କୋଭିଡ୍‍ ଆରୋଗ୍ୟ ହାର ୯୩.୫୨ ପ୍ରତିଶତ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୬ ହଜାର

ମୃତ୍ୟୁ ହାର ୧.୪୭ ଭାଗ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୩.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।  ଇତିମଧ୍ୟରେ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୮୩ ଲକ୍ଷ ୩୫ ହଜାରକୁ ଟପି ଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୫.୦୧ ଭାଗ ରହିଛି। ଚିକିତ୍ସିତ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୬ ହଜାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୬୧୭ ଜଣ ଲୋକ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୮୯ ଲକ୍ଷକୁ ଟପି ଯାଇଛି।
ମନ୍ତ୍ରଣାଳୟ କହିଛି, କୋଭିଡ ମୁକାବିଲା ପାଇଁ ସରକାରଙ୍କ ନିୟମର ସଠିକ୍‍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି। ଦେଶରେ କରୋନା ମୃତ୍ୟୁ ହାର ୧.୪୭ ଭାଗ ରହିଛି, ଯାହା ବିଶ୍ୱରେ ସବୁଠୁ କମ୍‍। ଗତ ୨୪ ଘଣ୍ଟା ମଧ୍ୟରେ ୪୭୪ ଜଣଙ୍କର ମୃତ୍ୟୁ ଘଟିବାରୁ କୋବିଡ୍‍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୯୯୩ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଆଇସିଏମ୍‍ଆର୍‍ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ ଲକ୍ଷ ୩୭ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୧୨ କୋଟି ୩୪ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

Comments are closed.