ପାଦରୁ ଲିଭିନି ଅଳତାର ଦାଗ; ଏକାଠି ପରପାରିକୁ ଚାଲିଗଲେ ନବ ବିବାହିତ ଦମ୍ପତି

ଭୁବନେଶ୍ବର: ପାଦରୁ ଲିଭିନାହିଁ ଅଳତାର ଦାଗ, ହାତରୁ ଲିଭିନି ମେହେନ୍ଦୀର ଛବି । ଜୀବନ ସାରା ପରସ୍ପରର ହାତ ଧରି ସୁନାର ନୀଡ଼ ଗଢ଼ିବାକୁ ଦେଖିଥିବା ସ୍ବପ୍ନ କିନ୍ତୁ ଭାଙ୍ଗିଗଲା । ହେଲେ ଏକାଠି ଜୀଇବା ଓ ଏକାଠି ମରିବା ନେଇ ଯେଉଁ ଶପଥ ନେଇଥିଲେ ସେଇ ଶପଥକୁ ଦିହେଁ ପୂରଣ କରି ଆରପୁରକୁ ଚାଲିଗଲେ । ବାହାଘରକୁ ଚାରିମାସ ପୂରିନି। ନୂଆ ସଂସାର ଗଢି ଜୀବନସାଥୀ ଭାବେ ଆଗକୁ ବଢିବାର ସ୍ବପ୍ନ ଅଧୁରା ରହିଯାଇଛି।  ସଂସାର ଆରମ୍ଭ କରିବା ପୂର୍ବରୁ ଗୋଟିଏ କୋଠରିରେ ନବ ଦମ୍ପତି ନେଇଥିଲେ ନିଷ୍ଠୁର ନିଷ୍ପତ୍ତି। ବଞ୍ଚିବାର ମୋହ ତୁଟାଇ ପୁରୁଣାଭୁବନେଶ୍ବର କୁମ୍ଭାର ସାହିରେ ଦୁଇଜଣ ସ୍ବାମୀସ୍ତ୍ରୀ ଆତ୍ମହତ୍ୟା କରିଥିବାର ଚିତ୍ର ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।
ପୁଲିସ ସୂଚନା ଅନୁସାରେ ଗତ ଫେବୃଆରୀ ୨୮ରେ ରାକେ‌ଶ ରାଉତ(୩୨)ଙ୍କ ବିବାହ ଲୋକେଶ୍ବରପୁର ଗ୍ରାମ ​ଖୋର୍ଧା  ଅଞ୍ଚଳର ସ୍ବରେନ ପଟ୍ଟନାୟକଙ୍କ ଝିଅ ମିନାକ୍ଷୀ ରାଉତ ଓରଫ ମାମାଙ୍କ(୨୦)ସହ ହୋଇଥିଲା। ଉଭୟ ପରିବାରଙ୍କ ସହମତିରେ ଖୋର୍ଦ୍ଧା ରୋଡର ଭୁଆଶୁଣୀ ମନ୍ଦିରରେ ବିବାହ କରିଥିଲେ। ରାକେଶଙ୍କ ନିଜ ଘର କଟକ ଜିଲା ଚୌଦ୍ବାର ଥାନା ଅଧୀନ ଡାଳିଜୋଡାବ୍ରହ୍ମପୁର ଗ୍ରାମରେ।  ସେ  ଦୀର୍ଘ ୨୦ବର୍ଷ ଧରି କପିଳେଶ୍ବର କୁମ୍ଭାର ସାହିର  ମଉସା ପ୍ରମୋଦ ମଲିଆଙ୍କ ଘରେ ରହୁଥିଲେ ଓ  ବିବାହ ପରେ ଦୁହେଁ  ସେଠାରେ ଥିଲେ ।  ମିନାକ୍ଷୀ ତାଙ୍କର ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିଥିଲେ। ସାବିତ୍ରୀ ବ୍ରତକୁ ସାତଦିନ ପୂରିନି। ପାଦରୁ ଅଳତା ଏବଂ କାନ୍ଥରୁ ଶୁଭ ବିବାହର ଲେଖା  ଲିଭିନି। ହେଲେ ନବ ଦମ୍ପତିଙ୍କ ନିଷ୍ଠୁର ନିଷ୍ପତ୍ତିକୁ ପରିବାର ତଥା ସାହି ପଡିଶାଙ୍କୁ ଚକିତ କରିଛି।  ମିନାକ୍ଷୀର ମରଶରୀର ଖଟ ଉପରେ ପଡିଥିବା ବେଳେ ରାକେଶଙ୍କ ମରଶରୀର ଘର ଭିତର ପଙ୍ଖାରେ ଝୁଲିଥିବା ପରିବାର ଲୋକେ ଦେଖି ଘରର କବାଟ ଭାଙ୍ଗି ଘର ଭିତରେ ପଶି ରାକେଶର ମରଶରୀର ପଙ୍ଖାରୁ ଖୋଲି ଦେବା ପରେ ଶ୍ରୀଲଇଙ୍ଗରାଜ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ସାଇଣ୍ଟିଫିକ୍‌ ଟିମ ସହୟତାରେ ଘଟଣାର ଅନୁସନ୍ଧାନ ଚଳାଇଛି।

ରାକେଶ ଖବର କାଗଜ ବିତରକ ଭାବେ କାମ କରୁଥିଲେ। ଲକ ଡାଉନ ଯୋଗୁଁ ଗତ କିଛି ଦିନ ହେବ ଖବର କାଗଜ ପକାଉନଥିଲେ। ରାକେଶଙ୍କ ଆର୍ଥିକ ଅଭାବ ନା ପାରିବାରିକ ଆଶାନ୍ତି କାରଣରୁ ଦୁହେଁ ଏପରି କଲେ ତାହାକୁ ନେଇ ପୁଲିସ ତଦନ୍ତ କରୁଛି। ରାକେଶ ମିନାକ୍ଷୀଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ନା, ମିନାକ୍ଷୀ ଆତ୍ମହତ୍ୟା କରିବା ପରେ ରାକେଶ ଆତ୍ମହତ୍ୟା କରିଛନ୍ତି ତାହାକୁ ନେଇ ପୁଲିସ ଖୋଳତାଡ କରୁଛି।  ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, ରାକେଶ ଆଜି ଭୋର ୫ଟାରେ ଉଠିବା ପରେ ପୁଣି ଶୋଇବା ଘରକୁ ଯାଇଥିଲେ। ଦୁହଁିଙ୍କର ମୃତ୍ୟୁ ସକାଳ ସାଢେ୬ଟା ମଧ୍ୟରେ ହୋଇଥିବା ପୁଲିସ ଅନୁମାନ କରୁଛି।  ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Comments are closed.