ଚିଦାମ୍ବରମ୍‍ଙ୍କୁ ହାଜର କରାଇବାକୁ ଜେଲ୍‍ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଏର କରାଯାଇଥିବା ଆଇଏନ୍‍ଏକ୍ସ ମିଡିଆ କଳାଧନ ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମ୍‍ଙ୍କୁ ହାଜର ହେବା ପାଇଁ ପରୱାନା ଜାରି କରିଛନ୍ତି। ଚିଦାମ୍ବରମ୍‍ଙ୍କୁ ତିହାଡ଼ ଜେଲରେ ଜେରା କରିଥିବା ବିଷୟରେ ଇଡି ସ୍ୱତନ୍ତ୍ର ବିଚାରପତି ଅଜୟ କୁହରଙ୍କୁ ଜଣାଇଥିଲା। ଚିଦାମ୍ବରମ୍‍ ସିବିଆଇ. ଦାଏର କରିଥିବା ଆଇଏନ୍‍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାଡ଼ ଜେଲରେ ଅଛନ୍ତି। ଆଜି (ଗୁରୁବାର) ଅପରାହ୍ଣ ୩ଟା ବେଳେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ କୋର୍ଟ ଜେଲ୍‍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜେରା କରାଯିବା ସମୟରେ ଚିଦାମ୍ବରମ୍‍ଙ୍କର ବୟାନ ରେକର୍ଡ କରାଯାଇଥିବା ବିଷୟରେ ଇଡି ପାଇଁ କୋର୍ଟରେ ହାଜର ହୋଇଥିବା ଓକିଲମାନେ ଜଣାଇଛନ୍ତି। ଇଡିର ଏକ ତିନିଜଣିଆ ତଦନ୍ତକାରୀ ଦଳ ଗତକାଲି ତିହାଡ଼ ଜେଲରେ ଚିଦାମ୍ବରମ୍‍ଙ୍କୁ ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲେ। କଳାଧନ ନିବାରଣ ଆଇନ୍‍ ଅଧୀନରେ ଚିଦାମ୍ବରମ୍‍ଙ୍କୁ ଗିରଫ୍‍ କରାଯାଇଛି। ତାଙ୍କୁ ଜେରା କରିବା ଓ ଆବଶ୍ୟକ ସ୍ଥଳେ ଗିରଫ୍‍ କରିବାକୁ ସ୍ୱତନ୍ତ୍ର ଅଦାଲତ ଇଡିକୁ ଅନୁମତି ଦେଇଥିଲେ।

Comments are closed.