କୋଭିଡ଼-୧୯ ଆତଙ୍କ ସତଲମାକୁ ଘାରିଲା

ବରପାଲି : ବରପାଲି ବ୍ଲକ ସତଲମା ମନୋହରପଡ଼ାକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ ସମଗ୍ର ସତଲମାସ ଗ୍ରାମକୁ ବଫର୍ସ ଜୋନ ମଧ୍ୟ ଜାରି ହୋଇଯାଇଛି। ମଙ୍ଗଳବାର ପୁର୍ବାହ୍ନରେ ମନୋହରପଡ଼ା ମୂଖ୍ୟ ରାସ୍ତାକୁ ବାଡ଼ ଦେଇ ବନ୍ଦ ରଖାଯିବା ସହିତ ଅଞ୍ଚଳବାସୀଙ୍କୁ ଯାତାୟତ ପାଇଁ ବାରଣ କରାଯାଇଥିଲା। କୋଭିଡ଼-୧୯ ପୀଡ଼ିତା ଚିହ୍ନଟ ଯୋଗୁ ଗତ ମେ ୨୮ତାରିଖ ବାରଗୁଡ଼ା ଓ ଗତ ସୋମବାର ବରପାଲି ଅମ୍ବାପାତ୍ରା ରାସ୍ତାକୁ ରେଡ଼ ଜୋନରେ ରଖାଯାଇଥିବାବେଳେ ଆଜି ସତଲମା ମନହୋରପଡ଼ା ସାମିଲ ହେଲା।

ସୂଚନା ଅନୁଯାୟୀ, ମନୋହରପଡ଼ାରେ ରେଶମର ଜଣେ ୪୦ବର୍ଷୀୟ ଯୁବକ ନିଜ ଶଶୁରଘରେ ଅସ୍ଥାୟୀ ଭାବରେ ରହୁଥିବାବେଳେ ନିଜ ସମ୍ପର୍କିୟଙ୍କ ସଂସ୍ପର୍ଶରେ ଆସି କୋଭିଡ଼-୧୯ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। କିଛିଦିନ ପୁର୍ବରୁ ତାଙ୍କର ସ୍ୱାସ୍ଥ୍ୟରେ ଜ୍ୱର ଓ ଥଣ୍ଡାଜନିତ ରୋଗର ଉପକ୍ରମ ମାନ ଜଣାପଡ଼ିଲା ପରେ ତାଙ୍କୁ ପ୍ରଥମେ ସ୍ଥାନିୟ ଡ଼ାକ୍ତରଖାନା ଓ ପରେ ବୁର୍ଲାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାବ୍‍ ଓ ରକ୍ତ ନମୁନା ପରୀକ୍ଷା ହେଲାପରେ ଯୁବକ ଜଣକ କରୋନା ପୀଡ଼ିତ ବୋଲି ସ୍ପଷ୍ଟ ହୋଇଥିଲା। ଆଜି ଖବରଟି ଜଣାପଡ଼ିଲା ପରେ ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ଅକ୍ଷୟ ବାଗ, ବିଡ଼ିଓ ତିବିକ୍ରମ କୁମୁଡ଼ା, ସରପଞ୍ଚ ସୁବଳ ସାହୁ, କୋଭିଡ଼ ନୋଡ଼ାଲ ଅଧିକାରୀ ସମିର ପାଣିଗ୍ରାହୀ ଓ ବିଜୟପଲ୍ଲୀ ଫାଣ୍ଡି ଅଧିକାରୀ ସୁଦର୍ଶନ ପାଣ୍ଡେଙ୍କ ସମେତ ଚିକିତ୍ସା ଦଳ ଗାଁରେ ପହଞ୍ଚିଥିଲେ। ପରେ ସରପଞ୍ଚ ସୁବଳ ସାହୁଙ୍କ ଆହ୍ୱାନ କ୍ରମେ ମଙ୍ଗଳବାର ଅପରାହ୍ନ ୨ଘଣ୍ଟା ସମୟରୁ ଆସନ୍ତା ଗୁରୁବାର ଅପରାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ସତଲମାକୁ ସଟଡ଼ାଉନ ରଖାଯିବା ପାଇଁ ଘୋଷଣା କଲାପରେ ଗ୍ରାମବାସୀମାନଙ୍କୁ ସହଯୋଗ କାମନା କରିଥିଲେ। ସେହିପରି ପ୍ରଶାସନ ଗାଁବାଲାଙ୍କୁ ଅତ୍ୟାବଶ୍ୟକ ସୁବିଧା ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସହାୟତା ଉପଲବ୍ଧ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Comments are closed.