୭କୁ ବଢ଼ିଲା ସଂକ୍ରମଣ ପ୍ରବଣ ରାଜ୍ୟ, ସତର୍କ ନ ହେଲେ ଭୟାବହ ହେବ ସ୍ଥିତି

ଦେଶରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା ସାମଗ୍ରିକ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ୭ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସେହି ରାଜ୍ୟଗୁଡ଼ିକ ହେଉଛି – ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜୁରାଟ୍ ଓ ମଧ୍ୟପ୍ରଦେଶ। ଦେଶର ମୋଟ୍ ସଂକ୍ରମଣର ୮୭.୭୩ ପ୍ରତିଶତ ଏହି ୭ଟି ରାଜ୍ୟରୁ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ୨୦୩ଟି ନୂଆ ସଂକ୍ରମଣ ଏହି ରାଜ୍ୟଗୁଡ଼ିକରୁ ରିପୋର୍ଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୫ ହଜାର ୬୦୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେରଳରେ ୨ ହଜାର ୩୫, ପଞ୍ଜାବରେ ୧୫ ଶହ ୧୦, କର୍ଣ୍ଣାଟକରେ ୯୨୧, ଗୁଜୁରାଟରେ ୭୭୫, ତାମିଲନାଡ଼ୁରେ ୬୯୫ ଏବଂ ମଧ୍ୟପ୍ରଦେଶ ୬୭୫ ଜଣ ଚିହ୍ନଟ ହୋଇଛନ୍ତି।
ଅନ୍ୟ ପକ୍ଷରେ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବି କରୋନା ଜନିତ ମୃତ୍ୟୁ ହୋଇ ନ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।