ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୫୭.୪୩%କୁ ବୃଦ୍ଧି; ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୮୬,୫୧୪
୫ ରାଜ୍ୟରୁ ୬୯%ରୁ ଅଧିକ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୫୭.୪୩% ରେ ପହଞ୍ଚିଛି ବୋଲି ସରକାର ଗୁରୁବାର କହିଛନ୍ତି। କରୋନା ଭୂତାଣୁ ସଂକ୍ରମିତ ମୋଟ ୨,୭୧,୬୯୭ ଲୋକ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ, କୋଭିଡ-୧୯ରୁ ୧୩,୦୧୨ଲୋକ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ କରୋନା ମାମଲା ୧,୮୬,୫୧୪ ରହିଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୬,୯୨୨ଟି ନୂଆ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୩,୧୦୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାରା ଦେଶରେ ୧୪,୮୯୪ ଜଣଙ୍କର ମୃତ୍ୟୁ ଘଟିଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ୬୯%ରୁ ଅଧିକ କୋଭିଡ-୧୯ ଆକ୍ରାନ୍ତ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ଏବଂ ଉତ୍ତର ପ୍ରଦେଶରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆରୋଗ୍ୟ ହାର ଦୃଷ୍ଟିରୁ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ହେଉଛି ମେଘାଳୟ, ରାଜସ୍ଥାନ, ଚଣ୍ଡିଗଡ଼, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଓ ମଧ୍ୟପ୍ରଦେଶ ଯେଉଁଠାରେ ଆରୋଗ୍ୟ ହାର ୭୬ ପ୍ରତିଶତରୁ ଅଧିକ ରହିଛି। ଭାରତରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଅଛି ଯେଉଁଠାରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି।
ଅନ୍ୟ ପକ୍ଷରେ, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) କହିଛି ଯେ ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ଲାବୋରେଟୋରୀ ଦ୍ବାରା ମୋଟ ୨,୦୭,୮୭୧ କରୋନା ଭୂତାଣୁ ନମୁନା ପରୀକ୍ଷା କରାଯାଇଥିଲା। ଦେଶରେ ଏପର୍ଯ୍ୟନ୍ତ ୭୫, ୬୦, ୭୮୨ନମୁନା ପରୀକ୍ଷା କରାଯାଇଛି। ଆଇସିଏମ୍ଆର କ୍ରମାଗତ ଭାବରେ ସରକାରୀ ଏବଂ ବେସରକାରୀ ପରୀକ୍ଷାଗାର ଗୁଡିକୁ ଅନୁମୋଦନ ଦେଇ କୋଭିଡ-୧୯ ପାଇଁ ଏହାର ପରୀକ୍ଷଣ ସୁବିଧାକୁ ବୃଦ୍ଧି କରୁଛି। ବର୍ତ୍ତମାନ ସୁଦ୍ଧା, ସମଗ୍ର ଭାରତରେ ସମୁଦାୟ ୧୦୦୭ ଲାବୋରେଟୋରୀକୁ କୋଭିଡ-୧୯ ପରୀକ୍ଷା କରିବାକୁ ଅନୁମୋଦନ ଦିଆଯାଇଛି। ଏଥିରେ ୭୩୪ଟି ସରକାରୀ ଲାବୋରେଟୋରୀ ଏବଂ ୨୭୩ଟି ବେସରକାରୀ ଲାବୋରେଟୋରୀ ରହିଛି।