ଦେଶରେ କରୋନା ସଂକ୍ରମିତ ଆରୋଗ୍ୟ ହାର ୫୫.୪୯%କୁ ବୃଦ୍ଧି

ସମାଜ ପୋର୍ଟାଲ ଡେସ୍କ: ଦେଶରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ଶତକଡା ୫୫.୪୯ ଭାଗକୁ ବୃଦ୍ଧି ପାଇବା ସହ ମୋଟ୍‍ ୨ ଲକ୍ଷ ୨୭ ହଜାର ୭୫୫ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଏବେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାକୁ ଅତିକ୍ରମ କରିଛି। ଏହି ଭୂତାଣୁରେ ୧ ଲକ୍ଷ ୬୯ ହଜାର ୪୫୧ ସଂକ୍ରମିତ ହୋଇ ଏବେ ସକ୍ରିୟ ଚିକିତ୍ସାଧୀନ ରହିଛନ୍ତି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୬୨ରେ ପହଞ୍ଚିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇ.ସି.ଏମ୍‍.ଆର୍‍. କହିଛି ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ୧ଲକ୍ଷ ୯୦ ହଜାରଟି ନମୂନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୬୮ ଲକ୍ଷରୁ ଅଧିକ ନମୂନା ପରୀକ୍ଷା କରାଯାଇ ସାରିଛି। ଆଇ.ସି.ଏମ୍‍.ଆର୍‍. କୋଭିଡ ନମୂନା ପରୀକ୍ଷା ପାଇଁ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି। ଦେଶରେ ଏପର୍ଯ୍ୟନ୍ତ ୯୮୧ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୭୨୨ଟି ସରକାରୀ ପରୀକ୍ଷାଗାର ଓ ୨୫୯ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.