କୋଭିଡ୍ ଆରୋଗ୍ୟ ହାର ୬୨.୦୮%କୁ ବୃଦ୍ଧି ; ୨୪ ଘଣ୍ଟାରେ ୪୮୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ଆରୋଗ୍ୟ ହାର ୬୨.୦୮%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ହଜାର ୫୪୭ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ଦେଶରେ ଏପର୍ଯ୍ୟନ୍ତ ୪ ଲକ୍ଷ ୭୬ ହଜାର ୩୭୮ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋଭିଡ୍ ଆରୋଗ୍ୟ ହାର ୬୨.୦୮%କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୨୪ ହଜାର ୮୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬ ରହିଛି। କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। ସେହିପରି ୨୪ ଘଣ୍ଟା ମଧ୍ୟରେ ୪୮୭ ଜଣଙ୍କ ମୃତ୍ୟୁ ଘଟିବା ସହ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧ ହଜାର ୧୨୯ରେ ପହଞ୍ଚିଛି। ବର୍ତ୍ତମାନ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ୨ ଲକ୍ଷ ୬୯ ହଜାର ୭୮୯ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୨ ଲକ୍ଷ ୬୭ ହଜାର ୬୧ଟି ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ଭିତରେ ଏହା ମଧ୍ୟ ସର୍ବାଧିକ ନମୁନା ପରୀକ୍ଷଣ। ଏପର୍ଯ୍ୟନ୍ତ ମୋଟ୍ ୧ କୋଟି ୭ ଲକ୍ଷ ୪୦ ହଜାର ୮୩୨ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି।
ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରୁଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ ହଜାର ୧୩୨ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୮୦୫ଟି ସରକାରୀ ପରୀକ୍ଷାଗାର ଓ ୩୨୭ଟି ବେସରକାରୀ ପରୀକ୍ଷାଗାର ରହିଛି।