଇଆରଏସି ସହାୟତା କରିଥିବାରୁ ଆମେ ବେଶ୍ କୃତଜ୍ଞ ।”

‘ଜାଇକୋଭ୍-ଡି’ ସମ୍ପର୍କରେ କୁହାଯାଇଛି ଯେ, ପ୍ରାକ୍-କ୍ଲିନିକାଲ ଫେଜରେ ଏହି ଟିକାକୁ ମାଈ ମୂଷା, ବଡ଼ ମୂଷା, ଘୁଷୁରି ଓ ଠେକୁଆ ଭଳି ବିଭିନ୍ନ ପ୍ରକାର ପଶୁଙ୍କ ଉପରେ ପ୍ରୟୋଗ କରାଯାଇଥିଲା, ଯାହାର ଅତ୍ୟନ୍ତ ସଫଳ ପ୍ରଭାବ ଦେଖିବାକୁ ମିଳିଛି । ଟିକା ନେବା ଯୋଗୁ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି ମାରାତ୍ମକ ଭୂତାଣୁକୁ ନିଷ୍କ୍ରିୟ କରିପାରୁଛି । ଟିକାକରଣ ହୋଇଥିବା ପ୍ରାଣୀଙ୍କ ନିରାପତ୍ତା ଉପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । ଠେକୁଆ କ୍ଷେତ୍ରରେ ମାନବ ଡୋଜର ୩ ଗୁଣା ପର୍ଯ୍ୟନ୍ତ ଟିକାର ପ୍ରୟୋଗ ନିରାପଦ, ସହନଶୀଳ ଓ ରୋଗ ପ୍ରତିରୋଧକାରୀ ପ୍ରମାଣିତ ହୋଇଛି ।

ସୂଚନାଯୋଗ୍ୟ, ଜାଇଡସ୍ କାଡିଲା ଏକ ସୃଜନଶୀଳ, ଗ୍ଲୋବାଲ ଫାର୍ମାସ୍ୟୁଟିକାଲ କମ୍ପାନୀ, ଯାହାକି ବ୍ୟାପକ ରେଞ୍ଜର ସ୍ୱାସ୍ଥ୍ୟସେବା ଥେରାପି, କ୍ଷୁଦ୍ର ମଲିକ୍ୟୁଲ ଡ୍ରଗ୍ସ, ବାୟୋଲଜିକ୍ ଥେରାପଟିକ୍ସ ଓ ଟିକା ଉଦ୍ଭାବନ, ବିକାଶ, ବିନିର୍ମାଣ ଓ ବିପଣନ କରିଥାଏ ।

Comments are closed.