ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶରେ ଉପଲବ୍ଧ ହେବ କୋଭିଡ-୧୯ ଟିକା : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ :  ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଦେଶରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର  ହର୍ଷବର୍ଦ୍ଧନ  ଆଶା ପ୍ରକଟ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ତିନିଟି ଟିକା ପ୍ରାର୍ଥୀ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ପହଞ୍ଚିଛି। ଟିକା ଆସିବା ପର୍ଯ୍ୟନ୍ତ ସାମାଜିକ ଦୂରତା ଏବଂ ଦୁଇ ଗଜର ଦୂରତାକୁ ସାମାଜିକ ଟିକା ଭାବରେ ଗ୍ରହଣ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
ଦେଶର କୋଭିଡ-୧୯ ମହାମାରୀ ପରିସ୍ଥିତି ଉପରେ ରାଜ୍ୟସଭାରେ ହୋଇଥିବା ମନ୍ତବ୍ୟର  ଆଲୋଚନାର ଉତ୍ତର ଦେଇ ସେ କହିଛନ୍ତି ଯେ ବିଭିନ୍ନ ସଂସ୍ଥାକୁ ଆବଶ୍ୟକ ସହାୟତା ଯୋଗାଇ ଏକ ବିଶେଷଜ୍ଞ କମିଟି ଟିକା ପ୍ରସ୍ତୁତି ଉପରେ କାର୍ଯ୍ୟ କରୁଛି। ସେ କହିଛନ୍ତି, ଟିକା ପ୍ରସ୍ତୁତି ଦିଗରେ ଭାରତ ‘ହୁ’ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ସହ କାର୍ଯ୍ୟ କରୁଛି।
କୋଭିଡ-୧୯ ମହାମାରୀ ବିରୋଧରେ ଲଢ଼େରେ କୋଭିଡ ଯୋଦ୍ଧାମାନଙ୍କ ଭୂମିକାକୁ ପ୍ରଶଂସା କରି ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ସହାୟତାରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ନିଷ୍ପତ୍ତି ନେଇଛନ୍ତି ଏବଂ ସରକାର ଏହି ରୋଗ ସହ ଜଡିତ ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି।

ଆଲୋଚନାରେ ଅଂଶଗ୍ରହଣ କରି ଶିବସେନାର ସଞ୍ଜୟ ରାଉତ, କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ଏକାଠି ମିଶି କାର୍ଯ୍ୟ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି। କରୋନା ସଂକ୍ରମଣ ସମୟରେ ମହାରାଷ୍ଟ୍ର ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ସେ ଉଲ୍ଲେଖ କରିଛନ୍ତି।
ଏନ୍‍.ସି.ପି.ର ପ୍ରଫୁଲ୍ଲ ପଟେଲ କହିଛନ୍ତି, ଏ ପ୍ରସଙ୍ଗରେ କୌଣସି ରାଜନୀତି କମ୍ବା ଆରୋପ ପ୍ରତ୍ୟାରୋପ ହେବା ଉଚିତ ନୁହେଁ।
ସିପିଆଇର ବିନୟ ବିଶ୍ୱମ୍‍ ରାଜ୍ୟଗୁଡ଼ିକୁ ଯଥେଷ୍ଟ ମାତ୍ରାରେ ଅକ୍ସିଜେନ୍‍ ଯୋଗାଣକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ଆମ୍‍ ଆଦ୍‍ମୀ ପାର୍ଟିର ସଞ୍ଜୟ ସିଂହ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ସରକାରଙ୍କୁ କରୋନା ମୁକାବିଲାରେ ତ୍ରୁଟି ପାଇଁ ତୀବ୍ର ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ବିଜେପିର ସୁଧାଂଶୁ ତ୍ରିବେଦୀ କହିଛନ୍ତି, କୋଭିଡ୍‍-୧୯  ମାନବ ଜାତି ପାଇଁ ସର୍ବବୃହତ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ସେ କହିଛନ୍ତି, ଭାରତ କୋବିଡ୍‍ ନମୁନା ପରୀକ୍ଷାରେ ଦ୍ରୁତ ଅଗ୍ରଗତି ହାସଲ କରିଛି ଓ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଏବଂ ଏନ୍‍-ନାଇଣ୍ଟିଫାଇଭ୍‍ ମାସ୍କ ଯଥେଷ୍ଟ ପରିମାଣରେ ଯୋଗାଇଛି।

 

Comments are closed.