ଉତ୍ତରପ୍ରଦେଶରେ ରୁଷ ପ୍ରସ୍ତୁତ କୋଭିଡ଼ ଟୀକା ’ସ୍ପୁଟନିକ-ଭି’; ଦୀପାବଳି ପରେ ମାନବ ପରୀକ୍ଷା

କାନପୁର: ଉତ୍ତରପ୍ରଦେଶରେ ରୁଷ ପ୍ରସ୍ତୁତ ସ୍ପୁଟନିକ୍-ଭିର ହେବ ମାନବ ପରୀକ୍ଷା । ଦୀପାବଳି ପରେ ବିଭିନ୍ନ ମେଡ଼ିକାଲ କଲେଜରେ ଏହା ପରୀକ୍ଷା କରାଯିବ । ଏଥିପାଇଁ ରୁଷରୁ ଟୀକା କାନପୁର ଅଣାଯାଇଛି । ଆଇସିଏମଆର୍ ଓ ଡ଼୍ରଗ୍ସ କଂଟ୍ରୋଲର ଏହି ପରୀକ୍ଷା ନିମନ୍ତେ ସବୁଜସଙ୍କେତ ଦେଇଛନ୍ତି । ଫାର୍ମା କମ୍ପାନୀ ଡ଼କ୍ଟର ରେଡ଼୍ଡ଼ୀ ତତ୍ବାବଧାନରେ ଏହି ପରୀକ୍ଷା କରାଯିବ ଏବଂ ଏହାକୁ ଜିଏସଭିଏମ୍ ଏଥିକ୍ସ କମିଟି ଅନୁମୋଦନ କରିଛି ।

ସୂଚନା ଅନୁସାରେ ଏହି ପରୀକ୍ଷଣରେ ୧୮ରୁ ୬୫ ବର୍ଷ ବୟସର ପ୍ରାୟ ୨୦୦ ଲୋକଙ୍କ ଉପରେ କରାଯିବ । ପ୍ରଥମ ଡ଼ୋଜ ଦିଆଯିବାର ୨୧ ଦିନ ପରେ ଦ୍ବିତୀୟ ଡ଼ୋଜ ଦିଆଯିବ ଏବଂ ଆଣ୍ଟିବଡ଼ି ପରୀକ୍ଷା କରାଯିବ । ଏହାର ନମୂନା ଆଇସିଏମଆର, ଫାର୍ମା କମ୍ପାନୀ ଓ ରୁଷରେ କାର୍ଯ୍ୟ କରୁଥିବା ଇଣ୍ଡିଆ ବାୟୋଟେକକୁ ପଠାଯିବ । ସେହିପରି ଜିଏସଭିଏମ୍ର ଡ଼ାକ୍ତରମାନେ ମଧ୍ୟ ଏହାର ପ୍ରଭାବ ଅନୁସନ୍ଧାନ କରିବେ । ଏହି ପରୀକ୍ଷାନିରୀକ୍ଷା ୭ ମାସ ଧରି ଚାଲିବ ।

ଉତ୍ତରପ୍ରଦେଶ ସହ ସ୍ପୁଟନିକ-ଭି ପରୀକ୍ଷା ଭେଲୋର ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜ, ପୁନେର କେ.ଏମ ହସପିଟାଲ, ବେଲଗାଓଁର କେଏଲଏ, ପୁଡ଼ୁଚେରୀର ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ ଆଦିରେ କରାଯିବ ବୋଲି ସୂଚନା ମିଳିଛି । ଏଥିରେ ସୁସ୍ଥ ଓ କରୋନା ମୁକ୍ତ ରୋଗୀ ସାମିଲ ହୋଇ ପାରିବେ । ତେବେ ହୃଦରୋଗୀ, ମଧୁମେହ ରୋଗୀ, କର୍କଟ ଓ କିଡ଼ନୀ ରୋଗୀଙ୍କୁ ଏହି ପରୀକ୍ଷାରେ ସାମିଲ କରାଯିବ ନାହିଁ ବୋଲି ସୂଚନା ମିଳିଛି ।

Comments are closed.