ଟିକାକରଣ ଅଭିଯାନରେ କୌଣସି ପକ୍ଷପାତ ନାହିଁ : ସରକାର

ନୂଆଦିଲ୍ଲୀ : ସରକାର କହିଛନ୍ତି, କୋଭିଡ୍‍ ଟିକାକରଣ ଅଭିଯାନରେ ପୁରୁଷ ମହିଳା, ସାମାଜିକ ଅର୍ଥନୈତିକ କିମ୍ବା ଅଞ୍ଚଳ ଭିତ୍ତିରେ କୌଣସି ପ୍ରକାରର ପକ୍ଷପାତ କରାଯାଇ ନାହିଁ। ଦେଶର ସମସ୍ତ ନାଗରିକ ମାଗଣାରେ କୋଭିଡ୍‍ ପ୍ରତିଷେଧକ ଟିକା ପାଇବାକୁ ହକ୍‍ଦାର୍‍ ବୋଲି କହିଛନ୍ତି। ଗତ ମାସ ୨୧ ତାରିଖରୁ ଲାଗୁ ହୋଇଥିବା ନୂଆ ଜାତୀୟ କୋଭିଡ୍‍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ସଂଶୋଧିତ ନିୟମାବଳୀରେ ଏହା ଉଲ୍ଲେଖ ଅଛି। ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସରୁତା ଆଜି ଲୋକସଭାରେ ଏ ବିଷୟ ଜଣାଇଛନ୍ତି।

ସେ କହିଛନ୍ତି, ଦେଶର ଆଦିବାସୀ ଅଞ୍ଚଳର ପ୍ରତ୍ୟେକ ଲୋକ ସିଧାଯାଇ ପଞ୍ଜିକରଣ କରିବା ସହ ସଙ୍ଗେ ସଙ୍ଗେ ଟିକା ନେଇପାରିବେ। କୋ-ୱିନ୍‍ ପୋର୍ଟାଲରେ ଧର୍ମ କିମ୍ବା ଜାତି ବିଷୟରେ କୌଣସି ତଥ୍ୟ ରଖାଯାଉ ନାହିଁ। ଦେଶର ୧୭୬ଟି ଆଦିବାସୀ ବହୁଳ ଜିଲ୍ଲାରେ ଗତ ୧୫ ତାରିଖ ସୁଦ୍ଧା ମୋଟ୍‍ ୪କୋଟି ୮୧ ଲକ୍ଷ ଡୋଜ୍‍ କୋଭିଡ୍‍ ପ୍ରତିଷେଧକ ଟିକା ଦିଆଯାଇଥିବାର ମନ୍ତ୍ରୀ ଜଣାଇଛନ୍ତି।

Comments are closed.