କୋଭିଡ୍‌-୧୯ ଓ ସାମାଜିକ ଗଣମାଧ୍ୟମ

ଶଶାଙ୍କ ଶେଖର ପଟ୍ଟନାୟକ

ଚୀନର ୟୁହାନ ସହର ସ୍ଥିତ ଏକ ବହୁତଳ ପ୍ରାସାଦରୁ ଜନୈକ ଅସହାୟ ବୃଦ୍ଧା ପାରମ୍ପରିକ ଘଣ୍ଟି ବଜାଇ ଚିତ୍କାର କରୁଥାନ୍ତି, “ମୁଁ ନିରୁପାୟ, କିଏ ମୋତେ ସାହାଯ୍ୟ କରିବେ ? ହେ ଭଗବାନ, କେହି ତ ଆସନ୍ତୁ”। ସମସ୍ତେ ନିଃସହାୟ। କିଏ ବା କାହାକୁ ହାତ ବଢ଼େଇବ। ବୃଦ୍ଧାଙ୍କ ଆକୁଳ ନିବେଦନ ଆବଦ୍ଧ ହୋଇଥିଲା ବୋଧହୁଏ ପଡ଼ୋଶୀ ତରୁଣଙ୍କ ମୋବାଇଲ ଫୋନରେ। ମୁଖ୍ୟତଃ ଚୀନର ଗଣମାଧ୍ୟମ ସରକାରୀ ନିୟନ୍ତ୍ରଣାଧୀନ ଥିବାବେଳେ ସାମାଜିକ ଗଣମାଧ୍ୟମ ହିଁ ଏଭଳି ଅନେକ କରୁଣ କାହାଣୀର ଚିତ୍ର ବଖାଣି ସାରା ବିଶ୍ବକୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ସତର୍କ କରାଇଥିଲା। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ବିଳମ୍ବରେ ହେଲେ ମଧ୍ୟ ସାମାଜିକ ଗଣମାଧ୍ୟମରୁ ୟୁହାନର ଏହି ବୈଶ୍ବିକ ମହାମାରୀର ଉତ୍ପତ୍ତି ଓ ବିଭୀଷିକା ସମ୍ବନ୍ଧୀୟ ତଥ୍ୟ ହାସଲ କରିଥିଲା।

ଏହା ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ସାମ୍ପ୍ରତିକ ବୈଶ୍ବିକ ମହାମାରୀ ସମୟରେ ସୂଚନା ଆଦାନପ୍ରଦାନ ଓ ଖବର ପ୍ରସାରଣରେ ସାମାଜିକ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବାର ଶ୍ରେୟ ବହନ କରିଛି। ଏଥିସହିତ ଫେକ୍‌ ନ୍ୟୁଜ୍‌ ବା ମିଥ୍ୟା ଓ ବିଭ୍ରାନ୍ତିକର ଖବର ଏବଂ ଗୁଜବ ପ୍ରସାରଣର ସର୍ବୋତ୍କୃଷ୍ଟ ମାଧ୍ୟମ ଭାବେ ସାମାଜିକ ଗଣମାଧ୍ୟମ ଅପବାଦ ମଧ୍ୟ ମୁଣ୍ଡାଇଛି। ମୁଷ୍ଟିମେୟ ଲୋକଙ୍କ ଦ୍ବାରା ସାମାଜିକ ଗଣମାଧ୍ୟମର ଅସତ୍‌ ବ୍ୟବହାରର ସାମାଜିକ ଜନଜୀବନ ଉପରେ ନକାରାତ୍ମକ ପ୍ରଭାବ ଆଣିଛି। ଏହା ସତ୍ତ୍ବେ ସାମାଜିକ ଗଣମାଧ୍ୟମର ଆଦୃତି ଓ ବ୍ୟବହାର ବଢ଼ିବାରେ ଲାଗିଛି।

ସାମାଜିକ ଗଣମାଧ୍ୟମ ଜନ୍ମନେଇଥିଲା ୧୯୯୭ ମସିହାରେ ସିକ୍ସ ଡିଗ୍ରୀଜ ଡଟ କମ ସହିତ, ଯାହା ଲୋକଙ୍କୁ ପାରସ୍ପରିକ ଭାବ ଆଦାନପ୍ରଦାନ ନିମନ୍ତେ ଇ-ମେଲ ବ୍ୟତିରେକ ଏକ ବିକଳ୍ପ ସାମୂହିକ ମଞ୍ଚ ଉପଲବ୍ଧ କରାଇଥିଲା। ୟାହୁ ମେସେଞ୍ଜର ଓ ଅର୍କୁଟ ପରେପରେ ୨୦୦୪ ମସିହାରେ ଫେସବୁକର ପଦାର୍ପଣ ସାମାଜିକ ଗଣମାଧ୍ୟମରେ ଏକ ବିପ୍ଲବ ଆଣିଛି। ଆଜି ସାରା ବିଶ୍ବରେ ୨୦୦ କୋଟିରୁ ଊର୍ଦ୍ଧ୍ବ ଲୋକ ଫେସବୁକ ବ୍ୟବହାର କରନ୍ତି। ୟୁଟ୍ୟୁବ, ଟ୍ବିଟର ଓ ଇନଷ୍ଟାଗ୍ରାମର ବ୍ୟାପକ ପ୍ରଚଳନ ସାମାଜିକ ଗଣମାଧ୍ୟମରେ ସଞ୍ଚାର ଯୋଗାଯୋଗର ତୀବ୍ରତାକୁ ଅଧିକ ତ୍ୱରାନ୍ୱିତ କରିଛି। ସାମାଜିକ ଗଣମାଧ୍ୟମ ଆଜି ସାମାଜିକ ଜୀବନ ଧାରାରେ ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ସାଜିଛି। ତ୍ବରିତ ଗତିରେ ଲୋକେ ଜାଣିବାକୁ ପାଉଛନ୍ତି ଅସୀମିତ ଖବର। ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟ ଓ ବହୁଳ ପ୍ରସାରର ଏକ ବଡ଼ ଶ୍ରେୟ ଯାଇପାରେ ସ୍ମାର୍ଟଫୋନକୁ, ଯାହାର ବୃହତ୍‌ ବଜାର ହେଉଛନ୍ତି ପୃଥିବୀର ଦୁଇ ବୃହତ୍ତମ ଜନବହୁଳ ଦେଶ ଚୀନ ଓ ଭାରତ। କମ୍ୟୁନିଷ୍ଟ ଚୀନ ଯଦିଓ ନିଜର କଡ଼ା ତର୍ଜମା ବ୍ୟବସ୍ଥାରେ ନିଜ ଦେଶର ପାରମ୍ପରିକ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମକୁ ନିୟନ୍ତ୍ରିତ କରିପାରିଛି, କିନ୍ତୁ ନିପୁଣ ପ୍ରଯୁକ୍ତି କୌଶଳ ଉପଯୋଗ ସତ୍ତ୍ୱେ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ମୋଟାମୋଟି ପୂର୍ଣ୍ଣ ସଫଳତା ଲାଭ କରିବାରେ ସମର୍ଥ ହୋଇପାରି ନାହିଁ। ଏହି କାରଣରୁ ଚୀନ ପ୍ରାରମ୍ଭରେ ଶତଚେଷ୍ଟା ସତ୍ତ୍ୱେ କୋଭିଡ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଲୁଚାଇବାରେ ଅସମର୍ଥ ହୋଇଥିଲା। ଚୀନରୁ ଭାସି ଆସିଥିଲା ଅନେକ ହୃଦୟ ବିଦାରକ ଦୃଶ୍ୟ।
ନିଲସନ ପ୍ରଦତ୍ତ ଏକ ତଥ୍ୟ ଅନୁଯାୟୀ ୨୦୨୦ ଜାନୁଆରୀ ୨୦ ଓ ମାର୍ଚ୍ଚ ୨୪ ତାରିଖ ମଧ୍ୟରେ ଭାରତରେ ସାମାଜିକ ଗଣମାଧ୍ୟମରେ ୨୨.୩ ନିୟୁତ କୋଭିଡ ସମ୍ବନ୍ଧୀୟ ବାର୍ତ୍ତା ଆଦାନପ୍ରଦାନ ହୋଇଛି। ମାର୍ଚ୍ଚରେ ଭାରତରେ କରୋନା ଭୂତାଣୁ ସଂକ୍ରମଣ ଅପେକ୍ଷାକୃତ ବୃଦ୍ଧି ପାଇବା ପରେ ସାମାଜିକ ଗଣମାଧ୍ୟମରେ ଏଥିସମ୍ବନ୍ଧୀୟ ବାର୍ତ୍ତାର ପ୍ରସାର ଆହୁରି ବୃଦ୍ଧି ପାଇଛି। ଦେଶର ମହାନଗରଗୁଡ଼ିକରୁ ପ୍ରବାସୀ ଶ୍ରମିକଙ୍କ ସମୂହ ପ୍ରସ୍ଥାନ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଆଣିଦେଇଥିଲା ଅସଂଖ୍ୟ ନିରୁପାୟ ଲୋକଙ୍କ ଦୁଃଖଦ କାହାଣୀ। ମାର୍ଚ୍ଚ ୨୪ ତାରିଖରେ ଦେଶରେ ଲକଡାଉନର ଘୋଷଣା ଏବଂ କୋଭିଡ ସଂକ୍ରମଣ ରୋକିବା ନିମନ୍ତେ ସାମାଜିକ ଦୂରତା ରକ୍ଷା ପାଇଁ ଜାରି ମାର୍ଗଦର୍ଶିକା ଲୋକମାନଙ୍କୁ ନିଜର ପ୍ରିୟଜନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଥିବାବେଳେ ଏହି ସମୟରେ ସାମାଜିକ ଗଣମାଧ୍ୟମ ଯୋଗସୂତ୍ରର ଏକ ପ୍ରମୁଖ ମାଧ୍ୟମ ପାଲଟିଛି।

ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ କୋଭିଡ ୧୯ ବୈଶ୍ବିକ ମହାମାରୀର ଗମ୍ଭୀର ପ୍ରଭାବ ସହଜେ ଅନୁମେୟ। ସୀମିତ ଚିକିତ୍ସା ଭିତ୍ତିଭୂମି, ଅର୍ଥନୈତିକ ବାଧ୍ୟବାଧକତା, ଲଜିଷ୍ଟିକ୍ସ ଏବଂ ଏଭଳି ଅନେକ ସମସ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କ ମଧ୍ୟରେ ଏହାର ସଂକ୍ରମଣ ରୋକିବା ସମ୍ବନ୍ଧୀୟ ସଚେତନତା ସୃଷ୍ଟି ପୂର୍ବକ ଏହି ସର୍ବଦେଶୀୟ ରୋଗର ପ୍ରଭାବକୁ ଯଥାସମ୍ଭବ ପ୍ରତିହତ କରିବାକୁ ହେଲେ ସାମାଜିକ ଗଣମାଧ୍ୟମକୁ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ହେବ। ସାମାଜିକ ଗଣମାଧ୍ୟମ ଲୋକଙ୍କ ନିକଟରେ ତ୍ବରିତ ରୂପେ ପହଞ୍ଚିବା ନିମନ୍ତେ ଏକ ବିପୁଳ ସୁଯୋଗ ସୃଷ୍ଟି କରିଛି। ଏହାକୁ ଯଦି ସଦୁପଯୋଗ କରାଯାଏ, ତେବେ ଭାରତରେ କୋଭିଡ-୧୯ର ସୀମିତ ପ୍ରଭାବ ସାରା ବିଶ୍ବ ପାଇଁ ନିଶ୍ଚିତ ରୂପେ ଏକ ଉଦାହରଣ ସୃଷ୍ଟି କରିପାରିବ।

Comments are closed.