କୋଭିଡ୍‌ ହସ୍ପିଟାଲ୍‌ରୁ ଖସି ଆସିଲେ ବୃଦ୍ଧ

କାବୁ କଲେ ସ୍ଥାନୀୟ ଲୋକେ, ଉଦ୍ଧାରକାରୀ ଯୁବକ ଭର୍ତ୍ତି ହେଲେ ହସ୍ପିଟାଲ୍‌ରେ

ଭୁବନେଶ୍ବର : ଏମ୍‌ସ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଜଣେ ବୃଦ୍ଧଙ୍କ କରୋନା ପଜିଟିଭ୍‌ ବାହାରିଥିଲା। ତେବେ ତାଙ୍କୁ ତୁରନ୍ତ ସମ୍‌ କୋଭିଡ଼ ହସ୍ପିଟାଲ୍‌କୁ ଶୁକ୍ରବାର ଅପରାହ୍ଣରେ ସ୍ଥାନାନ୍ତର କରାଯାଇଥିଲା। ବୃଦ୍ଧଙ୍କ ଚିକିତ୍ସା ନେଇ ଆଡ଼ମିସନ୍‌ ସମ୍ବନ୍ଧୀୟ କାଗଜପତ୍ର ପ୍ରସ୍ତୁତି ଚାଲିଥିବାବେଳେ ସେ ହସ୍ପିଟାଲ୍‌ରୁ ବାହାରି ଚାଲି ଆସିଥିଲେ। ତାଙ୍କୁ ହସ୍ପିଟାଲ୍‌ର କିଛି କର୍ମଚାରୀ ପିଛା କରିଥିଲେ। ଯେହେତୁ ସେ କରୋନା ପଜିଟିଭ୍‌ ତେଣୁ ସେମାନେ ତାଙ୍କୁ କାବୁ କରିବାକୁ ସାହସ କରୁ ନ ଥିଲେ। କଳିଙ୍ଗ ଷ୍ଟୁଡିଓ ଛକରେ ହସ୍ପିଟାଲ୍‌ କର୍ମଚାରୀ ତାଙ୍କ ବାଟ ଓଗାଳି ଥିଲେ। ହେଲେ ବୃଦ୍ଧ ଜଣକ ହସ୍ପିଟାଲ୍‌କୁ ଫେରି ଯିବାକୁ ନାଚାର ଥିଲେ। ଏସବୁ ଦେଖି କଳିଙ୍ଗ ଷ୍ଟୁଡିଓ ଛକରେ ଥିବା ୩ଜଣ ଯୁବକ ବୃଦ୍ଧଙ୍କ ଗୋଡ଼ ଓ ହାତକୁ ଏକ ଗାମୁଛାରେ ବାନ୍ଧି ପକାଇଥିଲେ। ଏହାର କିଛି ସମୟ ପରେ କୋଭିଡ୍‌ ହସ୍ପିଟାଲ୍‌ର ଏକ ଭ୍ୟାନ୍‌ ଏବଂ ପିପିଇ କିଟ୍‌ ପରିଧାନ କରିଥିବା କର୍ମଚାରୀ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଉଠାଇ ଆମ୍ବୁଲାନ୍ସରେ ଭର୍ତ୍ତି କରି ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ତେବେ ଯେଉଁ ୩ ଜଣ ଯୁବକ ଉକ୍ତ ବୃଦ୍ଧଙ୍କୁ କାବୁ କରି ବାନ୍ଧି ପକାଇଥିଲେ ସେମାନଙ୍କୁ ମଧ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। କଳିଙ୍ଗ ଷ୍ଟୁଡିଓ ଛକରେ ବୃଦ୍ଧଙ୍କ ହାତଗୋଡ଼ ବନ୍ଧା ହୋଇ ରାସ୍ତାକଡ଼ରେ ପଡ଼ିଥିବା ଦେଖି ଲୋକମାନେ ଦେଖଣାହାରୀ ସାଜିଥିଲେ। ଯେତେବେଳେ କୋଭିଡ଼ ହସ୍ପିଟାଲରୁ ବୃଦ୍ଧ ଜଣକ ଖସି ଆସିଥିବା ଜାଣିଲେ, ଲୋକେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଦୂରରୁ ଠିଆ ହୋଇ ଏହାକୁ ଦେଖୁଥିଲେ। କିଛି ଲୋକ ଏହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଥିବା ଦେଖାଯାଇଥିଲା। ଏହି ଘଟଣା ପରେ କୋଭିଡ଼ ହସ୍ପିଟାଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.