କରୋନା ଅପଡ଼େଟ୍ : ସମଗ୍ର ବିଶ୍ବରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୮୨୭୨କୁ ବୃଦ୍ଧି

ସୁସ୍ଥ ହୋଇ ଫେରିଲେଣି ୮୨ହଜାରରୁ ଉର୍ଦ୍ଧ୍ବ

– ବିଶ୍ବରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ
– ଇଟାଲୀରେ କରୋନାରେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
– ଭାରତରେ ୧୫୩ ଜଣ କରୋନା ଭୂତାଣୁ ସଂକ୍ରମିତ
– ଇରାନର କରୋନା ମୃତ୍ୟୁ ସଂଖ୍ୟା ୧,୧୩୫ 
ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ(ଭାଇରସ) ଏବେ ସମଗ୍ର ବିଶ୍ବକୁ କବଳିତ କରିବାକୁ ବସିଲାଣି। ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇଥିବା ବେଳେ ଏଥିରେ ମୃତ୍ୟୁସଂଖ୍ୟା ୮୨୭୨କୁ ବୃଦ୍ଧି ପାଇଛି। ସବୁଠାରୁ ଖାସ୍ କଥା ହେଉଛି ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇ ମଧ୍ୟ ଏପର୍ଯ୍ୟନ୍ତ ୮୨ହଜାରରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ମାରାତ୍ମକ ଭୂତାଣୁ(ଭାଇରସ୍) ପାଇଁ ୟୁରୋପ ସବୁଠାରୁ ଅସୁରକ୍ଷିତ ସ୍ଥାନ ପାଲଟିଛି। ୟୁରୋପରେ ମୃତ୍ୟୁ ସଂଖ୍ୟା ଏସିଆ ଅପେକ୍ଷା ଅଧିକ ରହିଛି। ୟୁରୋପରେ ଏପର୍ଯ୍ୟନ୍ତ ୩ହଜାର ୪୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଏସିଆରେ ମୃତ୍ୟୁ ସଂଖ୍ୟା ୩ହଜାର ୩୮୪ରେ ପହଞ୍ଚିଛି। ଯଦିଓ କରୋନା ଭୂତାଣୁ(ଭାଇରସ୍) ଚାଇନାରୁ ସମଗ୍ର ବିଶ୍ବକୁ ବ୍ୟାପିଛି, କିନ୍ତୁ ବର୍ତ୍ତମାନ ୟୁରୋପ କରୋନା ଭୂତାଣୁର କେନ୍ଦ୍ର ପାଲଟିଛି।
ଚୀନରେ ସ୍ଥିତି ସୁଧୁରୁଥିଲେ ହେଁ ଜର୍ମାନୀ, ଇଟାଲୀ ଓ ଇରାନରେ ସ୍ଥିତି ଏବେ ଭୟଙ୍କର ହୋଇଯାଇଛି। ସ୍ପେନ ଓ ଫ୍ରାନ୍ସରେ ମଧ୍ୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସଂପୃକ୍ତ ଦେଶର ସରକାରମାନେ ଏକାଧିକ କଟକଣା ଓ ଜାତୀୟ ସ୍ୱାସ୍ଥ୍ୟ କାଳୀନ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।
ଇରାନରେ କରୋନା ଭାଇରସରେ ଆଉ ୧୪୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହା ସହିତ ଇରାନରେ କରୋନାରେ ମୃତ୍ୟୁ ସଂଖ୍ୟା ୧,୧୩୫କୁ ବୃଦ୍ଧି ପାଇଛି।

Comments are closed.