ଟୁଲ୍‌କିଟ୍‌ ମାମଲା: ଦିଶା ରବିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଟୁଲ୍‌କିଟ୍‌ ଏଡିଟ୍‌ କରିବା ଅଭିଯୋଗରେ ଗିରଫ ହୋଇଥିବା ପରିବେଶ କର୍ମୀ ଦିଶା ରବିଙ୍କୁ ଅତିରିକ୍ତ ସେସନ୍‌ ଜଜ୍‌ ଧର୍ମେନ୍ଦ୍ର ରାଣାଙ୍କ କୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବଦଳରେ ଦିଶାଙ୍କୁ ଜାମିନ ଦିଆଯାଇଛି। ମଙ୍ଗଳବାର ରାତି କିମ୍ବା ବୁଧବାର ସକାଳ ସୁଦ୍ଧା ତାଙ୍କୁ ଜେଲରୁ ମୁକ୍ତ କରାଯାଇପାରେ।

କୋର୍ଟ ଜାମିନ୍‌ ପ୍ରଦାନ ସମୟରେ ଦିଶାଙ୍କୁ ଆଗାମୀ ଦିନରେ ତଦନ୍ତରେ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି। ଯେତେବେଳେ ସମନ୍‌ ଜାରି ହେବ ସେତେବେଳେ ତଦନ୍ତରେ ସାମିଲ ହେବାକୁ କୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଆହୁରି କହିଛନ୍ତି ଯେ, ସେ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ।

କୃଷକ ଆନ୍ଦୋଳନ ସମର୍ଥନରେ ପ୍ରସ୍ତୁତ ହୋଇଥିବା ‘ଟୁଲ୍‌କିଟ୍‌ ଗୁଗଲ ଡକ୍ୟୁମେଣ୍ଟ’ ଯାଞ୍ଚ ମାମଲାରେ ମଙ୍ଗଳବାର ଦିଲ୍ଲୀ ପୁଲିସର ସାଇବର ସେଲ୍‌ରେ ଦିଶା ରବିଙ୍କୁ ନିକିତା ଏବଂ ଶାନ୍ତନୁଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିଲା। ଗତ ସୋମବାର ଦିଲ୍ଲୀର ଏକ କୋର୍ଟ ଦିଶାଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଥିଲେ।

ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ନାମରେ ଭାରତରେ ହିଂସା ଏବଂ ଅଶାନ୍ତି ବ୍ୟାପ୍ତ କରିବାକୁ ଷଡ଼ଯନ୍ତ୍ର କରି ଏହି ଟୁଲ୍‌କିଟ୍‌ ପ୍ରସ୍ତୁତ କରଯାଇଥିବା ଦିଲ୍ଲୀ ପୁଲିସ ଅଭିଯୋଗ କରିଛି। ଦିଶା ରବି ଏବଂ ଅନ୍ୟ ଦୁଇଜଣ ଏହି ଟୁଲ୍‌କିଟ୍‌କୁ ଏଡିଟ୍‌ କରିଥିବା ଅଭିଯୋଗ ଗିରଫ ହୋଇଥିଲେ।

Comments are closed.