ନ୍ୟାୟାଳୟ ନିର୍ଦ୍ଦେଶ ମାନୁନି କେନ୍ଦ୍ର, ହୋଇପାରେ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ଡାକ୍ତରୀ ଅମ୍ଳଜାନ ଅଭାବ ପୂରଣ ଦିଗରେ ବିଫଳତାକୁ​‌ ନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏହା ସହିତ ଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶକୁ କେନ୍ଦ୍ର ସରକାର ପାଳନ କରି ନଥିବାରୁ ଏହା ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ଧମକ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ମାମଲା ରୁଜୁ ହେବ ନାହିଁ ତାର କାରଣ ଦର୍ଶାଇବାକୁ ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କେନ୍ଦ୍ର ସରକାର ତୁରନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ପାଳନ କରନ୍ତୁ ଓ ଦିଲ୍ଲୀରେ ଅମ୍ଳଜାନ ଅଭାବକୁ ଦୂର କରନ୍ତୁ।

ଏପ୍ରିଲ ୩୦ରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ନିର୍ଦେଶରେ ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ୍‌ ଅମ୍ଳଜାନ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ବେ କେନ୍ଦ୍ର ସରକାର ଦିଲ୍ଲୀକୁ ୪୩୩ ମେଟ୍ରିକ ଟନ୍ ଅମ୍ଳଜାନ ଯୋଗାଇ ଦେଇଥିଲେ। ଦିଲ୍ଲୀକୁ ଅଧିକ ଅମ୍ଳଜାନ ଆବଶ୍ୟକତା ନଥିବା ସରକାର କହିଥିଲେ। ସରକାରଙ୍କ ଏପରି ମନ୍ତବ୍ୟକୁ ନେଇ ଉଚ୍ଚ ନ୍ୟାୟାଳୟ କଡା ଭର୍ତ୍ସନା କରିଥିଲେ। ଏହା ସହିତ କରୋନା ମହାମାରୀ ମୁକାବିଲା ଦିଗରେ ସେନା ମୁତୟନ ନେଇ ସରକାର କି ପ୍ରକାର ବ୍ୟବସ୍ଥା କରିଛନ୍ତି ତାହା ଜଣାଇବାକୁ ଉଚ୍ଚ ନ୍ୟାୟାଳୟ କହିଛନ୍ତି।

Comments are closed.