ନିର୍ବାଚନକୁ ବିତିଗଲାଣି ଦେଢ ବର୍ଷ : ସରକାରୀ କର୍ମଚାରୀଙ୍କୁ ମିଳିନି ଭୋଟ ଗଣତି ପାଉଣା

ବଲାଙ୍ଗିର:୨୦୧୯, ମେ ୨୩। ଏହି ଦିନ ମନେ ପକାଇଲେ ରାଜନେତା, କର୍ମୀ; ସମସ୍ତଙ୍କ ଛାତି ଧଡ ଧଡ ହୁଏ। କାରଣ ଦେଢ ବର୍ଷ ତଳେ ଏହି ଦିନ ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ଜନତା ଜନାଦେଶର ଶୁଣାଣି ହେଉଥିଲା। ଏହି ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ। ନିର୍ବାଚନ ଭୋଟ ଗଣିତ ଓ ଗଣତି ସରିଗଲା। ବିଜୟୀ ନେତା ମିଠା ବାଣ୍ଟିଲେ ଧନ୍ୟବାଦ ଜଣାଇଲେ ଜନତାଙ୍କୁ। ପରାଜିତ ପ୍ରାର୍ଥୀ ଭୁଲ କେଉଁଠି ରହିଲା ତାହା ଖୋଜିଲେ। ହେଲେ ଏସବୁ ଭିତରେ ଧାଁ ଦଉଡ କରି ମେ’ ମାସ ଖରାରେ ଅଖିଆ ଅପିଆ ନିର୍ବାଚନ ଦାୟିତ୍ୱ ତୁଲାଇଥିଲେ ନିର୍ବାଚନ ପରିଚାଳନା, ଭୋଟ ଗଣତିରେ ସାମିଲ ବାବୁ, ବାବୁଆଣିମାନେ। ଅନେକେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ କାମ କରିଥିବାରୁ ଆବଶ୍ୟକ ପାରିଶ୍ରମିକ ପାଇଛନ୍ତି। ହେଲେ ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ଏହାର ଘୋର ବ୍ୟତିକ୍ରମ। ଥରେ କି ଦୁଇ ଥର ନୁହେଁ, ସବୁବେଳେ ସମସ୍ୟାର ଘୋଡଣି। ଆଉ ଏବେ ପଚାରିଲା ବେଳକୁ ଉପଖଣ୍ଡ ନିର୍ବାଚନ ଅଧିକାରୀ କହୁଛନ୍ତି ସମସ୍ତଙ୍କୁ ପାରିଶ୍ରମିକ ଦେଇ ଦେଲୁଣି। କିନ୍ତୁ ଦାୟିତ୍ୱ ତୁଲାଇଥିବା ବାବୁ, ବାବୁଆଣି କହୁଛନ୍ତି ଟଙ୍କାଟିଏ ପାଇ ନାହୁଁ। କିଏ ସତ ଓ କିଏ ମିଛ?

ପାଟଣାଗଡ ଏଲ୍‍ଆଇସି ଅଫିସରେ ଏଏଓ ଭାବେ କାମ କରନ୍ତି ଚିନ୍ତାମଣି ଭୋଇ ଓ ପ୍ରଶାନ୍ତ ମେହେର। ତାଙ୍କୁ ଜବାହାର କଲେଜ ଭୋଟ ଗଣତି କେନ୍ଦ୍ରରେ ମାଇକ୍ରୋ ଅବଜର୍‍ଭର୍‍ ଦାୟିତ୍ୱ ମିଳିଥିଲା। ସେମାନଙ୍କ ପାଉଣା ଦିନକୁ ୫ଶହ ଟଙ୍କା। ସେହିପରି ପାଟଣାଗଡ ବ୍ୟାଙ୍କ ଅଫ ବରୋଦାରେ କିରାଣୀ ଅଛନ୍ତି ବିଦ୍ୟୁତ ପ୍ରଭା ନାଥ। ସେ ବି ଏହି କେନ୍ଦ୍ରରେ ମାଇକ୍ରୋ ଅବଜର୍‍ଭର୍‍ ଥିଲେ। ଶ୍ରୀ ଭୋଇ, ଶ୍ରୀ ମେହେର, ଶ୍ରୀମତୀ ନାଥଙ୍କ ଭଳି ୨୭ଜଣଙ୍କୁ ନିର୍ବାଚନ ପରିଚାଳନା ପାଇଁ ଟଙ୍କାଟିଏ ମିଳି ନାହିଁ। ସେହିପରି ଏହି କେନ୍ଦ୍ରରେ କାଉଣ୍ଟିଂ ସୁପର୍‍ଭାଇଜର୍‍ ଭାବେ କାମ କରିଥିଲେ ୨୩ଜଣ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବେଲପଡ଼ା ବ୍ଲକର ତତ୍କାଳୀନ ଜେଇ ସୁଶାନ୍ତ ଶତପଥୀ। ଶ୍ରୀ ଶତପଥୀ ଚାକିରି ଛାଡିଦେଲେଣି। ତାଙ୍କୁ ଯୋଗାଯୋଗ କରି ନିର୍ବାଚନ ପାରିଶ୍ରମିକ ପାଇଛନ୍ତି କି ନାହିଁ ବୋଲି ପଚାରିବାରୁ କିଏ ଦେଲା, କାହାକୁ ଦେଲେ ବୋଲି ସେ ଓଲଟି ପ୍ରଶ୍ନ କରିଥିଲେ। ଶ୍ରୀ ଶତପଥୀଙ୍କ ଭଳି ଖପ୍ରାଖୋଲ ବ୍ଲକର ଏଇଇ ସୌମ୍ୟପ୍ରକାଶ ଜୟପୁରିଆ। ନିର୍ବାଚନ ଆରମ୍ଭରୁ ଶେଷ ଯାଏ ସେ ସେକ୍ଟର ଡ୍ୟୁଟି ସହ ଅନ୍ୟାନ୍ୟ ପରିଚାଳନା ତଥା କାଉଣ୍ଟିଂ ସୁପର୍‍ଭାଇଜର୍‍ ଭାବେ ଦାୟିତ୍ୱ ନିର୍ବାହ କଲେ ଅବ୍ୟବସ୍ଥା ମଧ୍ୟରେ। କାଉଣ୍ଟିଂ ସୁପର୍‍ଭାଇଜର୍‍ ଭାବେ ଦିନକୁ ସଢେ ୩ଶହ ଟଙ୍କା ପାଉଣା। କେହି ବି ଟଙ୍କାଟିଏ ପାଇ ନାହାନ୍ତି। କେବଳ ସେତିକି ନୁହେଁ, ପାଟଣାଗଡ ଆଇସିଡିଏସ୍‍ ସୁପର୍‍ଭାଇଜର୍‍ ଅନୀତା ଶତପଥୀଙ୍କ ଭଳି ୨୩ଜଣ କାଉଣ୍ଟିଂ ଏସିଷ୍ଟାଣ୍ଟ ଭାବେ କାମ କରିଥିଲେ। ପାଉଣା ଅଢେଇ ଶହ ଟଙ୍କା। ଶ୍ରୀମତୀ ଶତପଥୀ କହିଛନ୍ତି ଯେ ମୁଁ ତ ଟଙ୍କାଟିଏ ପାଇ ନାହିଁ। ଅନ୍ୟମାନେ ପାଇଛନ୍ତି କି ନାହିଁ ତାହା ପଚାରି ବୁଝିଦିଅନ୍ତୁ। ଏମିତିକି କି ଅନେକ ସରକାରୀ ଚାକିରିଆ ବାବୁ, ବାବୁଆଣିମାନେ ପ୍ରତିକ୍ରିୟା ଦେବାକୁ ଭୟ କରୁଛନ୍ତି। ଉପ ଜିଲାପାଳ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣୀ ପ୍ରଥମେ ମନା କଲେ। କିଛି ସମୟ ପରେ ଫୋନ୍‍ କରି ୧୨ଶହ ୫୦ ଟଙ୍କା ନିର୍ବାଚନ କାର୍ଯ୍ୟାଳୟରୁ ପାଇଛନ୍ତି ବୋଲି କହିଲେ।

୨ ଦିନ ତଳେ ପାଟଣାଗଡ ଉପଖଣ୍ଡ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କ୍ଷୀରୋଦ ସାହୁଙ୍କୁ ଯୋଗାଯୋଗ କରିଥିଲୁ। ପୂର୍ବରୁ ଯେଉଁ ସମସ୍ୟା ଯୋଗୁଁ ନିର୍ବାଚନ ଦାୟିତ୍ୱ କରିଥିବା କର୍ମଚାରୀଙ୍କୁ ଟଙ୍କା ଦେଇ ହେଉ ନଥିଲା ତାହା ସମାଧାନ ହୋଇଯାଇଛି। ହେଇଗଲାଣି ୨/୩ ମାସ, ଆମେ ସମସ୍ତଙ୍କୁ ଟଙ୍କା ଦେଇ ଦେଇଛୁ କହିଲେ ଶ୍ରୀ ସାହୁ। ଜିଲା ନିର୍ବାଚନ କାର୍ଯ୍ୟାଳୟ(ସଦର ତହସିଲ ଅଫିସ୍‍କୁ ଲାଗି)କୁ ଯାଇ ସେଠାରେ ଅନିୟମିତତା ସଂପର୍କରେ ଜଣେ ବାବୁଙ୍କ ସହ କଥା ହୋଇ ସମସ୍ୟା ଜଣାଇବା ପରେ ସେ ପାଟଣାଗଡ ସହ ଆଲୋଚନା କଲେ। କ’ଣ କଥା ହେଲେ କେଜାଣି, ଯେଉଁମାନେ ପାଉଣା ପାଇ ନଥିବା ଅଭିଯୋଗ କରିବେ ତାଙ୍କୁ ଅଗ୍ରାଧିକାର ଭାବେ ପ୍ରାପ୍ୟ ଦିଆଯିବ ବୋଲି ମତ ଦେଲେ। ଆଉ ବୁଧୁବାର ଶ୍ରୀ ସାହୁଙ୍କୁ ପୁଣି ଯୋଗାଯୋଗ କରିବାରୁ ସେହି ସମାନ ଉତ୍ତର: ସେ ଦିନ ପରା କହିଥିଲି, ଦେଇ ଦେଇଛୁ ସମସ୍ତଙ୍କୁ ଟଙ୍କା। ୨/୩ ମାସ ହେଇଗଲାଣି, ଆକାଉଣ୍ଟରେ ଟଙ୍କା ପଡିଯାଇଛି ବୋଲି ଦୋହରାଇଲେ। ଜିଲାପାଳ ଚଞ୍ଚଳ ରାଣାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ବି ସେ ବ୍ୟସ୍ତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

Comments are closed.