ଆର୍ଥିକ ଅଭିବୃଦ୍ଧିର ମନ୍ଥରତା ସତ୍ତ୍ବେ ସ୍ଥିର ରହିଛି ଦେଶର ଅର୍ଥ ବ୍ୟବସ୍ଥା : ଆରବିଆଇ

ଆରବିଆଇର ୨୦ତମ ଆର୍ଥିକ ସ୍ଥିରତା ରିପୋର୍ଟ

ମୁମ୍ବଇ : ଆର୍ଥିକ ଅଭିବୃଦ୍ଧିର ମନ୍ଥରତା ସତ୍ତ୍ବେ ଦେଶର ଅର୍ଥ ବ୍ୟବସ୍ଥା ସ୍ଥିର ରହିଛି ବୋଲି  ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଏହାର ୨୦ତମ ଆର୍ଥିକ ସ୍ଥିରତା ରିପୋର୍ଟରେ କହିଛି । ଆରବିଆଇ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଆହୁରି କୁହାଯାଇଛି, ସରକାରଙ୍କ ଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‍ କ୍ଷେତ୍ରରେ ପୁନଃ ପୁଞ୍ଜିନିବେଶ ଫଳରେ ସେହି କ୍ଷେତ୍ରରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି । ତେବେ ବିଶ୍ୱସ୍ତରରେ ଅଥବା ଘରୋଇ ବଜାରରେ ଆର୍ଥିକ ଅନିଶ୍ଚିତତା ଏବଂ ଭୂ-ରାଜନୈତିକ ଘଟଣାକ୍ରମ ଯୋଗୁଁ ସୃଷ୍ଟି ହୋଇଥିବା ଆଶଙ୍କା ଏବେବି ବଳବତ୍ତର ରହିଛି ।

ଆର୍ଥିକ ସ୍ଥିରତା ଓ ବିକାଶ ପରିଷଦ – ଏଫ୍‍ଏସ୍‍ଡିସିର ସବ୍‍କମିଟିଦ୍ୱାରା ଆର୍ଥିକ ସ୍ଥିରତା ତଥା ଏହାକୁ ପ୍ରତିହତ କରିବାପାଇଁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପ୍ରସ୍ତୁତ ତଥ୍ୟଗୁଡ଼ିକୁ ଏହି ରିପୋର୍ଟରେ ପ୍ରତିଫଳିତ କରାଯାଇଛି।
ଏହି ରିପୋର୍ଟରେ ଆର୍ଥିକ କ୍ଷେତ୍ରର ନିୟନ୍ତ୍ରଣ ଏବଂ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ଅବତାରଣା ମଧ୍ୟ କରାଯାଇଛି । ବିଶ୍ୱ ଅର୍ଥନୀତି ଅନେକ ଅନିଶ୍ଚିତତାର ସମ୍ମୁଖୀନ ହେଉଛି ଏବଂ ଏହି କାରଣରୁ ଅଭିବୃଦ୍ଧି ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଘରୋଇ ଆର୍ଥିକ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଚାହିଦା ହ୍ରାସ ଯୋଗୁଁ ଅଭିବୃଦ୍ଧି ହାର ଆହୁରି ଶିଥିଳ ହୋଇପଡ଼ିଛି ବୋଲି କୁହାଯାଇଛି । ରିପୋର୍ଟରେ ଆହୁରି କୁହାଯାଇଛି, ଭାରତୀୟ Insolvency and Bankruptcy Board ଦେବାଳିଆ ସମ୍ପତ୍ତି ସମସ୍ୟା ସମାଧାନ ଦିଗରେ ସଫଳତାର ସହ ପଦକ୍ଷେପ ନେଉଛି । ଭବିଷ୍ୟନିଧି ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ଦେଶର ଅଧିକରୁ ଅଧିକ ନାଗରିକଙ୍କୁ ଭବିଷ୍ୟନିଧି ସହିତ ସାମିଲ୍‍ କରିଚାଲିଛି ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି ।

Comments are closed.