ଅଦାଲତ ନିର୍ଦେଶରେ ସାର୍ବଜନୀନ ଫାଶୀ: ତାଲିବାନ

କାବୁଲ: ଆଫଗାନିସ୍ତାନରେ ସର୍ବସାଧାରଣରେ ଫାଶୀ ବ୍ୟବସ୍ଥା ଜାରି ରହିବ; କିନ୍ତୁ ଅଦାଲତ ନିର୍ଦେଶକ୍ରମେ ଏହା କାର୍ଯ୍ୟକାରୀ ହେବ। ତାଲିବାନ ଶାସକ ଏଭଳି ଘୋଷଣା କରିଛି। ଆଫଗାନିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ନ ଦେବା ପର୍ଯ୍ୟନ୍ତ କାହାକୁ ସର୍ବସାଧାରଣରେ ଦଣ୍ଡିତ କରାଯିବ ନାହିଁ ବୋଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ସେହିଭଳି ଅଦାଲତ ନିର୍ଦେଶରେ ସାର୍ବଜନୀନ ସ୍ଥାନରେ କୌଣସି ମୃତଦେହ ଝୁଲାଯିବ; ତେବେ ଏଭଳି ଦଣ୍ଡ ବିଧାନ ପୂର୍ବରୁ ଚେତାବନୀ ଦିଆଯିବା ବ୍ୟବସ୍ଥା ମଧ୍ୟ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବ ତାଲିବାନ ଶାସନରେ ଅଙ୍ଗଚ୍ଛେଦନ, ସାର୍ବଜନୀନ ଫାଶୀ ଭଳି ଦଣ୍ଡ କାର୍ଯ୍ୟକାରୀ ଥିଲା। ଏବେ କ୍ଷମତାକୁ ଫେରିବା ପରେ ତାଲିବାନ ଶାସକ ଅଙ୍ଗଚ୍ଛେଦନ ଓ ସର୍ବସାଧାରଣ ସ୍ଥାନରେ ମୃତଦେହ ଝୁଳାଇବା ଭଳି ଦଣ୍ଡ କାର୍ଯ୍ୟକାରୀ କରିବା ନେଇ ଆମେରିକା ଗତ ମାସରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲା।

Comments are closed.