ଅର୍ଥନୀତିକୁ କରୋନା ମାଡ଼ : ୭ମାସରେ ୭ହଜାର କୋଟି ଋଣ

କମୁଛି ଆୟ, ଧିମେଇଛି ରାଜସ୍ବ

ଭୁବନେଶ୍ବର : କୋଭିଡ଼ ସଂକ୍ରମଣ ହାର କ୍ରମଶଃ କମୁଥିଲେ ହେଁ ରାଜ୍ୟରେ ଆର୍ଥିକ କାର୍ଯ୍ୟକ୍ରମ ଆଶାନୁରୂପ ଭାବେ ଗତିଶୀଳ ହୋଇପାରିନି। ବଜାର ଦର ମହଙ୍ଗା ଯୋଗୁଁ ଲୋକଙ୍କ ଖର୍ଚ୍ଚ (କନଜମ୍ପସନ) କ୍ଷମତା କମି କମି ଯାଉଛି। ରାଜସ୍ବ ସଂଗ୍ରହ ଧିମେଇଛି। ବିକାଶ କାର୍ଯ୍ୟ ପାଇଁ ପୁଞ୍ଜି ସଙ୍କଟ ଦେଖାଦେଇଛି। ଜିଏସଟି କ୍ଷେତ୍ରରୁ ଅର୍ଥ ଭରଣା କମିଥିବାବେଳେ ଏବେ ରାଜ୍ୟ ସରକାରଙ୍କ ପାଖରେ ଏକମାତ୍ର ଭରସା ହେଉଛି ଖଣିଜ କ୍ଷେତ୍ର। ଅବଶ୍ୟ ଏ କ୍ଷେତ୍ରରୁ ରାଜସ୍ବ ସଂଗ୍ରହ ବଢ଼ିଛି। ସେପଟେ ଅନ୍ୟାନ୍ୟ ସୂତ୍ରରୁ ରାଜସ୍ବ କମିଯାଉଥିବାରୁ ରାଜ୍ୟ ସରକାର ବିକାଶ ଧାରା ଜାରି ରଖିବା ଲାଗି ଅନିଚ୍ଛା ସତ୍ତ୍ବେ ବି ଋଣ କରିବାକୁ ବାଧ୍ୟ ହେଉଛନ୍ତି। ବଜେଟରେ ନିଅଣ୍ଟ ଭରଣା ପାଇଁ ପ୍ରାୟ ୨୫ ହଜାର କୋଟି ପର୍ଯ୍ୟନ୍ତ ଋଣ କରିବାର ପ୍ରସ୍ତାବ ଥିବାବେଳେ ଗତ ୭ ମାସ ଭିତରେ ରାଜ୍ୟ ସରକାରଙ୍କ ଋଣ ଭାର ୭ହଜାର କୋଟି ଟପିବାକୁ ବସିଲାଣି। ଆଗକୁ ଆର୍ଥିକ କାର୍ଯ୍ୟକ୍ରମ ଓ ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଋଣ ଛଡ଼ା ଅନ୍ୟ ଗତି ନାହିଁ। ତେବେ ସରକାର ଋଣ ପରିମାଣ ମୋଟ ଘରୋଇ ଉତ୍ପାଦର ୨୫ ପ୍ରତିଶତ ଭିତରେ ତଥା ପୋଷଣୀୟ ସ୍ଥିତିରେ ରଖିବା ପାଇଁ ଅର୍ଥ ବିଭାଗ ଜୋରସୋର କସରତ ଚଳାଇଛି।

ନିକଟରେ ରାଜ୍ୟ ସରକାର ବିଧାନସଭାରେ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହୀତ କରାଇ ନେବା ପରେ ମୋଟ ବଜେଟ ପରିମାଣ ୧ଲକ୍ଷ ୬୧ହଜାର ୨୦୦କୋଟି ଟଙ୍କାକୁ ବଢ଼ିଛି। ଆର୍ଥିକ ବର୍ଷର ୮ମାସ ବିତିଯାଇଥିବାବେଳେ ଆଗାମୀ ୪ ମାସ ସରକାରଙ୍କ ପାଇଁ ଅଗ୍ନିପରୀକ୍ଷାର ସମୟ। କାରଣ ଏହି ସମୟ ଭିତରେ ସରକାରଙ୍କୁ ବାକି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ଏସବୁ ଅର୍ଥ ପାଇଁ ସମାନୁପାତିକ ଭିତ୍ତିରେ ରାଜସ୍ବ ବି ଯୋଗାଡ଼ କରିବାକୁ ହେବ। ହେଲେ ଯାହା ଲକ୍ଷ୍ୟ କରାଯାଉଛି ଏବେ ବଜାର ଅର୍ଥନୀତି ଚଳଚଞ୍ଚଳ ହୋଇପାରୁନି। ବଜାର ଦର ମହଙ୍ଗା ଏବଂ ନିଯୁକ୍ତି ଓ ଆତ୍ମନିଯୁକ୍ତି ଅଭାବରୁ ଅଭାବରୁ ଲୋକଙ୍କ କ୍ରୟଶକ୍ତି ଓ ଜୀବନଧାରଣର ମାନ କ୍ରମେ ତଳକୁ ଖସିବାରେ ଲାଗିଛି। ଏସବୁ ଦୃଷ୍ଟିରୁ ସାମଗ୍ରିକ ଭାବେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରୁ ଆୟ କମୁଥିବାରୁ ଉନ୍ନୟନ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଡ଼ କାଠିକର ପାଠ ହେଲାଣି।

ଜିଏସଟି କ୍ଷେତ୍ରରୁ କେନ୍ଦ୍ର ଯେଉଁ ଅନୁପାତରେ ରାଜ୍ୟକୁ କ୍ଷତିଭରଣା କରିବାର ଆଶା ଥିଲା ତାହା କମୁଥିବାରୁ ଏବେ ସରକାରଙ୍କ ପାଇଁ ବିକଳ୍ପ ପନ୍ଥା ହେଉଛି ଋଣ। ଯେଉଁ ରାଜ୍ୟଗୁଡ଼ିକ ଋଣ ପାଇଁ ସମ୍ମତି ଦେଇଛନ୍ତି ସେମାନଙ୍କ ପାଇଁ ୦.୫୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଅନୁମତି ମିଳିଛି ଏବଂ ଓଡ଼ିଶା ଏ ବାବଦରୁ ୨୮୫୮କୋଟି ଟଙ୍କାର ଋଣ ପାଇଁ ଅନୁମତି ପାଇଛି। ଜିଏସଟି ମିଳିବାରେ ବିଳମ୍ବ କାରଣରୁ ଖର୍ଚ୍ଚ ଭରଣା ସକା​‌ଶେ କେନ୍ଦ୍ର ସରକାର ରାଜ୍ୟ ଓ ​‌କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ପାଇଁ ସ୍ବତନ୍ତ୍ର ବରୋଇଙ୍ଗ ଉଇଣ୍ଡୋ ପ୍ରତିଷ୍ଠା କରିଥିବାବେଳେ ଏହା ଗତ ଅକ୍ଟୋବର ୨୩ରୁ କାର୍ଯ୍ୟକାରୀ ହୋଇଛି ଏବଂ ଭାରତ ସରକାର ଏ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ପକ୍ଷରୁ ୩୦ହଜାର କୋଟି ଟଙ୍କା ଋଣ କରିସାରିଲେଣି। ରାଜ୍ୟଗୁଡ଼ିକୁ ସେମାନଙ୍କ ମୋଟ ଘରୋଇ ଉତ୍ପାଦର ୨ପ୍ରତିଶତ ପର୍ଯ୍ୟନ୍ତ ଋଣ ପାଇଁ ପୂର୍ବରୁ ଅନୁମତି ମିଳିଥିବାବେଳେ ଓଡ଼ିଶା ସରକାର ନିଅଣ୍ଟିଆ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଋଣ କରିବା ବିଷୟରେ ଚିନ୍ତା କରୁଛନ୍ତି।

ଗତ ମାସରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷର ୭ମାସ ଭିତରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଢ଼ ଲକ୍ଷ କୋଟିର ବଜେଟରୁ ଗତ ଅକ୍ଟୋବର ଶେଷ ସୁଦ୍ଧା ଖର୍ଚ୍ଚ ହୋଇଛି ୫୧ହଜାର କୋଟି ଟଙ୍କ। ହେଲେ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ମାତ୍ର ୨.୨୭ପ୍ରତିଶତ ବଢ଼ିଛି। କରୋନା ପାଇଁ ଲକଡାଉନ ଓ ସଟଡାଉନ ଭିତରେ ଅାର୍ଥିକ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଛି। ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷସୁଦ୍ଧା ଅଣଟିକସ ରାଜସ୍ୱ ବାବଦରେ ୧୦,୪୫୧ କୋଟି ୭୮ଲକ୍ଷ ଟଙ୍କା ଆଦାୟ ହୋଇଥିବାବେଳେ କେବଳ ଖଣି କ୍ଷେତ୍ରରୁ ୭୩୬୭କୋଟି ୮୦ ଲକ୍ଷ ଟଙ୍କା ମିଳିଛି। ଗତବର୍ଷର ଏହି ସମୟ ତୁଳନାରେ ଏହା ପ୍ରାୟ ୫୦୦ କୋଟି ଟଙ୍କା ଅଧିକ।

ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟକୁ ମିଳିଥିବା ମୋଟ୍‍ ଟିକସ ପରିମାଣ ୬୦,୨୧୯ କୋଟି ଟଙ୍କାରେ ପହଞ୍ଚିଛି। ଏଥି ମଧ୍ୟରେ ନିଜସ୍ୱ ଟିକସ ବାବଦରେ ୧୮,୯୨୨କୋଟି ୫୫ଲକ୍ଷ ଟଙ୍କା, ଅଣ ଟିକସ ବାବଦରେ ୧୦,୪୫୧କୋଟି ୭୮ଲକ୍ଷ ଟଙ୍କା, ଅଂଶଧନ ଟିକସ ବାବଦରେ ୧୫,୭୪୯କୋଟି ୭୩ଲକ୍ଷ ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ୧୫,୩୬୫କୋଟି ଟଙ୍କା ମିଳିଛି। ତେବେ ମିଳିଥିବା ମୋଟ ଅର୍ଥର ପରିମାଣ ଗତ ଆର୍ଥିକ ବର୍ଷର ଏହି ସମୟ ଅପେକ୍ଷା ପ୍ରାୟ ୬ହଜାର କୋଟି ଟଙ୍କା କମ୍‍ ରହିଛି।
ନିକଟରେ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରଖିଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୨୪,୪୫୦କୋଟି ଟଙ୍କା ଋଣ କରିବାକୁ ଲକ୍ଷ୍ୟ ରଖିଥିଲେ। ଗତ ସେପ୍ଟେମ୍ବର ସୁଦ୍ଧା ୬,୩୩୦କୋଟି ଟଙ୍କା ଋଣ କରାଯାଇଛି। କୋଭିଡ଼ ଯୋଗୁଁ ଅଭିବୃଦ୍ଧି ବାଧା ପାଇବା ସହିତ କେନ୍ଦ୍ରରୁ ରାଜ୍ୟର ପ୍ରାପ୍ୟ କମିବ ଏବଂ ନିଜସ୍ବ ଟିକସ ଅଣଟିକସ ସଂଗ୍ରହ ମଧ୍ୟ ହ୍ରାସ ପାଇବ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି।

ଅନ୍ୟପକ୍ଷରେ କୋଭିଡ଼ ମାଡ଼ରେ କେନ୍ଦ୍ରୀୟ ଅନୁଦାନ କ୍ରମାଗତ ଭାବେ କମିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ କେନ୍ଦ୍ରଠାରୁ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦରେ ୩୬,୨୯୯.୭୪ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୨,୦୦୦.୨୬କୋଟି ମିଳିବ ବୋଲି ବଜେଟରେ ଆକଳନ କରିଥିଲେ। ଗତ ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦରେ ୧୨,୦୩୨.୭୦କୋଟି ଟଙ୍କା ମିଳିଛି। ଏହା ଗତବର୍ଷର ଅନୁରୂପ ସମୟ ତୁଳନାରେ ୧୬.୭୧ପ୍ରତିଶତ କମ ଅଟେ। ସେହିପରି କେନ୍ଦ୍ରୀୟ ଅନୁଦାନ ବାବଦକୁ ସେପ୍ଟେମ୍ବର ସୁଦ୍ଧା ୧୨,୧୫୯.୮୫ଟଙ୍କା ମିଳିଛି ଯାହା ଗତ ବର୍ଷ ତୁଳନାରେ ୮.୪୪ପ୍ରତିଶତ କମ ଅଟେ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଜସ୍ବ ଟିକସ ଓ ଅଣଟିକସ ବାବଦକୁ ୩୮,୩୫୦କୋଟି ଟଙ୍କା ଓ ଅଣଟିକସ ବାବଦକୁ ୧୭,୬୫୦କୋଟି ଟଙ୍କା ମିଳିବ ବୋଲି ଆକଳନ କରିଥିଲେ। ତେବେ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ସୁଦ୍ଧା ନିଜସ୍ବ ଟିକସ ବାବଦକୁ ୧୩,୪୧୦.୭୬କୋଟି ଓ ଅଣଟିକସ ବାବଦରେ ୮,୨୬୮.୭୪କୋଟି ଟଙ୍କା ମିଳିଛି।

Comments are closed.