ଆରୋଗ୍ୟ ହାର ୯୨.୪୧ ପ୍ରତିଶତ : ମୃତ୍ୟୁହାର ୧.୪୮%

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୨.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭୮ଲକ୍ଷରେ ପହଞ୍ଚିଛି। କ୍ରମାଗତଭାବେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍ ସଂକ୍ରମଣର ଶତକଡ଼ା ୬.୧୧ ଭାଗ ରହିଛି। ଦେଶରେ ମୋଟ୍ ୫ଲକ୍ଷ ୧୬ ହଜାର ସକ୍ରିୟ ସଂକ୍ରମିତ ଲୋକ ଚିକିତ୍ସାଧୀନ ଅଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୩୫୭ ଜଣ ନୂଆଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍ ସଂକ୍ରମଣ ୮୪ ଲକ୍ଷରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିଡର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନିୟମର ସଠିକ୍ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ ବର୍ତ୍ତମାନ କୋବିଡ ମୃତ୍ୟୁହାର ୧.୪୮ ପ୍ରତିଶତକୁ ହ୍ରାସ ପାଇଛି, ଯାହା ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍।
ଗତ ୨୪ ଘଣ୍ଟା ଭିତରେ ୫୫୭ ଜଣଙ୍କ ମୃତ୍ୟୁ ଘଟିବାରୁ ଦେଶରେ କୋବିଡ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୫ ହଜାର ୫୬୨ରେ ପହଞ୍ଚିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ରିପୋର୍ଟ ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ୧୧ଲକ୍ଷ ୧୩ ହଜାର ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ୧୧ କୋଟି ୬୫ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।