ଦେଶରେ କରୋନା ଆରୋଗ୍ୟ ହାର ୬୨.୪୨%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୬୨.୪୨%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ହଜାର ୧୩୫ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଦେଶରେ ଏପର୍ଯ୍ୟନ୍ତ ୪ ଲକ୍ଷ ୯୫ ହଜାର ୫୧୩
ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୨୬ ହଜାର ୫୦୬ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୯୩ ହଜାର ୮୦୨ ରହିଛି। କୋଭିଡ୍‍ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। ସେହିପରି ଗୋଟିଏ ଦିନରେ ୪୭୫ ଜଣଙ୍କର ମୃତ୍ୟୁ ହେବା ସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧ ହଜାର ୬୦୪ରେ ପହଞ୍ଚିଛି। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୨ ଲକ୍ଷ ୭୬ ହଜାର ୬୮୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୨ ଲକ୍ଷ ୮୩ ହଜାର ୬୫୯ଟି ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ଭିତରେ ଏହା ମଧ୍ୟ ସର୍ବାଧିକ ନମୁନା ପରୀକ୍ଷଣ। ଏପର୍ଯ୍ୟନ୍ତ ମୋଟ୍‍ ୧ କୋଟି ୧୦ ଲକ୍ଷ ୨୪ ହଜାର ୪୯୧ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି। ଆଇସିଏମ୍‍ଆର୍‍ ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ ହଜାର ୧୬୯ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୮୩୫ଟି ସରକାରୀ ପରୀକ୍ଷାଗାର ଓ ୩୩୪ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.