କୋଭିଡ ଆରୋଗ୍ୟ ହାର ୭୭.୨୩ : ନମୁନା ପରୀକ୍ଷା ସଂଖ୍ୟା ୪ କୋଟି ୭୭ ଲକ୍ଷ ଟପିଲା

ନୂଆଦିଲ୍ଳୀ : ଦେଶରେ କୋଭିଡ ଆରୋଗ୍ୟ ହାର ୭୭.୨୩ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୦ ହଜାର ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୧ ଲକ୍ଷକୁ ଅତିକ୍ରମ କରିଛି।

କ୍ରମାଗତ ଭାବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨୧.୦୪ % ରହିଛି। ନମୁନା ପରୀକ୍ଷା, ସଂକ୍ରମିତ ମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୬ ହଜାର ୪୩୨ ଜଣ ନୂଆ ଲୋକ
ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ  ସଂକ୍ରମିତମାନଙ୍କ ସଂଖ୍ୟା ୮ଲକ୍ଷ ୬୪ ହଜାର ରହିଛି। ସେହିପରି ଗୋଟିଏ ଦିନରେ ୧ ହଜାର ୮୯ ଜଣଙ୍କ ମୃତ୍ୟୁ ଘଟିବା ଫଳରେ କୋଭିଡ ମୃତ୍ୟୁ ସଂଖ୍ୟା ୬୯ ହଜାର ୫୬୧ରେ ପହଞ୍ଚିଛି।  ଦେଶରେ କରୋନା ଜନିତ ମୃତ୍ୟୁହାର ୧.୭୩ ପ୍ରତିଶତ ରହିଛି, ଯାହା ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ
ତୁଳନାରେ ଯଥେଷ୍ଟ କମ୍‍।
ଅପର ପକ୍ଷରେ ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୫୯ ହଜାର ନମୁନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ମୋଟ୍‍ ୪ କୋଟି ୭୭ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଦେଶରେ ୧ ହଜାର ୬୪୩ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।

Comments are closed.