କରୋନା ଦ୍ବିତୀୟ ଲହରରେ ଆକ୍ରାନ୍ତ ହେଉଛନ୍ତି ୫ବର୍ଷରୁ ୧୫ବର୍ଷର ପିଲାଙ୍କ ସହ ନବଜନ୍ମିତ ଶିଶୁ

କୋଭିଡ୍ ସମୟରେ ପିଲାମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ସ୍ଥିତି ବିଶ୍ଲେଷଣ କରିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି

ଭୁବନେଶ୍ବର: କୋଭିଡ୍-୧୯ ପ୍ରଥମ ଲହରରେ ଶିଶୁମାନେ କମ୍ ଆକ୍ରାନ୍ତ ହେଉଥିଲେ। ଆକ୍ରାନ୍ତ ସଂଖ୍ୟା ଏକ ପ୍ରତିଶତରୁ କମ୍ ଥିଲା। କିନ୍ତୁ ଦ୍ୱିତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି ମତ ଦେଇଛନ୍ତି। ନୂଆ ଷ୍ଟ୍ରେନ୍ରେ ୫ବର୍ଷରୁ ୧୫ବର୍ଷର ଶିଶୁଙ୍କ ସହ ନବଜନ୍ମିତ ଶିଶୁମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି ମହାମାରୀ କୋଭିଡ୍ ସମୟରେ ପିଲାମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ସ୍ଥିତି ବିଶ୍ଲେଷଣ କରିଛନ୍ତି ଡାକ୍ତର ମହାନ୍ତି। ଆସନ୍ତୁ, ଆମେ ସମସ୍ତେ ଉଦ୍ୟମ କରିବା, ଯାହା ଫଳରେ କୌଣସି ଶିଶୁକୁ କରୋନା ମହାମାରୀର ଶିକାର ହେବାକୁ ଦେବାନାହିଁ କି ସେମାନଙ୍କୁ ଅକାଳରେ ଝଡି ପଡିବାକୁ ଦେବା ନାହିଁ। କରୋନାକୁ ଜାଣିବା, ସମସ୍ତଙ୍କୁ ସତର୍କ କରାଇବା, ଏଭଳି ବାର୍ତ୍ତା ଦେଇ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାନ୍ତି କୋଭିଡ୍‌-୧୯ର ଦ୍ବିତୀୟ ଲହରରେ ଶିଶୁମାନଙ୍କୁ କିଭଳି କରୋନାମୁକ୍ତ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।

ପିଲାମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ସ୍ଥିତି ବିଶ୍ଲେଷଣ
୧. କରୋନା ମହାମାରୀର ସଂକ୍ରମଣରେ ସାରା ବିଶ୍ୱ ଆଜି ପ୍ରଭାବିତ
୧. ପିଲାମାନେ ନିଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ଝାଳରେ ମୁହଁ ବୁଡିଯାଇ, ଝାଳ ଓ ନିଶ୍ୱାସର ବାମ୍ଫରେ ଆଖି ନାଲିପଡି କୁଣ୍ଢାଇ ହେଉଥିଲେ ବି ମୁହଁକୁ କେହି ଦେଖି ପାରୁନାହାଁନ୍ତି ଦୁଃଖରେ, ଫାଇନ୍ ଓ ପୋଲିସ୍ର ମାଡ ଡରରେ ମୁହଁରେ ମାସ୍କ ବାନ୍ଧିବାକୁ ବାଧ୍ୟ ହେଉଛନ୍ତି।
୨. ସାବୁନ୍ ଅଥବା ସାନିଟାଇଜର ଲଗାଇ ଆଲର୍ଜୀ ହେଉଥିଲେ ମଧ୍ୟ ଲଗାଇବାକୁ ବାଧ୍ୟ ହେଉଛନ୍ତି।
୩. ସାମାଜିକ ଦୂରତା ରକ୍ଷା କରିବାକୁ ଯାଇ ନିଜର ସ୍କୁଲ ସାଙ୍ଗ, ଖେଳ ସାଙ୍ଗଙ୍କ ଠାରୁ ଦୂରରେ ରହି ପରିବାର ସଙ୍ଗେ ଏକ ରକମ ନିଜ ଘରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି।
୨. କରୋନା ସଂକ୍ରମଣ ହେତୁ ଏହାର ପ୍ରତିରୋଧ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାଙ୍କର ପ୍ରଶଂସନୀୟ, ଅଭିନନ୍ଦନୀୟ ତତ୍ପରତା ହେତୁ ଦେଶ ଠାରୁ ଦେଶ, ପ୍ରଦେଶ ଠାରୁ ପ୍ରଦେଶ, ଜିଲ୍ଲା ଠାରୁ ଜିଲ୍ଲା, ଗ୍ରାମ ଠାରୁ ଗ୍ରାମ, ଘର ଠାରୁ ଘର ବିଚ୍ଛିନ୍ନ ହୋଇ ଏକ ସ୍ୱାର୍ଥ କୈନ୍ଦ୍ରିକ ଓ ଏକ ଅବିଶ୍ୱାସଭରା ସମାଜ ହୋଇଯାଇଛି। ଅନ୍ୟ ଜଣେ କାଳେ କରୋନା ରୋଗୀ ହୋଇଥିବା ଭାବି ଭାଇଚାରା ପରିବର୍ତେ ଏକ କରୋନା ଅଛୁଆଁ ଜାତିର ଗଣମାଧ୍ୟମ ଓ ପ୍ରଶାସନ ପ୍ରଶଂସିତ ଅନ୍ଧବିଶ୍ୱାସର ସୃଷ୍ଟି ହୋଇ ଏବେ ପିଲାମାନେ କେବଳ ରବୀନ୍ଦ୍ର ସଂଗୀତ ‘ଏକଲା ଚଲୋରେ’ ଗାଉଛନ୍ତି।
୩. ଯେଉଁ ଛୁଟି ପିଲାମାନଙ୍କ ପାଇଁ ଆନନ୍ଦଦାୟକ ଥିଲା, ମାର୍ଚ୍ଚ ମାସରୁ ତାଲାବନ୍ଦ, ରାତ୍ରି କର୍ଫ୍ୟୁ ଲାଗୁ ହେବା ଫଳରେ ସ୍କୁଲ, ଅଫିସ, ଦୋକାନ ବଜାର, ମନ୍ଦିର ବନ୍ଦ ହୋଇ ଗାଁ, ପାହାଡିଆ ଅଂଚଳ, ବସ୍ତି ଓ ସହରରେ ଏକ ବିଭୀଷିକାମୟ ଭୟ ସଞ୍ଚାର କରି ବିଷ ଭଳି ଲାଗୁଛି।
୪. ଅଫିସ ବନ୍ଦ ଯୋଗୁଁ ବାପା ମା ଘରେ ରହୁଛନ୍ତି ନହେଲେ ଘରେ ବସି ଘରୁ ଅଫିସକାମ କରୁଛନ୍ତି।
ସ୍କୁଲ ବନ୍ଦ ହେତୁ ପାଠପଢାରେ ଶତକଡା ୩୦ଭାଗ ପିଲା ପାଠପଢା ଛାଡି ସାରିଲେଣି। ସ୍କୁଲକୁ ମୋବାଇଲ୍ ଫୋନ୍ ନେବାକୁ ମନାକରା ଯାଉଥିବା ବେଳେ ସ୍କୁଲ୍ ମୋବାଇଲ୍ ଫୋନ୍ରେ ପିଲାଙ୍କ ପାଖକୁ ଆସୁଛି। ଏହି ମହାମାରୀ ସମୟରେ ବହୁତ ଲୋକ ଚାକିରି ବା ଆୟ ହରାଇ ବସିଲେଣି।

ଶିଶୁର ଶାରୀରିକ,ମାନସିକ,ବୌଦ୍ଧିକ,ସାମାଜିକ ଓ ଆଧ୍ୟାତ୍ମିକ ସୁସ୍ଥ ଅବସ୍ଥାକୁ ପିଲାର ସ୍ୱାସ୍ଥ୍ୟ କୁହାଯାଏ। କରୋନା ସଂକ୍ରମଣ ସମୟରେ ପିଲାମାନେ କେତେ ପ୍ରକାରର ?

୧. କରୋନା ପଜିଟିଭ୍ ଲକ୍ଷଣଯୁକ୍ତ ପିଲା
୨. କରୋନା ପଜିଟିଭ୍ ଲକ୍ଷଣବିହୀନ ପିଲା
୩. କରୋନା ଆକ୍ରାନ୍ତ ନ ହୋଇଥିବା ସୁସ୍ଥ ପିଲା
୪. କରୋନା ରୋଗରୁ ମୁକ୍ତ ବା ସୁସ୍ଥ ହୋଇଥିବା ପିଲା

୧. କରୋନା ପଜିଟିଭ୍ ଲକ୍ଷଣଯୁକ୍ତ ପିଲା

କରୋନା ରୋଗର ଲକ୍ଷଣ
୧. ତଣ୍ଟି ଦରଜ
୨. ନାକ ଚୁଂଟିହେବା ବା ନାକରୁ ସିଂଘାଣି ଗଡିବା
୩. ଥଣ୍ଡା ଲାଗିବା
୪. ଦେହ ହାତ ଦରଜ ଲାଗିବା
୫. ମୁଣ୍ଡ ବିନ୍ଧିବା
୬. ଖାଦ୍ୟର ସ୍ୱାଦ ବାରି ନ ପାରିବା ବା ବାସ୍ନା ଶୁଙ୍ଘି ନ ପାରିବା
୭. ବାନ୍ତି ଲାଗିବା ବା ବାନ୍ତି ହେବା
୮. ତରଳ ଝାଡା
୯. କ୍ଲାନ୍ତ ଲାଗିବା
୧୦. ନିଶ୍ୱାସ ନେବାରେ କଷ୍ଟ ହେବା
୧୧. ନିମୋନିଆ

ଏହି ଲକ୍ଷଣ ୫-୬ ଦିନରୁ ୧୪ଦିନ ମଧ୍ୟରେ ଦେଖା ଦେଇପାରେ। କରୋନା ଯୋଗୁଁ ଶିଶୁମାନଙ୍କ ନିକଟରେ ଦେଖାଯାଉଥିବା ଭୟାବହତା
୧. ବୃକକ ବା ଯକୃତ କାର୍ଯ୍ୟକ୍ଷମ ନ ରହିବା
୨. ନିଶ୍ୱାସ ନେବା ନିମନ୍ତେ ଭେଣ୍ଟିଲେଟର ଦରକାର କରିବା
୩. ବିଭିନ୍ନ ଅଙ୍ଗକୁ ସଂକ୍ରମଣ ହେବା
୪. ହୃଦ ଯନ୍ତ୍ର ଠିକ୍ ଭାବେ କାର୍ଯ୍ୟ କରି ନ ପାରିବା
୫. ରକ୍ତ ଜମାଟ ବାନ୍ଧି ଭୟାବହ ପରିଣାମ ସୃଷ୍ଟି କରିବା
୬. ଟକ୍ସିକ୍ ସକ୍ ସିଣ୍ଡ୍ରୋମ୍
୭. କାବାସାକୀ ରୋଗ
ଶିଶୁର କେଉଁ ଲକ୍ଷଣଥିଲେ ଶିଶୁକୁ ତୁରନ୍ତ ଡାକ୍ତରଖାନା ନେବା ଦରକାର ?
୧. ଶିଶୁଟି ବାଉଳା ବାଉଳା ହେଉଥିଲେ
୨. ଅତ୍ୟଧିକ ଜ୍ୱର ହେଉଥିଲେ
୩. ଛାତି ଟାଇଟ୍ ଲାଗିବା ବା କଷ୍ଟ ହେଲେ
୪. ବେକରେ କଷ୍ଟ ହେଲେ
୫. ନିଶ୍ୱାସ ନେବାରେ କଷ୍ଟ ହେଲେ
୬. ମୁହଁ, ହାତ ଓ ପାଦ ଆଙ୍ଗୁଠି ନୀଳ ପଡିଗଲେ
୭. ଚେତା ନ ରହିଲେ
୮. ପେଟରେ ଅଧିକ ଯନ୍ତ୍ରଣା ହେଲେ

ବାପା ମା’ଙ୍କ କର୍ତବ୍ୟ- ଶିଶୁକୁ ତୁରନ୍ତ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଇବା ଦରକାର

୨. ସାମାନ୍ୟ ଲକ୍ଷଣ ବା ଲକ୍ଷଣ ବିହୀନ କୋଭିଡ୍ ପଜିଟିଭ୍ ଶିଶୁ
୧. ଏହି ଶିଶୁମାନଙ୍କ ପାଖରେ ସାମାନ୍ୟ ବା କୌଣସି ଲକ୍ଷଣ ଦେଖା ଯାଇ ନ ଥାଏ।
୨. କିନ୍ତୁ ଏହି ଶିଶୁମାନେ ଭୂତାଣୁକୁ ଖୁବ୍ ଶୀଘ୍ର ବ୍ୟାପିବାରେ ସାହାଯ୍ୟ କରନ୍ତି।
୩. ଏହି ଶିଶୁମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଆବଶ୍ୟକ।
୪. ନିୟମିତ ରକ୍ତ ଚାପ, ନାଡିର ଗତି ମାପିବା, ରକ୍ତରେ ଅମ୍ଳଜାନ ସ୍ତର ପରୀକ୍ଷା, ଇସିଜି, ଛାତିର ଏକ୍ସରେ ଓ ସିଟି ସ୍କାନ ଓ ଦରକାର ହେଉଥିବା ସମସ୍ତ ଗୁରୁତର ପରୀକ୍ଷା ଯେପରି- ଉଚ୍ଚ ରକ୍ତ ଚାପ, ଜନ୍ମଗତ ଅଥବା କୌଣସି ହୃଦରୋଗ, ମଧୁମେହ ରୋଗ, କର୍କଟ ରୋଗ ଆଦିର ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ।
୫. ଶିଶୁକୁ ସଙ୍ଗରୋଧରେ ରଖିବା ଦରକାର।
୬. ଦରକାର ହେଲେ ଯଦି କୌଣସି ଗୁରୁତର ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ହସ୍ପିଟାଲ୍ରେ ଭର୍ତି କରାଇବା ଦରକାର।
୭. ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଦ୍ୟ,ଔଷଧ ଓ ଟୀକା ନେବା ଏକାନ୍ତ ଆବଶ୍ୟକ।
୮. ଶିଶୁର କୌଣସି ଗୁରୁତର ରୋଗ ଥିଲେ ଅଧିକ ଯତ୍ନବାନ ହେବା ଆବଶ୍ୟକ
ଯେପରି କି-
୧. ହୃଦଯନ୍ତ୍ର, ଫୁସଫୁସ୍, ବୃକକ୍ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଭାବ ଜନିତ ରୋଗ ବା ଜନ୍ମରୁ ଏହା ଥିଲେ।
୨. ଷ୍ଟିରଏଡ୍ ଔଷଧ ଖାଉଥିଲେ।
୩. ଅସ୍ଥି ମଜ୍ଜା ପ୍ରତିରୋପଣ ହୋଇଥିଲେ।
୪. କର୍କଟ ରୋଗ ପାଇଁ ଔଷଧ ସେବନ କରୁଥିଲେ।
୫. ଜନ୍ମରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ
୬. ଜନ୍ମ ବେଳେ ଅପରିପକ୍ୱ ବା ଅଳ୍ପ ଓଜନର ବା ଭିନ୍ନକ୍ଷମ ଶିଶୁ ହୋଇଥିଲେ।
୭. ଖାଦ୍ୟ ହୀନତା ବା ମନ୍ଦପୃଷ୍ଟି / ଅପପୃଷ୍ଟି ଥିଲେ।
୩. କରୋନା ଆକ୍ରାନ୍ତ ନ ହୋଇଥିବା ସୁସ୍ଥ ପିଲା
୧. ଅଦୃଶ୍ୟ ଭୂତାଣୁ ଶତ୍ରୁର ନିରନ୍ତର ଭୟ ଓ ଆଶଙ୍କା
୨. ସାମାଜିକ ବିଚ୍ଛିନ୍ନ , ସାମାଜିକ ଦୂରତା ଓ ସ୍ୱକୈନ୍ଦ୍ରିକ ମନୋଭାବ
୩. ଦାରିଦ୍ର୍ୟ ଓ ଆର୍ଥିକ ଅସ୍ୱଚ୍ଛଳତା
୪. ଶିକ୍ଷା ଦାନ ଓ ପାଠ ପଢିବାରେ ଅସୁବିଧା
୫. ଖେଳକୁଦ ଓ ବ୍ୟାୟାମରେ ଅସୁବିଧା
୬. ସ୍ୱାସ୍ଥ୍ୟ ସେବାରେ ଅସୁବିଧା ଓ ଭୟ
୭. ବ୍ୟକ୍ତିଗତ ସ୍ୱାଧୀନତାର ଅଭାବ
୮. ସ୍କୁଲ ବନ୍ଦ ଓ ଖେଳ ସାଙ୍ଗସାଥୀଙ୍କ ଠାରୁ ଦୂରେଇ ରହିବାର ପ୍ରଭାବ
୯. ରୋଗ ସଂକ୍ରମଣର ଚିହ୍ନଟକରଣ ଓ ଚିକିତ୍ସା ତଥା କୋଭିଡ୍ ହସ୍ପିଟାଲ୍ର ଭୟ
୧୦. ରୋଗରୁ ଆରୋଗ୍ୟ ଓ ଅନିଶ୍ଚିତଫଳର ଭୟ
୧୧. ରୋଗ ପ୍ରତିରୋଧକାରୀ ଶକ୍ତି ଓ ସୁସ୍ଥ ରହିବା ପାଇଁ ପ୍ରତିକାର ଓ ଖାଦ୍ୟ ସମ୍ବନ୍ଧୀୟ ଜ୍ଞାନର ଅଭାବ
ଶିଶୁଙ୍କ ମଧ୍ୟରେ କରୋନାର କ’ଣ ଲକ୍ଷଣ ଦେଖା ଦେଇଥାଏ ?
୧. ନାକ ବନ୍ଦ ହେବା ସହ ନାକରୁ ପାଣି ବୋହିବ
୨. ଜ୍ୱର ସହ ବାତ ମାରିବ
୩. ତଣ୍ଟି ଦରଜ, ଶୁଖିଲା କାଶ ଆଉ ଜ୍ୱର
୪. ଦେହ ହାତ ବିନ୍ଧା
୫. ଆଖି ଲାଲ ହେବା ସହ ଦେହରେ ଘିନିରି ଭଳି ଫଳିଯିବ
୬. ପତଳା ଝାଡା ହେବ

ଶିଶୁଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ-
୧. ଏକାଗ୍ରତା ଆଣିବାରେ କଷ୍ଟ
୨. ରାତିରେ ଶୋଇ ନ ପାରିବା ବା ଶୋଇଲେ ଦୁଃସ୍ୱପ୍ନ ଦେଖି ଉଠି ପଡିବା
୩. ଭଲ ଭାବେ ଖାଇ ନ ପାରିବା
୪. ଶୀଘ୍ର ରାଗି ଯିବା, ଚିଡିଚିଡା ହେବା ଓ ସହଜରେ ସମ୍ଭଳା ନ ପଡିବା
୫. ସବୁ କଥାରେ ବ୍ୟସ୍ତ ହୋଇ ପଡିବା ଓ ମନରେ ନକରାତ୍ମକ ଚିନ୍ତାଧାରା ସୃଷ୍ଟି ହେବା
୬. ସବୁବେଳେ ଉତେଜିତ ରହିବା ଓ ବ୍ୟାକୁଳ ହେବା ଅଥବା ବାରମ୍ବାର ପାଇଖାନାକୁ ଯିବା
୭. ସବୁବେଳେ କିଛି କାରଣ ନ ଥାଇ କାନ୍ଦିବା
୮. ବାପାମା’ଙ୍କୁ ଜାବୁଡି ଧରିବା
୯. ପେଟ କାଟୁଛି ବୋଲି ବାରମ୍ବାର କହିବା ଅଥବା ଭଲ ଲାଗୁନାହିଁ ବୋଲି କହିବା

 

ଅତ୍ୟଧିକ ଭୟଭୀତ ଯୋଗୁଁ ଶିଶୁଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ-
୧. ଛାତିରେ କଷ୍ଟ
୨. ଥଣ୍ଡା ଲାଗିବା
୩. ପାଟି ଓ ଜିଭ ଶୁଖି ଅଠା ହୋଇଯିବା
୪. ବାନ୍ତି ଲାଗିବା
୫. ନାଡିର ଗତି ଦ୍ରୁତ ହେବା
୬. ଯୋରରେ ଯୋରରେ ନିଶ୍ୱାସ ନେବା
୭. ଅକାରଣରେ ଦେହରୁ ଝାଳ ବୋହିବା
୮. ଦେହ ଥରିବା

 

ସାମାଜିକ ବିଚ୍ଛିନ୍ନ ଯୋଗୁଁ ଶିଶୁଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ-

୧. ଅନ୍ୟମାନଙ୍କ ସଙ୍ଗେ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ ଅସମ୍ଭବ ହୋଇପଡେ।
୨. ଏହି ସମୟରେ କେହି ଘନିଷ୍ଠ ବନ୍ଧୁ ହୋଇପାରିବେ ନାହିଁ ବୋଲି ମନରେ ଭାବନା ଆସେ।
୩. ଏକୁଟିଆ ରହିଲେ ମନରେ ନିଃସଙ୍ଗ ମନୋଭାବ ଆସେ।
୪. ସ୍ୱ ଭାବନା ଓ ଚିନ୍ତାଧାରା ଉପରେ ନକରାତ୍ମକ ପ୍ରଭାବ।
୫. ନିଜର ପରିବେଶ ଉପରେ ନିରାସକ୍ତ ଭାବନା ଅଥବା କୌଣସି ଜିନିଷରେ ଆଗ୍ରହ ନ ରହିବା।
୬. ନିଜକୁ ପରିଷ୍କାର ଓ ପରିଚ୍ଛନ୍ନ ରଖି ସମସ୍ତଙ୍କର ପ୍ରିୟ ଭାଜନ ହେବାର ଇଚ୍ଛା ରହେ ନାହିଁ।
୭. ଭୋକ କମିଯାଏ, ଯାହା ଫଳରେ ଓଜନ ବଢେନାହିଁ।
୮. ଉଚ୍ଚ ରକ୍ତ ଚାପ, ଉଚ୍ଚ ରକ୍ତରେ ଚର୍ବି ବା କୋଲେଷ୍ଟ୍ରଲ୍, ମାନସିକ ଉତେଜନା କରୁଥିବା ହରମୋନ୍ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି।

 

ଦାରିଦ୍ର୍ୟ ଓ ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ଶିଶୁଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ-

୧. ପିଲାମାନଙ୍କର ଖରାପ ସ୍ୱାସ୍ଥ୍ୟ ଓ ଔଷଧ କିଣିବାକୁ ଅର୍ଥର ଅଭାବ।
୨. ମାନସିକ ଦୁର୍ବଳତା ଓ ରୋଗ।
୩. ଶାରୀରିକ ସୁସ୍ଥତା କମିଯାଏ।
୪. ପାଠପଢି ଭଲ ଫଳ ମିଳେ ନାହିଁ।
୫. ସାମାଜିକ ସ୍ୱୀକୃତି ମିଳେନାହିଁ।
୬. ଅସୁରକ୍ଷିତ ଅନୁଭବ କରିବା।
୭. କୁସଂସ୍କାର ଓ ଲାଂଚ୍ଛନାର ଅନୁଭୂତି।
୮. ବିଷାଦଗ୍ରସ୍ତ, ବୁଝିପାରିବାର ଶକ୍ତି କମିଯିବା ଏବଂ କୌଣସି ଜିନିଷ ଜାଣିବାର ବ୍ୟଗ୍ରତା ମନରେ ବଢିଯାଏ।

ବାପା ମା’ଙ୍କ କର୍ତବ୍ୟ-
୧. ଶିଶୁକୁ କରୋନା ଭୂତାଣୁ କ’ଣ ତାହା ବୁଝାଇ କୁହନ୍ତୁ।
୨. କୌଣସି ସମ୍ପର୍କୀୟ ବା ସାଙ୍ଗସାଥୀ ତଥା ବନ୍ଧୁ ଅଥବା ଗଣମାଧ୍ୟମ ଯଦି କରୋନା ସମ୍ବନ୍ଧୀୟ କୌଣସି ମନରେ ଉତେଜନା ବଢିବା ଭଳି ଖବର ପ୍ରଚାର କରୁଥିଲେ, ତା’ହା ଶୁଣିବା ବା ଦେଖିବା ନିମନ୍ତେ ଶିଶୁକୁ ବାରଣ କରନ୍ତୁ।
୩. ପିଲାକୁ ନିଜର ବ୍ୟଗ୍ରତା କିଭଳି ନିଜେ ସମାଧାନ କରିବାକୁ ହେବ ତା’ହା ଶିଖାଇବା ଦରକାର।

ଶିଶୁକୁ ଭୟଭୀତ ନ ହେବାପାଇଁ ବାପା ମା’ଙ୍କର ଶିଶୁକୁ ଉପଦେଶ-

୧. ଧୀର ଅବିଚଳିତ ଭାବେ ଛୁଆକୁ ବୁଝାଇ ଛୁଆର ବିଶ୍ୱାସଭାଜନ ହୋଇ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନିଜକୁ ଓ ବନ୍ଧୁମାନଙ୍କୁ କୋଭିଡ୍ରୁ କିପରି ରକ୍ଷା ପାଇପାରିବା ସେ ବିଷୟରେ ବୁଝାଇ କୁହନ୍ତୁ।
୨. ପରିବାରର ସମସ୍ତଙ୍କ ସଙ୍ଗେ ବସି ନିଜର ରୋଗ ପ୍ରତିରୋଧକ ଶକ୍ତି କିପରି ବଢାଇ ପାରିବ ସେ ବିଷୟରେ ବୁଝାଇ କୁହନ୍ତୁ।
୩. ଡରିବା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ, ତେଣୁ ନ ଡରି ସତର୍କ ରହି ନିଜକୁ ରକ୍ଷା କରିବାର ବାଟ ଶିଶୁକୁ ବୁଝାଇ କୁହନ୍ତୁ।

ସାମାଜିକ ବିଚ୍ଛିନ୍ନ, ସାମାଜିକ ଦୂରତା ଅସୁବିଧା ଦୂର କରିବା ନିମନ୍ତେ –

୧. ପରିବାରର ସମସ୍ତ ସଦସ୍ୟ ପିଲାମାନଙ୍କ ସଙ୍ଗେ ବନ୍ଧୁଙ୍କ ଭଳି ବ୍ୟବହାର କରିବା ଆବଶ୍ୟକ।
୨. ପିଲାମାନଙ୍କ ଉପରେ ରାଗିବା ବା ବଢିଲା ଭଳି ବ୍ୟବହାର କରିବା ଅନୁଚିତ୍।
୩. ଘରର ପରିସର ମଧ୍ୟରେ ଯଥା ସମ୍ଭବ ଖେଳିବା, ନାଚିବା, ଚିତ୍ର ଆଙ୍କିବାକୁ ଉତ୍ସାହିତ କରିବା ଆବଶ୍ୟକ।
୪. ସମ୍ପ୍ରତି ମୋବାଇଲ୍ ଯୁଗରେ ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସଙ୍ଗେ କିଛି ସମୟ ଟେଲିଫୋନ୍ ଯୋଗେ ବା ଭିଡିଓ କଲ କରି ନିଜର ଆବେଗ କମାଇବାରେ ସାହାଯ୍ୟ କରନ୍ତୁ।

ଦାରିଦ୍ର୍ୟ ଓ ଆର୍ଥାଭାବ ଯୋଗୁଁ-

୧. ପିଲାମାନଙ୍କର ଖରାପ ସ୍ୱାସ୍ଥ୍ୟ ଓ ଔଷଧ କିଣିବାକୁ ଅର୍ଥ ନାହିଁ।
୨. ମାନସିକ ଦୁର୍ବଳତା ଓ ରୋଗ।
୩. ଶାରୀରିକ ସୁସ୍ଥତା କମିଯାଏ।
୪. ପାଠପଢି ଭଲ ଫଳ ମିଳେ ନାହିଁ।
୫. ସାମାଜିକ ସ୍ୱୀକୃତି ମିଳେନାହିଁ।
୬. ଅସୁରକ୍ଷିତ ଅନୁଭବ କରିବା।
୭. କୁସଂସ୍କାର ଓ ଲାଂଚ୍ଛନାର ଅନୁଭୂତି।

କେମିତି ନେବେ ଶିଶୁଙ୍କ ଯତ୍ନ
୧. ୫ ବର୍ଷରୁ ଅଧିକ ବୟସର ସବୁ ପିଲାଙ୍କୁ ଫିଟ୍ କରି ମାସ୍କ ପିନ୍ଧାନ୍ତୁ।
୨. ହାତ , କାନ ଓ ପାଟିରେ ପିଲାଙ୍କୁ ହାତ ମାରିବାକୁ ଦିଅନ୍ତୁ ନାହିଁ।
୩. ସେମାନଙ୍କୁ ସକାଳୁ ଅଦା, ତୁଳସୀ ଆଉ ମହୁ ରସ ଖାଇବାକୁ ଖାଲି ପେଟରେ ଦିଅନ୍ତୁ।
୪. ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଭିଟାମିନ୍ ଡି-୩, ଜିଙ୍କ ଓ ମଲ୍ଟିଭିଟାମିନ୍ ଟାବଲେଟ୍ ଖାଇବାକୁ ଦିଅନ୍ତୁ।
୫. ଭିଟାମିନ୍ – ସି ଯୁକ୍ତ ଖାଦ୍ୟପଦାର୍ଥ ଅଧିକ ଖୁଆନ୍ତୁ।
୬. ଯଦି ପିଲାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଯାଉଛି ତେବେ ମା’ ଓ ଶିଶୁଙ୍କୁ ସଙ୍ଗରୋଧରେ ରଖନ୍ତୁ।
୭. ଡାକ୍ତରଙ୍କ ପରାମର୍ଶରେ ଜ୍ୱର ପାଇଁ ପାରାସିଟାମଲ୍ ସିରପ୍, ଥଣ୍ଡାରେ ସେଟ୍ରିଜିନ୍ ସିରପ୍ ଖାଇବାକୁ ଦିଅନ୍ତୁ।
୮. ଜ୍ୱର ତାପମାତ୍ରା ୧୦୦ ଉପରେ ରହିଲେ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଅନ୍ତୁ।
୯. ମା’ ଓ ଶିଶୁଙ୍କ କରୋନା ପରୀକ୍ଷା କରନ୍ତୁ।
୧୦. କରୋନା ପଜିଟିଭ୍ ଆସିଲେ ଡାକ୍ତରୀ ପରାମର୍ଶରେ ଚିକିତ୍ସା କରାନ୍ତୁ।

ପିତା ଓ ମାତାଙ୍କ ଯତ୍ନ

୧. ବିଦ୍ୟା ନିଃଶୁଳ୍କ ହୋଇଥିଲେ ମଧ୍ୟ ମୋବାଇଲ୍ ଯୋଗେ ଶିକ୍ଷା ଆହରଣ ଅସୁବିଧା ହୋଇଥାଏ, ଏଥିପାଇଁ ଗାଁରେ ଡାକବାଜି ଯନ୍ତ୍ର ଲଗାଇ ଶିକ୍ଷକ ସମସ୍ତଙ୍କୁ ବିଦ୍ୟାଦାନ କରିପାରିବେ।

 

‘ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ ଓ କରୋନା ରୋଗରୁ ନିଜକୁ ରକ୍ଷା କରନ୍ତୁ ଏହାହିଁ ଆମ ସମସ୍ତଙ୍କ ଆଜିର ବଡ ଆହ୍ୱାନ୍’

୧. ସୁସ୍ଥ ଜୀବନ ଶୈଳୀ ଅନୁସରଣ କରନ୍ତୁ।
୨. ଧୂମପାନ କରନ୍ତୁ ନାହିଁ।
୩. ଅଧିକ ଫଳ ଓ ପନିପରିବା ଖାଆନ୍ତୁ।
୪. ନିଜର ସଠିକ୍ ଓଜନ ବଜାୟ ରଖନ୍ତୁ।
୫. ମଦ୍ୟପାନ କରନ୍ତୁ ନାହିଁ।
୬. ଯଥେଷ୍ଟ ସମୟ ଶୁଅନ୍ତୁ ଓ ଶରୀରକୁ ଯଥେଷ୍ଟ ବିଶ୍ରାମ ଦିଅନ୍ତୁ।
୭. କରୋନା ସଂକ୍ରମଣର ପ୍ରତିରୋଧ ନିମନ୍ତେ ନିମ୍ନୋକ୍ତ ପଦକ୍ଷେପ ଗୁଡିକ ଗ୍ରହଣ କରନ୍ତୁ।
୮. ବାରମ୍ବାର ଅନ୍ୟୁନ ୨୦ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବେ ସାବୁନ୍ କିମ୍ବା ହ୍ୟାଣ୍ଡ ୱାସ୍ରେ ହାତ ସଫା କରିବା ଅଥବା ସାନିଟାଇଜର୍ ଲଗାଇବା।
୯. ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା।
୧୦. ବାହାରୁ ଘରକୁ ଫେରିଲା ପରେ ନିଜର ପୋଷାକ ଏବଂ ମାସ୍କକୁ ସଫା କରିବା।
୧୧. ଘରୁ କାର୍ଯ୍ୟାଳୟ କିମ୍ବା ବାହରକୁ ଗଲେ ନିଜ କାର୍ଯ୍ୟାଳୟରେ ବା ବ୍ୟବସାୟରେ ସାମାଜିକ ଦୂରତା ବଜାୟ ରଖିବା।
୧୨. ଘରେ କୌଣସି ବ୍ୟକ୍ତି / ବନ୍ଧୁ / ପଡୋଶୀ ଅଥବା ଅନ୍ୟ ପ୍ରଦେଶ ବା ବିଦେଶରୁ ଫେରିଥିଲେ ଅଥବା କରୋନା ଲକ୍ଷଣ ଥିଲେ-
୧୩.. ୧୦୪/ ୧୦୦/ସଚେତକ /ଆରୋଗ୍ୟ ସେତୁକୁ ଫୋନ୍ କରି ଉଚିତ୍ ପଦକ୍ଷେପ ନିଅନ୍ତୁ।

୧୪. ସମ୍ପ୍ରତି ଚାଲିଥିବା ଟୀକାକରଣରେ ନିଜେ ଯଦି ଜଣେ ଯୋଗ୍ୟ ବ୍ୟକ୍ତି ତେବେ ନିଜେ ସ୍ୱତଃ ଭାବେ ସାମିଲ୍ ହୋଇ କୋୱିନ୍‌ରେ ନାମ ପଞ୍ଜୀକରଣ କରି ଟିକା ନିଅନ୍ତୁ।
୧୫ ମାନସିକ ଚାପ ଓ ଉତ୍ତେଜନା ହ୍ରାସ କରନ୍ତୁ। ‘କରୋନାକୁ ଡରନ୍ତୁ ନାହିଁ ବା କେହି ଡରାଉଥିଲେ ବାରଣ କରନ୍ତୁ। ଯଦି ଡରିବେ, ତେବେ ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମିଯିବ’।

ରୋଗ ପ୍ରତିରୋଧକ ଶକ୍ତି ଶରୀରରେ କାହିଁକି କମିଥାଏ?
୧. ବୟସ ବଢିବା ସହ ରୋଗ ପ୍ରତିରୋଧ ବଢାଉଥିବା ଟି ଲିମ୍ଫୋସାଇଟ୍ ଜୀବକୋଷ କମିଯାଇଥାଏ।
୨. ଇନ୍‌ଫ୍ଲୁଏଞ୍ଜା ଓ ନିମୋନିଆ ୬୫ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ହେଲେ ରୋଗ ଓ ମୃତ୍ୟୁହାର କମାଇଦେଇଥାଏ।
୩. ଅଣୁ-ଅପପୃଷ୍ଟି-ଜିଙ୍କ, ସେଲେନିଅମ୍, ଲୌହ, ତାମ୍ର, ଫୋଲିକ୍ ଏସିଡ୍, ଭିଟାମିନ୍-ଏ, ବି-୬, ସି ଓ ଇର ଅଭାବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମାଇ ଦେଇଥାଏ। ଏଣୁ ନିମ୍ନୋକ୍ତ ଖାଦ୍ୟ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ- ଯେପରି-
୧. ଭିଟାମିନ୍-ସି ଖାଦ୍ୟ- ଖଟା ଫଳ-ଅଙ୍ଗୁର,କମଳା,ଲେମ୍ବୁ,ଟାଙ୍ଗରିନ୍,ପିଜୁଳି, ଟମାଟୋ, ଅମୃତ ଭଣ୍ଡା, ଲଙ୍କା ଆମ୍ବଏବଂ ଅଁଳା ଇତ୍ୟାଦି।
୨. ଭିଟାମିନ୍-ଏ ଖାଦ୍ୟ- କଖାରୁ, ତରଭୁଜ, ଗାଜର, ଲଙ୍କା ଆମ୍ବ, ବ୍ରୋକୋଲି କୋବି, ଶାଗ,ମୂଳା, କନ୍ଦମୂଳ ଓ ପାଳଙ୍ଗ ଇତ୍ୟାଦି।
୩. ଭିଟାମିନ୍-ବି ଖାଦ୍ୟ- ପାଳଙ୍ଗ, କୋଶଳା, ଖଡା ଶାଗ, ପୋଇ, ବିନ୍ସ୍ ଓ ଶିମ୍ବ ଇତ୍ୟାଦି।
୪. ଭିଟାମିନ୍-ଇ ଖାଦ୍ୟ- ଆଲମଣ୍ଡ, ଚିନାବାଦାମ, ସୂର୍ଯ୍ୟମୁଖୀ ତେ. ବାଦାମ ତେଲ ଓ ଆମ୍ବ ଇତ୍ୟାଦି
୫. ଆଂଟିଅକ୍ସିଡେନ୍ଟ ଖାଦ୍ୟ- ଶିମ୍ବ, ବିନ୍ସ,ବ୍ରୋକୋଲି କୋବି, ଉଲକୋବି, ବିଟ୍ ଓ ପାଳଙ୍ଗ ଶାଗ ଇତ୍ୟାଦି।
୬. ଜିଙ୍କ ଖାଦ୍ୟ- ଶିମ୍ବ, ବରଗୁଡି, ବିନ୍ସ, ଆଳୁ ଓ କ୍ଷୀର ଇତ୍ୟାଦି।
୭. ଲୌହ ଯୁକ୍ତ ଖାଦ୍ୟ- ସଜନା ଶାଗ ଓ ଛୁଇଁ, ପାଳଙ୍ଗ, ପୋଇ ଖଡା, ଗଜା ମୁଗ, ଗଜା ବୁଟ ଓ ଛେଳି କଲିଜା ଇତ୍ୟାଦି।
୮. ସେଲେନିଅମ୍ ଯୁକ୍ତ ଖାଦ୍ୟ- ସୂର୍ଯ୍ୟମୁଖୀ ତେଲ, ବିନ୍ସ,ଛତୁ ତରକାରୀ, ପାଳଙ୍ଗ, କାଜୁ ବାଦାମ, ଗାଈ କ୍ଷୀର, ଦହି, ମସୁର ଡାଲି ଏବଂ ଓଟ୍ସ ଇତ୍ୟାଦି।
୯. ଅଧିକ ବାୟୁ ଚଳାଚଳ, ଅଧିକ ଥଣ୍ଡା , ବାୟୁର ଆର୍ଦ୍ରତା ଏବଂ ଅଳ୍ପ ସ୍ଥାନରେ ଅଧିକ ଗହଳି କରୋନା ସଂକ୍ରମଣ ହାର ବଢାଇଥାଏ, ଏଣୁ ଏସବୁ ସ୍ଥାନରୁ ଦୂରେଇ ରହନ୍ତୁ।
୧୦. ନିୟମିତ ଆବଶ୍ୟକ ପରିମାଣରେ ବ୍ୟାୟାମ ଶରୀରକୁ ଅଧିକ ପ୍ରତିରୋଧ ଶକ୍ତି ଯୋଗାଇ ଦେଇଥାଏ, କିନ୍ତୁ ଅଧିକ ପରିଶ୍ରମ କଲେ ଶରୀର କ୍ଲାନ୍ତ ହୋଇଥାଏ ଓ ଏଥିରେ ରୋଗ ପ୍ରତିରୋଧ ଶକ୍ତି କମିଥାଏ।

 

 କରୋନା ରୋଗ ମୁକ୍ତ ଶିଶୁଙ୍କ ଭବିଷ୍ୟତ କ’ଣ ହୋଇପାରେ ?

୧. ଦୀର୍ଘ ଦିନ ଧରି କାଶ ଲାଗି ରହିବା, ଗଳା ଖସ ଖସ ହେବା ଓ ଦୁର୍ବଳ ଲାଗିବା।
୨. ହୃଦ ରୋଗ
୩. ମାନସିକ ରୋଗ
୪. ବାରମ୍ବାର ଡାକ୍ତରଖାନାରେ ଭର୍ତି ହେବା
୫. ବହୁଦିନ ଧରି ଶରୀରରେ ଦୁର୍ବଳତା ଲାଗି ରହିବା
୬. ଦେହ ହାତ ଦରଜ ଲାଗିରହିବା ଓ ଛୁଂଚି ଫୋଡିହେଲାପରି ଲାଗିବା ଏବଂ ଛାତି ଧଡ ଧଡ ହେବା
୭. ନିଶ୍ୱାସ ନେବାରେ କଷ୍ଟ ହେବା ଓ ଅଳ୍ପ ବାଟ •ଲିଲେ ଧଇଁ ସଇଁ ଲାଗିବା
୮. ମାନସିକ ଅଶାନ୍ତି, ବ୍ୟଗ୍ରତା, ନିଦ ନ ହେବା ବା ଅନିଦ୍ରା ରହିବା, କଥାବାର୍ତା କରି ନ ପାରିବା, ଜଲଦି ମରିଯିବାର ଭୟ ଇତ୍ୟାଦି।
୯. ଅନିଦ୍ରା, ପାଗଳାମି ଓ ମାନସିକ ଅସ୍ଥିରତା
୧୦. ଜୀବନର ମୂଲ୍ୟବୋଧ ନଷ୍ଟ ହେବା, ଜୀବିକା ପାଇଁ ବ୍ୟର୍ଥ ହେବା, ସାମାଜିକ କୁସଂସ୍କାର ହେତୁ ଅଛୁଆଁ ପରିଗଣିତ ହେବାରୁ ହୀନମନ୍ୟତା

 

ଡାକ୍ତର ଅରବିନ୍ଦ ମହାନ୍ତି
ଶିଶୁରୋଗ ବିଶେଷଜ୍ଞ
ଫୋନ୍ ନମ୍ବର-୯୪୩୭୦୦୮୦୦୦

Comments
Loading...