ଭାବନା ଆଦାନ ପ୍ରଦାନ ବିନା ବିବାହ ଏକ ଆଇନଗତ ବନ୍ଧନ

ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀ’ଙ୍କୁ ଆଇନଗତ ବନ୍ଧନରେ ବାନ୍ଧି ରଖିବା ତାଙ୍କ ଠାରୁ ପୂର୍ଣ୍ଣ ଜୀବନ ଜିଇଁବାର ସୁଯୋଗ ଛଡ଼େଇ ନେବା ଭଳି ହେବ। ଏହି ବୈବାହିକ ବନ୍ଧନକୁ ଜାରି ରଖିବା ଆବେଦନକାରୀଙ୍କ ପାଇଁ ଅତ୍ୟଧିକ ମାନସିକ କ୍ରୁରତା ହେବ। ଏକ ମାମଲାରେ ମହିଳାଙ୍କୁ ଛାଡ଼ପତ୍ରର ମଞ୍ଜୁର କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି। ଅଦାଲତ ନିଜ ଟିପ୍ପଣୀରେ କହିଛନ୍ତି ଯେ, ସମସ୍ତ ଭାବନାର ଆଦାନ ପ୍ରଦାନ ବିନା ବିବାହ କେବଳ ଏକ ଆଇନଗତ ବନ୍ଧନ ତଥା ବାଧ୍ୟବାଧକତା ହିଁ ହେବ। ବିଚାରପତି ବିପିନ ସାଙ୍ଘି ଓ ବିଚାରପତି ଜଶ୍‌ମିତ ସିଂହଙ୍କ ମିଳିତ ଖଣ୍ଡପୀଠ ପାରିବାରିକ ଅଦାଲତର ଛାଡ଼ପତ୍ରକୁ ମଞ୍ଜୁର ନ କରିବା ନିଷ୍ପତ୍ତିକୁ ରବ୍ଦ କରିଛନ୍ତି। ଅଦାଲତ କହିଛନ୍ତି ପରସ୍ପର ଛାଡ଼ପତ୍ର ନେବା ପରେ ସେମାନେ ପୁଣି ଏକ ନୂଆ ଜୀବନ ଆରମ୍ଭ କରିପାରିବେ। ତେଣୁ ଏଦିଗରେ ପ୍ରତିବନ୍ଧକ ସୃଷ୍ଟି ନ କରିବା ଉଚିତ।

ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି କହିଥିଲେ ଯେ, ବିବାହର ଉଦ୍ଦେଶ୍ୟ ଦୁଇଟି ଆତ୍ମାର ମିଳନ। ଦୁଇଟି ଆତ୍ମାକୁ ଗୋଟିଏ କରିବା। ଯାହା ଜୀବନ ନାମକ ସାହସିକ ଯାତ୍ରା ଉପରେ ପର୍ଯ୍ୟବସିତ। ସେମାନେ ପରସ୍ପର ଭିତରେ ଅନୁଭବ, ହସଖୁସି, ଦୁଃଖ, ଉପଲବ୍ଧି ଓ ସଂଘର୍ଷକୁ ବାଣ୍ଟି ନେଇଥାନ୍ତି। ଉଭୟ ନିଜର ଭାବନାତ୍ମକ, ମାନସିକ ଓ ଭୌତିକ ଉପସ୍ଥିତି ସହ ଜୀବନ ଅତିବାହିତ କରିଥାନ୍ତି। ଜୀବନର ଏହି ଯାତ୍ରାରେ ସେମାନେ ବ୍ୟକ୍ତିଗତ, ସାମାଜିକ ଓ ଆଧ୍ୟାତ୍ମିକ ବନ୍ଧନର ଦୃଢ ନିର୍ମାଣ କରନ୍ତି। ସ୍ମୃତି ରୋମନ୍ଥନ ସହ ଭବିଷ୍ୟତର ଯୋଜନା କରିଥାନ୍ତି। ଯାହା ମାଧ୍ୟମରେ ସେମାନେ ସମାଜରେ ପରସ୍ପରିକ ସ୍ନେହ, ସହଯୋଗ ଓ ଏକ ସୌହାର୍ଦ୍ଧ୍ୟର ବାତାବରଣ ଭିତରେ ବଞ୍ଚିଥାନ୍ତି।

ଏହି ମାମଲାରେ ଉଭୟ ପକ୍ଷ ବିବାହ ପରେ ମାତ୍ର ଅଳ୍ପ କିଛି ସମୟ ସାଥିରେ ରହିଛନ୍ତି। ପତି ଜଣକ କେବଳ ଜଣେ ଅସ୍ଥାୟୀ ସାଥି ରୂପେ ବ୍ୟବହାର କରିବା ପାଇଁ ନିଜ ପତ୍ନୀଙ୍କ ସହ ଜଣେ ବାହାର ମହିଳା ଭଳି ବ୍ୟବହାର ଓ ଆଚରଣ କରିଛନ୍ତି। ପତ୍ନୀ ଶିକ୍ଷିତ ଓ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ। ୧୧ବର୍ଷର ସମୟ ଅବଧିରେ ଉଭୟ କିଛି ଦିନ ସାଥିରେ ରହିଛନ୍ତି। ସ୍ବାମୀ ଜଣକ ସ୍ତ୍ରୀଙ୍କ ପ୍ରତି ଉଦାସୀନ ଓ ନିଷ୍କ୍ରିୟ ମନୋଭାବ ପ୍ରଦର୍ଶନ କରିଆସିଛନ୍ତି। ବିବାହ ରକ୍ଷା କରିବା ତାଙ୍କର ପ୍ରାଥମିକତା ନଥିଲା ବୋଲି ଏହା ଦର୍ଶାଉଥିବା ଅଦାଲତ କହିଛନ୍ତି। ସ୍ବାମୀଙ୍କ ଏଭଳି ଆଚରଣ ମଧ୍ୟ ଆବେଦନକାରୀଙ୍କ ଦ୍ୱାରା କରାଯାଇଥିବା ମାନସିକ କ୍ରୁରତାର ଆଧାର। ଏଣୁ ଏହି ବିବାହକୁ ଅଦାଲତ ଖାରଜ କରି ପତ୍ନୀଙ୍କୁ ଏଭଳି ପତିଠାରୁ ଛାଡ଼ପତ୍ର ପ୍ରଦାନ କରିଛନ୍ତି।

Comments are closed.