ଖାଉଟି ଅଭିଯୋଗ ସମାଧାନ – ୧୩ ଜିଲା ପଛୁଆ

ଭଦ୍ରକ: ସାଧାରଣ ଲୋକଙ୍କ ହିତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରଚଳନ କରିଥିବା ଅଭିଯୋଗ ସମାଧାନ ବ୍ୟବସ୍ଥା ଫଳପ୍ରଦ ହେଉନାହିଁ। ଏଥିନେଇ ବିଭାଗୀୟ ମନ୍ତ୍ରୀ, ନିର୍ଦେଶକ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଗତ ବର୍ଷକ ମଧ୍ୟରେ ୫ଟି ଚିଠି ଜିଲା ଯୋଗାଣ ଅଧିକାରୀଙ୍କୁ ଲେଖାଯିବା ସତ୍ୱେ ଅଭିଯୋଗ ସଂଖ୍ୟାରେ ସେମିତିକା ଅବନତି ପରିଲକ୍ଷିତ ହେଉନାହିଁ। ଯାହାକୁ ନେଇ ଗତ ଏପ୍ରିଲ ଶେଷ ସପ୍ତାହରେ ବିଭାଗୀୟ ନିର୍ଦେଶକ ବିଶ୍ୱଜିତ କେଶରୀ ଦାସ ରାଜ୍ୟର ୨୮ଟି ଜିଲାର ଯୋଗାଣ ଅଧିକାରୀ (ନବରଙ୍ଗପୁର ଓ କୋରାପୁଟକୁ ଛାଡି)ଙ୍କୁ ଚିଠି (ନଂ୬୨୪୪) ଲେଖି ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଜିଲାୱାରୀ ଅସମାହିତ ଅଭିଯୋଗ ପରିସଂଖ୍ୟାନ

ଜିଲା              ଅଭିଯୋଗ
ବାଲେଶ୍ୱର        ୧୮୫୩
ଭଦ୍ରକ             ୪୩୪
ବଲାଙ୍ଗୀର         ୩୭୮
କଟକ             ୨୧୬୪
ଗଜପତି           ୧୫୬
ଗଞ୍ଜାମ            ୩୦୬୭
ଜଗତସିଂହପୁର    ୪୪୬
କଳାହାଣ୍ଡି         ୫୧୬
କେନ୍ଦୁଝର         ୫୯୫
ଖୋର୍ଦ୍ଧା            ୧୮୫୩

ଖାଉଟିଙ୍କ ଅଭିଯୋଗର ସମାଧାନ ଲାଗି ସରକାର ଅଭିଯୋଗ ସମାଧାନ ବ୍ୟବସ୍ଥା (ଜିଆରଏସ) ଆପଣାଇଛନ୍ତି। ତହିଁରେ ଉଭୟ ଅନଲାଇନ ଓ ଅଫଲାଇନରେ ଅଭିଯୋଗ ଦରଜ ହୋଇପାରୁଛି। ଉଦେଶ୍ୟ ହେଲା ରାଜ୍ୟର ଗରିବ ଖାଉଟିଙ୍କ ଅଭିଯୋଗର ତ୍ୱରିତ ସମାଧାନ କରିବା। ବିଶେଷତଃ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହେଉଥିବା ଅନିୟମିତତା ତଥା ଅସଙ୍ଗତି ବାବଦରେ ଅନେକ ଅଭିଯୋଗ ଦରଜ ହୋଇଥାଏ। କାହାକୁ ଯୋଜନାରେ ଚାଉଳ, ଗହମ ମିଳୁନାହିଁ ତ’ କାହାର ନାମକୁ ତାଲିକାରେ ବାଦ ଦିଆଯାଇଛି। ଏମିତି ଅଭିଯୋଗମାନ ମୁଖ୍ୟତଃ ଆସିଥାଏ। କରୋନା କାଳରେ ଏହି ସବୁ ଅଭିଯୋଗ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ କେତେ ଜରୁରୀ ତାହା ବୁଝାଇବା ଅନାବଶ୍ୟକ। ମାତ୍ର ଦେଖାଯାଇଛି ଯେ; ବିିଭିନ୍ନ ଜିଲାରେ ପଞ୍ଜିକୃତ ଅଭିଯୋଗଗୁଡ଼ିକ ସମାଧାନ ନହୋଇ ଦୀର୍ଘକାଳ ପଡ଼ିରହିଛି।

ସାରା ରାଜ୍ୟର ହିସାବ ଅନୁଯାୟୀ ଏହି ସଂଖ୍ୟା ୧୩,୯୨୬ ରହିଛି। ତହିଁରୁ ବାଲେଶ୍ୱର ଜିଲାରେ ୧୮୬୩, କଟକରେ ୨୧୬୪, ଗଞ୍ଜାମରେ ୩୦୬୭, ଖୋର୍ଦ୍ଧାରେ ୧୮୫୩, ମୟୂରଭଞ୍ଜରେ ୧୦୯୩, ନୟାଗଡରେ ୭୨୮, ଭଦ୍ରକରେ ୪୩୪, ବଲାଙ୍ଗୀରରେ ୩୭୮, ସମ୍ବଲପୁରରେ ୧୬୮, ଗଜପତିରେ ୧୫୬, ଜଗତସିଂହପୁରରେ ୪୪୬, କଳାହାଣ୍ଡିରେ ୫୧୬, କେନ୍ଦୁଝରରେ ୫୯୫ଟି ଅଭିଯୋଗ ଅସମାହିତ ହୋଇ ରହିଛି। ଅର୍ଥାତ ଏହି ୧୩ଟି ଜିଲାରେ କେବଳ ୧୩,୪୫୧ଟି ଅଭିଯୋଗ ସମାଧାନ ନହୋଇ ପଡ଼ିଛି।

ବାକି ୧୭ଟି ଜିଲା ମଧ୍ୟରୁ ନବରଙ୍ଗପୁର ଓ କେରାପୁଟ ଜିଲାରେ ଆଦୌ ଅଭିଯୋଗ ପଡ଼ି ରହି ନ ଥିବା ବେଳେ ଅବଶିଷ୍ଟ ୧୫ଟି ଜିଲାରେ ସର୍ବମୋଟ ୪୭୫ଟି ଅଭିଯୋଗ ପଡ଼ିରହିଛି। ସେହି ୧୫ଟି ଜିଲା ମଧ୍ୟରୁ ଅନୁଗୋଳରେ ୪୦, ବରଗଡରେ ୧୬, ବୌଦ୍ଧରେ ୯୬, ଦେବଗଡରେ ମାତ୍ର ୩, ଢେଙ୍କାନାଳରେ ୧୦, ଯାଜପୁରରେ ୯, ଝାରସୁଗୁଡାରେ ୧୪, କନ୍ଧମାଳନରେ ୨୦, କେନ୍ଦ୍ରାପଡାରେ ୫୧, ମାଲକାନାଗିରିରେ ମାତ୍ର ୧, ନୂଆପଡାରେ ୫, ପୁରୀରେ ୨୪, ରାୟଗଡାରେ ୮୫, ସୋନପୁରରେ ୧୬, ସୁନ୍ଦରଗଡରେ ୮୫ଟି ଅଭିଯୋଗ ଅସମାହିତ ହୋଇ ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ପଡ଼ି ରହିଥିବା ଅଭିଯୋଗର ସମାଧାନ ଲାଗି ବିଭାଗୀୟ ନିର୍ଦେଶକ ଗତ ୨୦୨୦ ମାର୍ଚ୍ଚ ୮ ତାରିଖ, ନଭେମ୍ବର ୨୪ ତାରିଖ, ଡିସେମ୍ବର ୨୮ ତାରିଖ, ୨୦୨୧ ଜାନୁଆରୀ ୧୨ ତାରିଖରେ ଜିଲା ଯୋଗାଣ ଅଧିକାରୀମାନଙ୍କୁ ଚିଠି ଲେଖିଥିଲେ। ଏବେ ଲେଖିଥିବା ଚିଠିରେ ପୂର୍ବ ଚିଠି ବାବଦରେ ଉଲ୍ଲେଖ କରି ବିଭାଗୀୟ ନିର୍ଦେଶକ ଅଭିଯୋଗ ସମାଧାନ କ୍ଷେତ୍ରରେ ଏଭଳି ଖରାପ ପ୍ରଦର୍ଶନ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ପରିପନ୍ଥୀ ବୋଲି ଦର୍ଶାଇବା ସହ ତୁରନ୍ତ ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି।

Comments are closed.