ଶୀତ ଋତୁରେ ଟଳିଯିବ କରୋନା ସଂକ୍ରମଣ ଆଶଙ୍କା, ବର୍ଷେ ଲାଗିବ ଟୀକାକରଣ ପ୍ରକ୍ରିୟା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌-୧୯ ସ୍ଥିତିର ସମୀକ୍ଷା କରିଛନ୍ତି। ଓଡ଼ିଶାରେ କରୋନା ମହାମାରୀର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ଯୋଗୁ ପୂଜା ସମୟରେ କରୋନା ସଂକ୍ରମଣ ବୃଦ୍ଧିର ଭୟ ଦୂର ହୋଇପାରିଛି। ଏବେ ଶୀତ ଋତୁ ଚାଲିଛି। ଶୀତ ଋତୁରେ ସତର୍କ ରହିବା ପାଇଁ ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ ସଚେତନ କରାଯାଇଥିଲା। ତେବେ ଶୀତ ଋତୁରେ ହେବାକୁ ଥିବା କରୋନା ସଂକ୍ରମଣ ଆଶଙ୍କା ମଧ୍ୟ ଟଳିଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଭାରତରେ ଟୀକାକରଣ ପ୍ରକ୍ରିୟାକୁ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିବ ବୋଲି ଆଶା କରାଯାଉଛି। ତେଣୁ ସମସ୍ତେ କୋଭିଡ୍‌-୧୯ ନିୟମ ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମ ଏବଂ କୋଭିଡ୍‌-୧୯ ପ୍ରୋଟୋକଲ୍‌ ନେଇ ଉପଯୁକ୍ତ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଟୀକାକରଣ କାର୍ଯ୍ୟକ୍ରମ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଥିବାରୁ ଓଡ଼ିିଶା ଏଥି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ସୁନିଶ୍ଚିତ କରିଛନ୍ତି।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୬୩,୧୨,୭୦୭ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୨୩,୦୨୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୩,୧୭,୮୭୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୧୭୯୮ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩,୩୦୩ ରହିଛି। ୩,୩୦୩ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.