ଅଦାଲତ ଅବମାନନା ମାମଲା, ସିଡିଏମଓଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ: ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ହାଇକୋର୍ଟରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇ ନ ଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଚିରଞ୍ଜିବୀ ପ୍ରଧାନ, ରାମକୃଷ୍ଣ ପାତ୍ରଙ୍କ ଆବେଦନର ଶୁଣାଣି କରି କୋର୍ଟ ଏପରି ନିର୍ଦେଶ ଦେଇଛନ୍ତି। ଏପ୍ରିଲ ୧୯ରେ ସିଡିଏମଓ ବ୍ୟକ୍ତିଗତ ହାଜର ହୋଇ କାରଣ ଦର୍ଶାଇବେ ବୋଲି ନିର୍ଦ୍ଦେଶ ହୋଇଛି। ଗଞ୍ଜାମ ସିଡ଼ିଏମଙ୍କ ପକ୍ଷରୁ ୨୦୧୬ ଡିସେମ୍ବରରେ ବିଭିନ୍ନ ପଦ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ସେଥିରେ ୭୫ ଟି ଆଟେଣ୍ଡାଣ୍ଟ ପଦ ପାଇଁ ବିଜ୍ଞାପନ ରହିଥିଲା। ଅନ୍ୟ ପଦରେ ନିଯୁକ୍ତି ଦିଆଯାଇ ଥିବା ବେଳେ ଆଟେଣ୍ଡାଣ୍ଟ ନିଯୁକ୍ତି ହୋଇ ନ ଥିଲା। ଏଣୁ ୨ ଆଶାୟୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାରେ ୨୦୨୦ ଜୁନ ୧୧ ତାରିଖରେ ଶୁଣାଣି କରି ୩ ମାସ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନ ହେବାରୁ ପୁଣି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ।

କୋର୍ଟ ଏହାର ଶୁଣାଣି କରି ଏପ୍ରିଲ ୧୯ ରେ ସିଡିଏମଓ ବ୍ୟକ୍ତିଗତ ଭାବେ ହାଜର ହୋଇ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ନ ହେବ; ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜିତ ସାମଲ ମାମଲା ପରିଚାଳନା କରୁଛନ୍ତି।

Comments are closed.