ଏଆଇଏମ୍‍ଆଇଏମ୍‍ କର୍ପୋରେଟର ଗିରଫ

0

ଔରଙ୍ଗାବାଦ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ପାଇଁ ଆଗତ ଶୋକ ପ୍ରସ୍ତାବକୁ ବିରୋଧ କରିବାରୁ ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍‍)ର ଜଣେ କର୍ପୋରେଟରଙ୍କୁ ଗିରଫ କରାଯାଇଛି। କର୍ପୋରେଟର ଜଣଙ୍କ ହେଉଛନ୍ତି ସୟଦ ମାତିନ ସୟଦ ରସିଦ। ରସିଦ ଔରଙ୍ଗାବାଦ ମ୍ୟୁନିସିପାଲ କର୍ପୋରେସନ (ଏଏମସି)ର ସଦସ୍ୟ ଅଛନ୍ତି। ବାଜପେୟୀଙ୍କ ପରଲୋକ ପାଇଁ ପୌର ପରିଷଦ ବୈଠକରେ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବକୁ ରସିଦ ବିରୋଧ କରିଥିଲେ। ଏହି ବିରୋଧକୁ ନେଇ ରସିଦଙ୍କ ବିରୋଧରେ ଆଇପିସି ୧୫୩ କ ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରାଯାଇଛି। ଏଏମସି ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଶୁକ୍ରବାର ରାତିରେ ରସିଦଙ୍କୁ ଗିରଫ ପୂର୍ବକ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି। ଶୋକ ପ୍ରସ୍ତାବକୁ ବିରୋଧ କରିବା ନେଇ ରସିଦଙ୍କୁ ବୈଠକରେ ଉପସ୍ଥିତ ଅନ୍ୟ କର୍ପୋରେଟରମାନେ ମାଡ ମାରିଥିଲେ। ମହାରାଷ୍ଟ୍ରର ଔରଙ୍ଗାବାଦର ଏହି ମ୍ୟୁନିସିପାଲ କର୍ପୋରେସନ ବିଜେପି ଓ ଶିବସେନା ଦ୍ୱାରା ଶାସିତ। ପୌରସଭାର ସାଧାରଣ ପରିଷଦ ବୈଠକରେ ବିଜେପି କର୍ପୋରେଟର ରାଜୁ ବୈଦ୍ୟ ଶୋକ ପ୍ରସ୍ତାବ ଆଗତ କରିଥିଲେ। ରସିଦ ଏହାକୁ ବିରୋଧ କରିବାରକୁ ଅନ୍ୟ କର୍ପୋରେଟରମାନେ ଉତ୍ତ୍ୟକ୍ତ ହୋଇଉଠିଥିଲେ ଓ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ମାଡରେ ଆହତ ହୋଇ ରସିଦ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ସେଠାରେ ପୁଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ରସିଦଙ୍କୁ ମାଡ ମାରିବା ଅଭିଯୋଗରେ ବିଜେପିର ୫ଜଣ କର୍ପୋରେଟରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ମାଡ ମରାଯିବା ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।

Leave A Reply