ରାଜ୍ୟବାସୀଙ୍କୁ ସରକାରଙ୍କ ପରାମର୍ଶ: ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ; ବାହାରକୁ ଆଣନ୍ତୁ, ନିଜେ ବଞ୍ଚିବେ ଓ ଅନ୍ୟମାନଙ୍କୁ ବଞ୍ଚାଇବେ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପାଇଁ ପ୍ରତ୍ୟେକ ରାଜ୍ୟବାସୀଙ୍କ ଜୀବନ ହେଉଛି ବହୁ ମୂଲ୍ୟବାନ। ସେଥିପାଇଁ, ରାଜ୍ୟ ସରକାର ରାଜ୍ୟର ଗ୍ରାମାଞ୍ଚଳ ସବୁ ଘର ଏବଂ ସହରାଞ୍ଚଳର ପ୍ରତ୍ୟେକ ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଓ କରୋନା ଲକ୍ଷଣର ପରୀକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି, ଏହା ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ସମୟରେ ରାଜ୍ୟର ଆଶାଦିଦି ଓ ଏଏନ୍‌ଏମ୍‌ ଦିଦିମାନେ ଘରକୁ ଘର ବୁଲି ପ୍ରତ୍ୟେକ ବ୍ୟକ୍ତିର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେମାନଙ୍କ କରେନା ଲକ୍ଷଣ ଚିହ୍ନଟ ପାଇଁ ସର୍ବେକ୍ଷଣ କରିବେ। ସେହିପରି କୋଭିଡ୍‌ ସାଙ୍ଗକୁ ଅନ୍ୟାନ୍ୟ ବୟସଗତ ବ୍ୟାଧି ଯଥା ଡାଇବେଟିକ୍‌, ହାଇପର୍‌ଟେନ୍‌ସନ୍‌, ଯକ୍ଷ୍ମା ରୋଗ ଆଦି ବିଷୟରେ ସେମାନେ ଅନୁଧ୍ୟାନ କରିବେ। ଯଦି କୌଣସି ବ୍ୟକ୍ତିଙ୍କ ଲକ୍ଷଣ ଜଣାପଡ଼େ ତାହେଲେ ସେମାନଙ୍କୁ କୋଭିଡ୍‌ କେୟାର୍‌ ସେଣ୍ଟରକୁ ନିଆଯିବ। ସେଠି ପରୀକ୍ଷା କରାଯିବ ଏବଂ ପରୀକ୍ଷାରେ ଯଦି କେହି ପଜିଟିଭ୍‌ ବାହାରନ୍ତି ତାହେଲେ ତାଙ୍କୁ ଚିକିତ୍ସା ପାଇଁ ପଠାଯିବ। କରୋନା ଲକ୍ଷଣ ରହିବା ପରେ ମଧ୍ୟ ଯଦି ନେଗେଟିଭ୍‌ ବାହାରିବ ତାହେଲେ ସେ ଶକ୍ତ ଭାବରେ ଘରେ କ୍ବାରେଣ୍ଟାଇନ୍‌ରେ ରହିବେ। ଘରକୁ ଘର ଅଭିଯାନରେ ଜନସାଧାରଣଙ୍କ ଗୋଟିଏ ବିଶେଷ ଦାୟିତ୍ବ ରହିବ। ସେହି ଦାୟିତ୍ବଟି ହେଲା ଯଦି କରୋନା ଲକ୍ଷଣ ଥିବ ତାହେଲେ ଲୁଚାଇବେ ନାହିଁ। ଲକ୍ଷଣ ନ ଥିବା ମୃତ୍ୟୁବରଣ କରିବା ମଧ୍ୟରେ ଯେଉଁ ସୀମା ରହୁଛି ବର୍ତ୍ତମାନ ବହୁ ଜାଗାରେ ୨୪ଘଣ୍ଟାକୁ ଓହ୍ଲାଇ ଆସିଲାଣି। ତେଣୁ ଲକ୍ଷଣକୁ ବାହାରକୁ ଆଣିବେ, ନିଜେ ବଞ୍ଚିବେ ଓ ଅନ୍ୟମାନଙ୍କୁ ବଞ୍ଚାଇବେ ବୋଲି ରାଜ୍ୟ ସରକାର ପରମର୍ଶ ଦେଇଥବା ମୁଖପାତ୍ର ସୁବ୍ରତ୍ ବାଗ୍‌ଚୀ ସୂଚନା ଦେଇଛନ୍ତି।

Comments are closed.