ବିଜୁଳି ଆଘାତରେ ଦମ୍ପତି ଗୁରୁତର

ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ଅଞ୍ଚଳରେ ଲଗାତାର କିଛିଦିନ ହେଲା ଅପରାହ୍ନ ସମୟରେ ପ୍ରବଳ କୁଆ ପଥର ପଡିବା ସହ ବିଜୁଳି ଘଡଘଡି ହୋଇ ବର୍ଷା ହେଉଛି। ଅନେକଥର ବିଜୁଳି ଘଡ଼ଘଡ଼ି ହୋଇ ପାହାଡ଼ ପର୍ବତରେ ଥିବା ବଡ଼ ବଡ଼ ବୃକ୍ଷକୁ ଆଘାତ ଦେଉଥିବାବେଳେ ଆଜି ଆର.ଉଦୟଗିରି ନିକଟସ୍ଥ ବାଦପୁର ଗ୍ରାମରେ ଥିବା ଏକ ଘର ଉପରେ ବିଜୁଳି ମାରିଥିବା ଦେଖିବାକୁ ମିଳିଥିଲା। ଗ୍ରାମର ଯୁବକ ପ୍ରଧାନୀ ଓ ତାଙ୍କ ସ୍ତ୍ରୀ ଭାଳେନ୍ତି ପ୍ରଧାନୀ ଘରେ ଥିବାବେଳେ ହଠାତ ତାଙ୍କ ଘର ଉପରକୁ ବିଜୁଳି ମାରିଥିଲା। ଯାହାଫଳରେ ଘରେ ଥିବା ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ବିଜୁଳି ଆଘାତ ଲାଗିବା ସାଙ୍ଗକୁ ଘର ଫାଟି ଆଁ ହୋଇଯାଇଥିଲା। ଯାହାଫଳରେ ଯୁବକ ପ୍ରଧାନୀଙ୍କ ଦେହର କିଛି ଅଂଶ ପୋଡ଼ି ଯାଇଥିଲା। ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦମ୍ପତି ସୁସ୍ଥ ଥିବା ଜଣାପଡିଛି।

Comments are closed.