ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହେବ : କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ : ୨୦୧୯-୨୦ ବର୍ଷରେ ଦେଶରେ  ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ସେହିପରି ଚଳିତ ବର୍ଷ ମଧ୍ୟ ଦେଶରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହେବ କାରଣ ଏବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବାର ଆଶା କରାଯାଉଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ।

ବୁଧବାର ନୂଆଦିଲ୍ଲୀଠାରେ ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ଦେଶରେ କୃଷି କ୍ଷେତ୍ରର ଅଭିବୃଦ୍ଧିକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଶ୍ରୀ ତୋମର କହିଛନ୍ତି, ପି.ଏମ୍‍. କିସାନ ଯୋଜନା ଲାଗୁ ହେବାଠାରୁ ହିତାଧିକାରୀ କୃଷକମାନଙ୍କ ଜମାଖାତାକୁ ୭୧ ହଜାର କୋଟି ଟଙ୍କା ପଠାଯାଇଛି । ସେ କହିଛନ୍ତି, କୋଭିଡ୍‍-୧୯କଟକଣା ସମୟରେ ୧୭,୯୮୬ କୋଟି ଟଙ୍କା କୃଷକମାନଙ୍କ ମଧ୍ୟରେ ବଣ୍ଟା ଯାଇଛି ।

କୋଭିଡ୍‍-୧୯ କଟକଣା ଲାଗୁ ସମୟରେ ଦେଶରେ ଖାଦ୍ୟଶସ୍ୟ, ଦୁଗ୍ଧ ଓ ପନିପରିବାର କୌଣସି ଅଭାବ ହୋଇନାହିଁ ବୋଲି ଶ୍ରୀ ତୋମର କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୫୭.୦୭ ଲକ୍ଷ ହେକ୍ଟର ଜମିରେ ଗ୍ରୀଷ୍ମକାଳୀନ ଫସଲ ବୁଣାଯାଇଛି । ଯେତେବେଳେ କି ଗତ ବର୍ଷ ଏହି ସମୟ ମଧ୍ୟରେ ୪୧. ୩୭ ଲକ୍ଷ ହେକ୍ଟର ଜମିରେ ଗ୍ରୀଷ୍ମକାଳୀନ ଫସଲ ବୁଣାଯାଇଥିଲା ।

Comments are closed.