ଇଫ୍‌କୋ ପ୍ରତିଷ୍ଠା କରିବ ୪ ଅମ୍ଳଜାନ ପ୍ରସ୍ତୁତି କାରଖାନା

ଗୁଜରାଟ, ଓଡ଼ିଶାରେ ଗୋଟିଏ ଲେଖାଏଁ ; ଉତ୍ତର ପ୍ରଦେଶରେ ଦୁଇଟି

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ଚିକତ୍ସା ପାଇଁ ଅତ୍ୟନ୍ତ ଜରୁରୀ ଅମ୍ଳଜାନ ସଙ୍କଟର ସମାଧାନ ପାଇଁ ‘ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର କୋପରେଟିଭ୍‌ ଲିମିଟେଡ୍‌’ (ଇଫ୍‌କୋ) ଆଗେଇ ଆସିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ନିଜର ସାର କାରଖାନାଗୁଡ଼ିକରେ ଅମ୍ଳଜାନ ପ୍ରସ୍ତୁତି କାରଖାନା ପ୍ରତିଷ୍ଠା ପାଇଁ ଏହା ନିଷ୍ପତ୍ତି ନେଇଛି। ଇଫ୍‌କୋ ପରିଚାଳନା ନିର୍ଦେଶକ ଡ. ୟୁ.ଏସ୍‌ ଅବସ୍ତି ସୋମବାର କେନ୍ଦ୍ର ସରକାରଙ୍କୁ ଏହା ଜଣାଇଛନ୍ତି। ଇଫ୍‌କୋ ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ଏହାର ପ୍ରଥମ ଅମ୍ଳଜାନ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଗୁଜରାତର କଲୋଲଠାରେ ଥିବା ସାର କାରଖାନା ପରିସରରେ ଆରମ୍ଭ କରିଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ଏଥିରୁ ଦୈନିକ ୩୩,୦୦୦ ଲିଟର ଅମ୍ଳଜାନ ଉତ୍ପାଦନ ହେବା ସହ ୭୦୦ ସିଲିଣ୍ଡର ପ୍ରସ୍ତୁତ କରାଯାଇପାରିବ ବୋଲି ଅବସ୍ତି କହିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅଧିକ ୩ଟି ଅମ୍ଳଜାନ କାରଖାନା ପ୍ରତିଷ୍ଠା ପାଇଁ ଇଫ୍‌କୋ ଲକ୍ଷ୍ୟ ରଖିଛି। ସେଥିମଧ୍ୟରୁ ଗୋଟିଏ ଓଡ଼ିଶାର ପାରାଦ୍ବୀପ ଓ ଅନ୍ୟ ଦୁଇଟି ଉତ୍ତର ପ୍ରଦେଶର ଅଁଳା ତଥା ଫୁଲପୁରଠାରେ ପ୍ରତିଷ୍ଠା ହେବ। ଏଠାରୁ ଉତ୍ପାଦିତ ଅମ୍ଳଜାନକୁ ଇଫ୍‌କୋ ବିନା ମୂଲ୍ୟରେ କରୋନା ଡାକ୍ତରଖାନାଗୁଡ଼ିକୁ ଯୋଗାଇଦେବ ବୋଲି ଅବସ୍ତି କହିଛନ୍ତି।

Comments are closed.