କୋଭିଡ୍-୧୯ ଆରୋଗ୍ୟଙ୍କ ସଂଖ୍ୟା ୧୩ ଲକ୍ଷ ୫୦ ହଜାର ଟପିଲା : ମୃତ୍ୟୁ ସଂଖ୍ୟା ୪୧ହଜାର ୫୮୫

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟଙ୍କ ସଂଖ୍ୟା ୧୩ ଲକ୍ଷ ୫୦ ହଜାର ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ମୋଟ୍‍ ୧୩ ଲକ୍ଷ ୭୮ ହଜାର ୧୦୫ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ଭିତରେ ଆଉ ୪୯ ହଜାର ୭୬୯ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ଫଳରେ ଆରୋଗ୍ୟ ହାର  ୬୭.୯୮%କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ  କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୬୨ ହଜାର ୫୩୮ଟି ନୂଆ ପଜିଟିଭ୍‍ ମାମଲା ଚିହ୍ନଟ ହେବା ପରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୨୭ ହଜାର ୭୪କୁ ବୃଦ୍ଧି ପାଇଛି। ଭାରତରେ କୋଭିଡ୍‍-୧୯ ବ୍ୟାପିବା ଦିନଠାରୁ  ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ ମାମଲା। ଏବେ ଦେଶର ବିଭିନ୍ନ ହସ୍ପିଟାଲରେ ୬ ଲକ୍ଷ ୭ ହଜାର ୩୮୪ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୮୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ରାଷ୍ଟ୍ରବ୍ୟାପି କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ହଜାର ୫୮୫କୁ ବୃଦ୍ଧି ପାଇଛି। ତେବେ ଦେଶରେ ମୃତ୍ୟୁ ହାର ଆହୁରି ଅଧିକ ହ୍ରାସ ପାଇ ୨.୫ରେ ପହଞ୍ଚିଛି।
ଇତିମଧ୍ୟରେ ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି, ଦେଶରେ ଏ ପର୍ଯ୍ୟନ୍ତ ୨କୋଟି ୨୭ଲକ୍ଷ ୮୮ହଜାର ୩୯୩ଟି ନମୁନାର ପରୀକ୍ଷା କରାଯାଇଛି। କେବଳ ଗତକାଲି ଦେଶର ବିଭିନ୍ନ ପରୀକ୍ଷାଗାରରେ ୬ଲକ୍ଷ ୩୯ ହଜାର ୪୨ଟି ନମୁନାର ପରୀକ୍ଷଣ ହୋଇଛି। ଏବେ ଦେଶରେ ୧ହଜାର ୩୮୩ଟି ପରୀକ୍ଷାଗାରରେ କୋଭିଡ୍‍-୧୯ ପରୀକ୍ଷା କରାଯାଉଥିବା ବେଳେ ସେଥିମଧ୍ୟରେ ୯୩୧ଟି ସରକାରୀ ଓ ୪୫୨ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.