ରାଜ୍ୟ ସରକାରଙ୍କ ଡିସେମ୍ବର ମାସ ପାଇଁ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଜାରି

ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ୍‌ ଉପରେ ଗୁରୁତ୍ବ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ମାସ ପାଇଁ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ୍‌ ଉପରେ ରାଜ୍ୟ ସରକାରଙ୍କ ଡିସେମ୍ବର କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ରେ ଗୁରୁତ୍ବ ଦିଆଯାଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶ ବାହାରକୁ ବିମାନ ଯାତ୍ରା ମନା କରାଯାଇଥିବାବେଳେ ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଗହଳିକୁ ମଧ୍ୟ ସରକାର ମନା କରିଛନ୍ତି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କରାଯାଇପାରିବ। ତେବେ ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନ୍‌ମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିବେ ବୋଲି ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।

ହଲ୍‌ର ୫୦% କ୍ଷମତାରେ ସର୍ବାଧିକ ଶହେଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନୀ। ଏ ବର୍ଷ ତୋଷାଳି ଓ ଶିଶିର ମେଳା କରାଯିବ ନାହିଁ। ବାହାଘର ଉତ୍ସବରେ ସର୍ବାଧିକ ୨ଶହ ବ୍ୟକ୍ତିଙ୍କୁ ସର୍ତ୍ତମୂଳକ ଅନୁମତି ମିଳିବ। ଅ​‌େ​‌ନ୍ତ୍ୟଷ୍ଟି କ୍ରିୟାରେ ସର୍ବାଧିକ ୫୦ଜଣଙ୍କୁ ଅନୁମତି ଦିଆଯିବ। ବିବାହ ଏବଂ ଅ​‌େ​‌ନ୍ତ୍ୟଷ୍ଟି କାର୍ଯ୍ୟରେ ହଲ୍‌ର ୫୦% କ୍ଷମତାରେ ଅନୁମତି ପ୍ରଦାନ କରାଯିବ। ବିବାହ, ଅ​‌େ​‌ନ୍ତ୍ୟଷ୍ଟିକ୍ରିୟା କାର୍ଯ୍ୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଆବଶ୍ୟକ।
ରାଜ୍ୟରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ସ୍କୁଲ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଏବଂ ଏସ୍‌ଓପି ଜାରି କରି ସ୍କୁଲ ଖୋଲିବାକୁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ସେହିପରି ରାଜ୍ୟରେ କଲେଜ, ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ। ଇଞ୍ଜିନିୟରିଂ କଲେଜ ଏବଂ ବୈଷୟିକ ଖୋଲିବା ନିଷ୍ପତ୍ତି ନେବ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ। ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ୬୫ବର୍ଷରୁ ଅଧିକ ବୟସ, ୧୦ବର୍ଷରୁ କମ୍, ଗର୍ଭବତୀ ମହିଳା ଏବଂ ବିଭିନ୍ନ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି।

ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦେଶାବଳୀ ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବଳବତ୍ତର ରହିବ। ଏହି ନିର୍ଦେଶାବଳୀରେ ସମସ୍ତ ସ୍କୁଲକଲେଜ, ଅଙ୍ଗନବାଡ଼ି କେନ୍ଦ୍ର, ସିନେମା ହଲ ଓ ସୁଇମିଂ ପୁଲ୍ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ତେବେ ରିସର୍ଚ୍ଚ ସ୍କଲାର ଏବଂ ପ୍ରାକ୍ଟିକାଲ୍‌ ଥିବା ପିଜି ଡିପାର୍ଟମେଣ୍ଟ ଛାତ୍ରଛାତ୍ରୀଭ୍କ ପାଇଁ କଲେଜ ଏବଂ ବିଶ୍ବବିଦ୍ୟାଳୟ ଖୋଲାରହିବ।
ରାଜ୍ୟ ଭିତରେ ଏବଂ ଅନ୍ତରାଜ୍ୟ ଯିବା ଆସିବାରେ କୌଣସି କଟକଣା ଜାରି କରାଯାଇନାହିଁ। କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ବୃହତ ରାଜନୈତିକ, ବ୍ୟବସାୟିକ, ଧାର୍ମିକ, ସାଂସ୍କୃତିକ ଓ କ୍ରୀଡ଼ା ସମାବେଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି ରାଜ୍ୟ ସରକାର।

Comments are closed.