ଏକ ସପ୍ତାହ ପୂର୍ବରୁ ’ଜନତା କର୍ଫ୍ୟୁ’ ଲାଗୁ ହେବାର ଥିଲା : ସଞ୍ଜୟ ରାଉତ

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ରବିବାର ସମଗ୍ର ଦେଶରେ ଲୋକମାନେ ’ଜନତା କର୍ଫ୍ୟୁ’ ପାଳନ କରିଛନ୍ତି। ମାତ୍ର କରୋନା ଭୂତାଣୁ(ଭାଇରସ୍)ର ବିସ୍ତାରକୁ ରୋକିବା ପାଇଁ ଏକ ସପ୍ତାହ ପୂର୍ବରୁ ଏହି ’ଜନତା କର୍ଫ୍ୟୁ’ ଲାଗୁ କରାଯିବା ଉଚିତ ଥିଲା ବୋଲି କହିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ।
ସଞ୍ଜୟ ରାଉତ କହିଛନ୍ତି ଯେ, କରୋନା ଭାଇରସ୍ ଦେଶର ଅର୍ଥନୀତିରେ ଗଭୀର ପ୍ରଭାବ ପକାଇବ। ରବିବାର ଦିନ ଦେଶର ଲୋକମାନେ ବାହାରକୁ ନଜାଇ ଘର ଭିତରେ ରହିଛନ୍ତି। ଏହି ମାରାତ୍ମକ ଭୂତାଣୁର ବିସ୍ତାରକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ’ଜନତା କର୍ଫ୍ୟୁ’ର ଆବେଦନ ଯୋଗୁଁ ରାସ୍ତାଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ମାତ୍ର ଏକ ସପ୍ତାହ ପୂର୍ବରୁ ଏହି କର୍ଫ୍ୟୁ ଲାଗୁ ହେବାର ଥିଲା ବୋଲି ସେ କହିଛନ୍ତି। ସରକାରଙ୍କର ଭିନ୍ନ ମତ ହୋଇ ଥାଇପାରେ, କିନ୍ତୁ ମୋର ବ୍ୟକ୍ତିଗତ ମତ ହେଉଛି ଏହି ନିଷ୍ପତ୍ତି ପୂର୍ବରୁ ନେବା ଉଚିତ୍ ଥିଲା।
ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଭାରତ ସରକାର ଚୀନ୍ ସରକାରଙ୍କ ପରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଚୀନ ସରକାର ଯେପରି ନିଜ ନିଷ୍ପତ୍ତିକୁ କଡାକଡି ଭାବେ କାର୍ଯ୍ୟକାରୀ କରିଛନ୍ତି ଏବଂ କୋଭିଡ -୧୯ର ବିସ୍ତାରକୁ ରୋକିବାରେ ସକ୍ଷମ ହୋଇଛନ୍ତି। ଭାରତ ସରକାଙ୍କୁ ମଧ୍ୟ ସେଭଳି ପଦକ୍ଷେପ ନେବାକୁ ପଡ଼ିବ। ଗୋମାଂସ ଖାଇବା ଏବଂ ’ଭାରତ ମାତା କି ଜୟ’ ଭଳି ସ୍ଲୋଗାନ ଦେବା ପରିବର୍ତ୍ତେ ପରସ୍ପରକୁ ସାହାଯ୍ୟ କରି ଲୋକଙ୍କୁ ବଞ୍ଚାଇ ରଖିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ।

Comments are closed.