ଉପାନ୍ତରେ ସ୍ୱଚ୍ଛତା ଖୋଜୁଛି ସ୍ୱଚ୍ଛ ଭାରତ ଯୋଜନା : ଆଖିବୁଜା ଦୁର୍ନୀତି, ମିଳୁନି ପାଇଖାନା

କୋରାପୁଟ (ଟୁକୁନା ଦଳାଇ): ଅବିଭକ୍ତ କୋରାପୁଟ ଜିଲାରେ ସ୍ୱଚ୍ଛ ଭାରତ ଯୋଜନା ସ୍ୱଚ୍ଛତା ଖୋଜୁଛି। ଏହି ଯୋଜନାରେ ଉପାନ୍ତ ଅଞ୍ଚଳରେ ନିର୍ମିତ ହୋଇଥିବା ପାଇଖାନା ଲୋକଙ୍କ କାମରେ ଆସୁନି। ପାଇଖାନା ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଛି। ବହୁ କୋଟି ଟଙ୍କା ହଡ଼ପ ହୋଇଥିବା ଲୋକେ ଅଭିଯୋଗ କଲେ ବି ତାର ତନାଘନା କରାଯାଉ ନ ଥିବା ମନେ ହେଉଛି। ବିଭାଗୀୟ ନୀରବତା ଦୁର୍ନୀତିକୁ ଖୋରାକ ଯୋଗାଉଥିବା ବେଳେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ବଦଳରେ ହାତବାନ୍ଧି ବସିଛନ୍ତି। ଫଳରେ ଅବିଭକ୍ତ କୋରାପୁଟ ଜିଲାରେ ପାଇଖାନା ନିର୍ମାଣ ହୋଇଥିଲେ ହେଁ ଲୋକ ତାର ଉପଯୋଗ କରିପାରୁ ନାହାନ୍ତି।
ସ୍ମରଣଯୋଗ୍ୟ କୋରାପୁଟ ଜିଲା ବୈପାରିଗୁଡା ବ୍ଲକର କିଛି ଗ୍ରାମରେ ପାଇଖାନା ନିର୍ମାଣରେ ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଲୋକେ ଅଭିଯୋଗ କରିଥିଲେ। ତଦନ୍ତକୁ ବଟବଣା କରିବା ପାଇଁ କିଛି ଅଧିକାରୀ ଉଦ୍ୟମ କରିଥିଲେ। ବହୁସ୍ଥାନରେ ପାଇଖାନା ନିର୍ମାଣ କରା ନ ଯାଇ ମିଛ ବିଲ୍‌ ହୋଇଥିଲା। ମୃତ ଲୋକଙ୍କ ନାମରେ ମଧ୍ୟ ପାଇଖାନା ନିର୍ମାଣ ହୋଇଛି। ପୂର୍ବରୁ ଦଶମନ୍ତପୁର ପଞ୍ଚାୟତ ସାରୁକୁଣ୍ଡ ଗ୍ରାମବାସୀ କୋରାପୁଟ ଜିଲାପାଳଙ୍କ ସହ ଦୁର୍ନୀତି ନିବାରଣ ବିଭାଗ ଜୟପୁରଙ୍କ ଦ୍ୱାରସ୍ଥ ହୋଇଥିଲେ। ବ୍ଲକର ଗ୍ରାମାଞ୍ଚଳରେ ନିର୍ମାଣ ହୋଇଥିବା ପାଇଖାନା ଭିତରେ କିଛି ଲୋକ ଶୁଖିଲା କାଠ ରଖୁଛନ୍ତି। ପାଇଖାନା ଘରକୁ କୁକୁଡା ଘର କରାଯାଇଛି। ବ୍ଲକର ବହୁ ଗ୍ରାମରେ ବାହ୍ୟ ମଳମୁକ୍ତ ଗାଁ ବୋଲି ଫଳକ ଲାଗାଯାଇଛି। ଗାଁରେ ପାଇଖାନା ନିର୍ମାଣ ହୋଇ ନ ଥିବା ଦେଖିବାକୁ ମିଳୁଛି। ଲୋକ ବାହାରେ ମଳତ୍ୟାଗ କରୁଛନ୍ତି। ସେହିପରି ମାଲକାନଗିରି ଜିଲା ବଣ୍ଡାଘାଟିରେ ବିକଳ ଚିତ୍ର ଦେଖିବାକୁ ମିଳିଛି। ବଣ୍ଡା ଘାଟିର ମୁଦୁଲିପଡ଼ା ପଞ୍ଚାୟତ କିର୍ସାନୀଗୁଡ଼ାରେ ଲୋକଙ୍କ ପାଇଁ ପାଇଖାନା ହୋଇଛି ସତ କେଉଁଠି ପୂର୍ବ ତିଆରି ଏକ ଉଠା ପାଇଖାନା ଘରକୁ ଠିଆ କରାଯାଇଛି। ଆଉ କେଉଁଠି ଖାଲି ମାଟିରେ ହୋଇଛି ପାଇଖାନା। ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ଏହି ପାଇଖାନାଗୁଡ଼ିକୁ ଦେଖିଲେ ବୁଝି ହେଉଛି ସରକାରୀ ଯୋଜନାଭିତରେ ଲୁଚି ରହିଛି ଦୁର୍ନୀତିର ଚିତ୍ର। ପାଇଖାନା ଦୁର୍ନୀତି ଅଭିଯୋଗ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରୁ ଲୋକେ ସଚେତନ ନୁହନ୍ତି, ଜାଣିଶୁଣି ସେମାନେ ପାଇଖାନା ବ୍ୟବହାର କରୁ ନାହାନ୍ତି। ପାହାଡ଼ ତଳୁ ବାଲି, ସିମେଣ୍ଟ ଆଣିବା କଷ୍ଟକର ହେଉଛି। ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏସଥିପାଇଁ ଏଭଳି ପାଇଖାନା କରାଯାଇଛି ବୋଲି ସେ କହିଥିଲେ। ରାୟଗଡା ଜିଲାରେ ମଧ୍ୟ ସମ ଅବସ୍ଥା। ଜିଲାର ଅପହଞ୍ଚ ଇଲାକାରେ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି। ରାୟଗଡା ଆଦିବାସୀ ବସ୍ତି ମଧ୍ୟରେ ଗତ ୨ବର୍ଷ ତଳେ ପୌରପରିଷଦ ପକ୍ଷରୁ କମ୍ୟୁନିଟି ପାଇଖାନା ନିର୍ମାଣ କରାଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁଁ ଉକ୍ତ ପାଇଖାନା ଏବେ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନି ବୋଲି ରାୟଗଡା ପୌରପରିଷଦ ଅଧୀନ ୧୦ ନମ୍ବର ୱାର୍ଡର ଆଦିବାସୀ ସାହିବାସିନ୍ଦା ଅଭିଯୋଗ କରୁଛନ୍ତି। ଅନ୍ୟ କିଛି ଗାଁରେ ପାଇଖାନା ନିର୍ମାଣ ହୋଇଛି ସତ। ତାହା କାର୍ଯ୍ୟରେ ଲାଗିବା ପୂର୍ବରୁ ଭାଙ୍ଗି ଯାଇଛି। ନାମକୁ ମାତ୍ର ବାହ୍ୟ ମଳମୁକ୍ତ ଗାଁ ବୋଲି ଘୋଷଣା କରାଯାଇଛି। ଲୋକେ ପାଣି ଅସୁବିଧା ପାଇଁ ପାଇଖାନା ବ୍ୟବହାର କରୁ ନାହାନ୍ତି। ଅନେକ ସ୍ଥାନରେ ପାଇଖାନା ରୋଷେଇ ଘରରେ ପରିଣତ ହୋଇଛି। ଆଉ କେଉଁଠି ଲାଉ, କଖାରୁ ଗଡୁଛି। ରାୟଗଡା ଜିଲାର କେବଳ ବଡ ଇରୁକୁବାଡି ପଞ୍ଚାୟତ କାଞ୍ଚମୁହିଁ ଗ୍ରାମ ନୁହେଁ ଅନେକ ଗ୍ରାମରେ ପାଇଖାନା ଏହିଭଳି ଶୋଚନୀୟ ସ୍ଥିତି ଦେଖିବାକୁ ମିଳୁଛି। ଏହାର ତଦନ୍ତ ହେଲେ ଦୁର୍ନୀତି ଗୁମର ଖୋଲିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ନବରଙ୍ଗପୁର ଜିଲା ଝରିଗଁା ବ୍ଲକରେ ବଡ ଧରଣର ପାଇଖାନା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ଗତ କିଛି ମାସ ପୂର୍ବ ସେହି ସମୟର ଝରିଗାଁ ବିଡିଓ ନିଲମ୍ବିତ ହେବା ଚର୍ଚ୍ଚାର ବିଷୟ ପାଲଟିଥିଲା।

Comments are closed.