୧୭ରେ ଡାକ୍ତରଙ୍କ ଦେଶବ୍ୟାପୀ ବନ୍ଦ ଡାକରା

-ପଶ୍ଚିମବଙ୍ଗରେ ୧୦୦ରୁ ଊର୍ଦ୍ଧ୍ବ ଡାକ୍ତରଙ୍କ ଇସ୍ତଫା, -ମମତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି
-ପଶ୍ଚିବମଙ୍ଗ ସରକାରଙ୍କୁ ହାଇକୋର୍ଟ ନୋଟିସ,-ଡାକ୍ତରଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ : କଲକତା ହସ୍ପିଟାଲର କନିଷ୍ଠ ଡାକ୍ତରଙ୍କୁ ମାଡ଼ ଘଟଣାକୁ ନେଇ କନିଷ୍ଠ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଉଗ୍ର ରୂପ ନେଇଛି। ପଶ୍ଚିମବଙ୍ଗ ଡାକ୍ତରଙ୍କ ସମର୍ଥନରେ ସର୍ବଭାରତୀୟ ଡାକ୍ତର ସଂଘ (ଆଇଏମଏ) ପକ୍ଷରୁ ତିନି ଦିନିଆ ବିକ୍ଷୋଭ ଆହ୍ବାନ କରାଯାଇଛି। ଏଥିସହିତ ଜୁନ ୧୭ରୁ ଦେଶବ୍ୟାପୀ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି। ସେଦିନ ପୂର୍ବାହ୍ଣ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ଓ କୌଣସି ପ୍ରକାରର ଡାକ୍ତରୀ ସେବା ପ୍ରଦାନ କରାଯିବ ନାହିଁ। ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏଥିରେ ଦେଶର ୩.୫ ଲକ୍ଷ ଡାକ୍ତର ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଡାକ୍ତରମାନେ ଚାନ୍ଦା ମାଗୁ ନାହାନ୍ତି; ବରଂ କେବଳ ନିଜର ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଏକ ଆଇନ ଆଣିବାକୁ ଦାବି ଉପସ୍ଥାପନ କରିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଅତିକମରେ ୭ ବର୍ଷ କାରାଦଣ୍ଡାଦେଶ ଦେବାକୁ ସେମାନେ ଦାବି କରିଛନ୍ତି ଯାହାକି ପୂରଣୀୟ। ଏହି ଦାବିରୁ ସଂଘ ଓହରିବ ନାହିଁ ବୋଲି ଆଇଏମଏ ସ୍ପଷ୍ଟ କରିଛି।
କଲକତାର ଏନଆରଏସ ମେଡିକାଲ କଲେଜରେ କେତେକ ଦୁର୍ବୃତ୍ତ ଡାକ୍ତର ପରିବାହ ମୁଖାର୍ଜୀଙ୍କୁ ଯେଭଳି ଭାବେ ଆକ୍ରମଣ କଲେ ତାହାକୁ ଆଇଏମଡି ଦୃଢ ନିନ୍ଦା କରିଛି। ଏଥିନେଇ ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ଦାବି କରିଛି। ରାଜ୍ୟ ସରକାର ନିଃସର୍ତ୍ତ କନିଷ୍ଠ ଡାକ୍ତରଙ୍କର ସମସ୍ତ ଦାବି ପୂରଣ କରିବା ଉଚିତ ବୋଲି ଆଇଏମଏ ସାଧାରଣ ସମ୍ପାଦକ ଆର. ଭି ଅଶୋକନ କହିଛନ୍ତି। ସମସ୍ୟା ସମାଧାନ ପାଇଁ ଡାକ୍ତରଙ୍କ ପକ୍ଷରୁ ମମତାଙ୍କ ନିକଟରେ ୬ଟି ସର୍ତ୍ତ ରଖାଯାଇଛି। ଅନ୍ୟପଟେ ଦେଶର ସରକାରୀ ଡାକ୍ତରମାନଙ୍କ ସୁରକ୍ଷା ନେଇ ପ୍ରତ୍ୟେକ ସରକାରୀ ହସ୍ପିଟାଲରେ ସୁରକ୍ଷା କର୍ମୀ ନିଯୁକ୍ତ କରିବା ସହିତ ନିର୍ଦେଶାବଳୀ ଜାରି କରିବା ନେଇ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପରିଚାଳିତ ଡାକ୍ତରଖାନାର ପ୍ରାୟ ୩୦୦ ଡାକ୍ତର ଶୁକ୍ରବାର ଇସ୍ତଫା ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ କଲିକତାର ୬୯, ଦାର୍ଜିଲିଂର ୨୭, ବୀରଭୂମର ୩୭ ଡାକ୍ତର ଅନ୍ତର୍ଭୁକ୍ତ। ପଶ୍ଚିମବଙ୍ଗ ଡାକରଙ୍କ ବିକ୍ଷୋଭ ପରିପ୍ରେକ୍ଷୀରେ ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, ଜାମ୍ମୁ-କାଶ୍ମୀର, ରାଜସ୍ଥାନରେ ଡାକ୍ତରମାନେ କଳାପଟି ବାନ୍ଧି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ଏମ୍ସରେ ମଧ୍ୟ ଶୁକ୍ରବାର ଡାକ୍ତରମାନେ ଧର୍ମଘଟ କରିଛନ୍ତି। ଏଠାରେ ସ୍ବାସ୍ଥ୍ୟସେବା ଏକରକମ ଅଚଳ ହୋଇପଡ଼ିଛି। ପଶ୍ଚିମବଙ୍ଗ ଡାକ୍ତରମାନଙ୍କ ଅସନ୍ତୋଷ ତୀବ୍ରତର ହୋଇଥିବାବେଳେ ସ୍ଥିତି ସମ୍ଭାଳିବା ଲାଗି ବିଗତ ୭ ଦିନ ମଧ୍ୟରେ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କଲକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହାର ସମାଧାନର ବାଟ ବାହାର କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗକୁ ସମ୍ମାନର ବିଷୟ ନ ଭାବି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ ପୂର୍ବକ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ସେ ମମତାଙ୍କୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ଡାକ୍ତରଙ୍କ ବିକ୍ଷୋଭରେ ବାହାରର କିଛି ଲୋକ ସାମିଲ ଥିବା ମମତା ବାରମ୍ବାର ଅଭିଯୋଗ କରିଆସୁଛନ୍ତି। କନିଷ୍ଠ ଡାକ୍ତରଙ୍କ ବିକ୍ଷୋଭ ପଛରେ ବିଜେପି ଓ ସିପିଆଇଏମର ହାତ ଥିବା ସେ କହଛନ୍ତି।

Comments are closed.