ଲଇଡା ମାର୍କେଟ ୟାର୍ଡରେ ଡବଲ୍ ଏଣ୍ଟ୍ରି ଓ ରିସାଇକ୍ଲିଂ ଉଦ୍ୟମ ବିଫଳ ; ଧାନ ବୋଝେଇ ଟ୍ରକ୍ ଜବତ କଲା ଯୋଗାଣ ବିଭାଗ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଲଇଡା ଠାରେ ଥିବା ମାର୍କେଟ୍ ୟାର୍ଡରେ ଗତ ବୁଧବାର ଏକ ଟ୍ରକ୍ ରେ ବୋଝେଇ ହୋଇ ଆସିଥିବା ଧାନ ପୂର୍ବରୁ କୁଚିଣ୍ଡା ସବଡିଭିଜନର କୁଟୁରାଚୁଆଁ ମାର୍କେଟ ୟାର୍ଡରେ ଏଣ୍ଟ୍ରି ହୋଇ ସାରିଥିବାର ସୁରାକ୍ ପାଇ ଲଇଡାର ମା ସମଲେଶ୍ୱରୀ କୃଷକ ସଙ୍ଗଠନ ର କର୍ମକର୍ତ୍ତା ମାନେ ଟ୍ରକକୁ ଅଟକ ରଖି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଅନ୍ୟ ଅଞ୍ଚଳ ଧାନ ଆଣି ଏଠାରେ ପୁଣି ଥରେ ଏଣ୍ଟ୍ରି କରାଇ ରିସାଇକ୍ଳିଂ ପାଇଁ ଉଦ୍ୟମ କରାଯିବା ଦ୍ୱାରା ଏଞ୍ଚଳର ଧାନ ବିକ୍ରିରେ ବାଧା ସୃଷ୍ଟି ହୋଇ ଅଞ୍ଚଳରେ ଅଭାବି ବିକ୍ରିର ସୁଯୋଗ ସୃଷ୍ଟି କରାଯାଉଛି ବୋଲି ସଙ୍ଗଠନର ସଭାପତି ସଲିଲ ନାଏକ, ସମ୍ପାଦକ ରାଜେଶ ପୃଷ୍ଟି ଅଭିଯୋଗ କରଥିଲେ। ସଙ୍ଗଠନର ସଭାପତି ଏବଂ ସମ୍ପାଦକ ଯୋଗାଣ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବା ପର୍ଯ୍ୟନ୍ତ ସଙ୍ଗଠନ କୋଷାଧ୍ୟକ୍ଷ ଶୋଷିତ ନାଏକ, ସପ୍ନିଲ୍ ପ୍ରଧାନ ଛନ୍ଦାଚରଣ ରଣା, ସୁବାଷ କିଶୋର ସାହୁ, ଅନିଳ ପଟେଲ,ସୁରଜ କୁମାର ସାହୁ ପ୍ରମୁଖ ସଭ୍ୟ ମାନଙ୍କ ସହିତ ମାର୍କେଟ ପାଖ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଜଗି ରହିଥିଲେ। ପୁଲିସକୁ ସୂଚନା ଦେଲାପରେ ଲଇଡା ପାଣ୍ଡି ଅଧିକାରୀ ରବିନ୍ଦ୍ର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗତ ସନ୍ଧ୍ୟା ରେ ଯୋଗାଣ ବିଭାଗ ର ଅଧିକାରୀମାନେ ପ୍ରାରମ୍ଭିକ ତଦନ୍ତ କରି ପୁଲିସ ହେପାଜତରେ ଟ୍ରକ୍ ଛାଡି ଫେରି ଯାଇଥିଲେ। ଆଜି ପୁଣି ସମ୍ବଲପୁରର ଏସିଏସ୍ଓ  ସୌଭାଗ୍ୟ ନାଏକ, ଏସ୍ଏମସି ଏସିଏସଓ ବିଶ୍ୱ ରଞ୍ଜନ ସାହୁ ,ଏସ୍.ଏମ୍.ସି ର ଯୋଗାଣ ଅଧିକାରୀ ସୁଧିର ରଞ୍ଜନ ପାତ୍ର , ରେଙ୍ଗାଲି ବ୍ଳକ୍ ଯୋଗାଣ ଅଧିକାରୀ ମାର୍ଶଲିନ୍ ପଢିଆରୀ ଲଇଡା ମାର୍କେଟ ୟାର୍ଡରେ ତଦନ୍ତ ପାଇଁ ପହଞ୍ଚି ଧାନବସ୍ତା ବୋଝେଇ ଟ୍ରକ୍ କୁ ଜବତ କରି କିଶୋରନଗର ସ୍ଥିତ କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ମିଲକୁ ଅଫିସିଆଲ୍ ତଦନ୍ତ ପାଇଁ ନେଇଥିବାର ଜଣାପଡିଛି ।

କୃଷକ ସଙ୍ଗଠନ ର ଅଭିଯୋଗ ଅନୁଯାୟୀ ଟ୍ରକ୍ ଧାନ ବସ୍ତା ବୋଝେଇ କରି ୨୮ ତାରିଖ ମଙ୍ଗଳବାର ଦିନ କୁଚିଣ୍ଡା ସବ୍ ଡିଭିଜନ୍ ର କୁଟୁରାଚୁଆଁ ମାର୍କେଟ ୟାର୍ଡରେ ଏଣ୍ଟ୍ରି କରାଯାଇ ଏହି ଧାନ ଶ୍ରୀ ଗଣେଶ ରାଇସ୍ ମିଲ୍ କୁ ପଠାଯାଇଥିଲା । ତେବେ ଟ୍ରକଟି ଶ୍ରୀ ଗଣେଶ ରାଇସ୍ ମିଲକୁ ନଯାଇ ଲଇଡା ବିଦ୍ୟୁତ୍ ଗ୍ରୀଡ୍ ପାଖରେ ଥିବା ଏକ ଘର ପାଖରେ ରଖି ଦିଆଯାଇଥିଲା । ପରବତ୍ତୀ ଦିନ ଅର୍ଥାତ୍ ବୁଧବାର ଏହି ଟ୍ରକ୍ କୁ ନେଇ ଲଇଡା ମାର୍କେଟ ୟାର୍ଡ ପାଖ ରାସ୍ତା କଡରେ ଠିଆ କରାଇ ରାଜୁବାଗ ନାମକ ଜନୈକ ଯୁବକ ୟାର୍ଡ ଭିତରକୁ ପଶି ସେଠାରେ ଧାନ କିଣାବିକା କରୁଥିବା ସେବା-ସମବାୟ ସମିତିର କର୍ମଚାରୀ ଏବଂ ଆର୍.ଏମ୍.ସି କର୍ମଚାରୀଙ୍କୁ  ଟ୍ରକରେ ଧାନ ବିକ୍ରି କରିବାକୁ ଚାଷୀମାନଙ୍କ ନାମ ଏଣ୍ଟ୍ରି କରିବାକୁ କହିଥିଲେ । ଠିକ୍ ସେତିକି ବେଳେ କୃଷକ ସଙ୍ଗଠନର କିର୍ମକର୍ତ୍ତା ଏବଂ ସଭ୍ୟ ମାନେ ପହଞ୍ଚି ଏହି ଟ୍ରକର ଧାନ ବାହାର ଅଞ୍ଚଳର ଏବଂ କୁଟୁରାଚୁଆଁ ମାର୍କେଟ୍ ୟାର୍ଡରେ ମଙ୍ଗଳବାର ଦିନ ବିକ୍ରି ହୋଇ ସାରିଛି ବୋଲି ଆପତ୍ତି କରିଥିଲେ । ଟ୍ରକର ଧାନ ଏଣ୍ଟ୍ରି କରା ନଯାଉ ବୋଲି ଦାବୀ କରିଥିଲେ । ଫଳରେ ଧାନବିକ୍ରି ପାଇଁ ଏଣ୍ଟ୍ରି ହୋଇ ପାରି ନଥିଲା । ଏହି ଘଟଣା ଅଞ୍ଚଳର ଚାଷୀ ମହଲରେ ଚର୍ଚ୍ଚା ର ବିଷୟ ହୋଇଛି । ଅପରପକ୍ଷରେ କୁଟୁରାଚୁଆଁ ମାର୍କେଟ ୟାର୍ଡରେ ଏହି ଟ୍ରକ୍ ରେ ଲୋଡ୍ ହୋଇଥିବା ଧାନ ବିକ୍ରି ହୋଇ ଶ୍ରୀ ଗଣେଶ ରାଇସ୍  ମିଲ୍ କୁ ପଠାଯାଇଥିଲେ ମଧ୍ୟ କାଗଜ କଳମ ରେ ସବୁ ଠିକ୍ ଠାକ୍ କରି ଦିଆଯାଇଛି ବୋଲି ଚାଷୀ ମହଲ ରେ ଚର୍ଚ୍ଚା ହେଉଛି। ଏହା ମିଲର୍ସ ଏବଂ ବ୍ୟବସାୟୀ ମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ର ପରିଣତି ଅଟେ । ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ କୃଷକ ସଙ୍ଗଠନ ପକ୍ଷରୁ ଦାବୀ ହେଉଛି।

Comments are closed.