କୋଭିଡ୍-୧୯ ମୁକାବିଲା : ଜୁନ୍‌ ସୁଦ୍ଧା ୨ ଲକ୍ଷ ହେକ୍ଟର ଅଞ୍ଚଳରେ ହେବ ବୀନକରଣ

ଭୁବନେଶ୍ୱର : କୋଭିଡ୍‌-୧୯ ପରିସ୍ଥିତିରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଜନଜାତି ଏବଂ ଅନ୍ୟମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନର୍ସରୀ ଚାରା ପ୍ରସ୍ତୁତି ଓ ବ୍ୟାପକ ବନୀକରଣ ପାଇଁ ପଦକ୍ଷେପ ନିଆଯାଇଛି। ଚଳିତ ଜୁନ୍‌ ମାସ ସୁଦ୍ଧା ୨ ଲକ୍ଷ ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରାୟ ୬ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ସାମୟିକ କର୍ମଚାରୀମାନଙ୍କୁ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି।

୨୦୧୯-୨୦ ରବି ଋତୁ ପାଇଁ ଆସନ୍ତା ମଇ ମାସ ୭ ତାରିଖ ଠାରୁ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ। ଏହି ସଂଗ୍ରହ କାର୍ଯ୍ୟ ଅଗଷ୍ଟ ମାସ ୫ ତାରିଖ ପର୍ୟ୍ୟନ୍ତ ଚାଲିବ। ‘ମାର୍କଫେଡ୍‌’, ଓଡ଼ିଶା ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି/ଲ୍ୟାମ୍ପ୍ସ୍‌/ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହି ସଂଗ୍ରହ କାର୍ଯ୍ୟ କରାଯିବ। ସର୍ବାଧିକ ୧୪୧୨୧ ମେଟ୍ରିକ୍‌ ଟନ୍‌ ମୁଗ, ୫୪୨୫ ମେଟ୍ରିକ୍‌ ଟନ୍‌ ଚିନାବାଦାମ ଓ ୮୭୫୦ ମେଟ୍ରିକ୍‌ ଟନ୍‌ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯିବ। ସମସ୍ତ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ରାଜ୍ୟର ନୂଆପଡା, ବାଲେଶ୍ୱର, କଟକ, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ବରଗଡ, ଯାଜପୁର, ଖୋର୍ଦ୍ଧା ଓ କେନ୍ଦୁଝର ଆଦି ୧୬ଟି ଜିଲ୍ଲାରୁ କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ କ୍ରୟ କରାଯିବ।

କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଡ.ମୋନା ଶର୍ମା ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.