ଆପଣଙ୍କ ପାଖରେ କେବେ ପହଞ୍ଚିବ କରୋନା ଟୀକା; କ’ଣ ରହିଛି ସରକାରଙ୍କ ଯୋଜନା

ଜୁଲାଇ ସୁଦ୍ଧା ଦେଶର ୨୫ କୋଟି ଲୋକଙ୍କ ଟୀକାକରଣ ଲକ୍ଷ୍ୟ

ପ୍ରଥମ ପର୍ଯ୍ୟାୟରେ ଡ଼ାକ୍ତର, ନର୍ସ, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ, ଏଏନଏମ୍

ଦ୍ବିତୀୟ ପର୍ଯ୍ୟାୟରେ ପରିମଳ କର୍ମଚାରୀ ଓ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଟୀକା ଏଯାଏ ଆସିନାହିଁ, କିନ୍ତୁ ଦେଶ ତଥା ବିଶ୍ବରେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାକୁହାଯାଉଛି । ଯଦି ସବୁକିଛି ଠିକ୍ ଚାଲେ ତେବେ ଆସନ୍ତା ବର୍ଷ ପ୍ରଥମ ତ୍ରୟମାସିକ ସୁଦ୍ଧା ଏହି ଟୀକା ଆସିପାରିବ । ମାତ୍ର ଏହି ଟୀକା କେଉଁଠି ରହିବ , କେମିତି ଟୀକା ପ୍ରଦାନ କରାଯିବ ଓ କାହାକୁ ପ୍ରଥମେ ଦିଆଯିବ ତାହାକୁ ନେଇ ବିଚାରବିମର୍ଶ ଚାଲିଛି । ସରକାର ଏହାକୁ ନେଇ ଚିନ୍ତାରେ ଅଛନ୍ତି, ଅନ୍ୟପକ୍ଷରେ ଟୀକା କାହାକୁ କେବେ ମିଳିବ ତାହାକୁ ନେଇ ଜନସାଧାରଣ ମଧ୍ୟ ଆଶା ଆଶଙ୍କାରେ ରହିଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ ଏହି ଟୀକାକରଣ ୪ ପର୍ଯ୍ୟାୟ ବା ତାହାଠାରୁ ଅଧିକ ପର୍ଯ୍ୟୟରେ ହୋଇପାରେ । ଯେଉଁମାନେ କରୋନ ଲଢ଼େଇରେ ରହିଛନ୍ତି, ସ୍ବାସ୍ଥ୍ୟ କର୍ମୀ, ପୁଲିସ କର୍ମଚାରୀ ପ୍ରମୁଖ ପ୍ରଥମେ ଟୀକା ପାଇ ପାରନ୍ତି ବୋଲି କୁହାଯାଉଛି ।

ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କ ପାଇଁ ଦେଶରେ ୫୦ କୋଟି ଟୀକା ପ୍ରସ୍ତୁତ ହେବାକୁ ଲକ୍ଷ୍ୟ ରଖାଯାଇଛି । ଟୀକା ଆବଣ୍ଟନ ଲାଗି ଜାତୀୟସ୍ତରରେ ଏକ କମିଟି ଗଠନ କରାଯାଇଛି । କେଉଁ ଆଧାରରେ ଟୀକା ବଣ୍ଟନ ହେବ ତାହା କେବଳ ଏହି ଗୋଷ୍ଠୀ ହିଁ ନିର୍ଧାରଣ କରିବ ।  ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କେନ୍ଦ୍ର ସଚିବ ରାଜେଶ ଭୂଷଣ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଟୀକା ଦିଆଯିବ ବୋଲି କହିଛନ୍ତି ।  ଏହି ବର୍ଗରେ ଡାକ୍ତର, ନର୍ସ ଏବଂ ଅନ୍ୟ ହସ୍ପିଟାଲର କର୍ମଚାରୀ କିମ୍ବା ଏଏନଏମ୍ କର୍ମଚାରୀ ଅଛନ୍ତି | ପ୍ରତିଦିନ ରୋଗୀଙ୍କୁ ଭେଟିବା ଏବଂ ଯତ୍ନ ନେବା କାରଣରୁ ସେମାନେ କରୋନା ସଂକ୍ରମଣର ସର୍ବାଧିକ ବିପଦରେ ଅଛନ୍ତି | ତେଣୁ ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ପରିମଳ କର୍ମଚାରୀ ଏବଂ ପୁଲିସକୁ ଦିଆଯିବ ଟୀକା । ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ଯୋଗୁଁ ସେମାନଙ୍କ ଉପରେ ବିପଦ ରହିଛି ଏବଂ ପୁଲିସ କର୍ମଚାରୀମାନେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ନିୟମିତ ଆସୁଥିବାରୁ ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଟୀକା ଦିଆଯିବ । ଏହାପରେ ୫୦ ବର୍ଷରୁ କମ୍ ବୟସର ଲୋକଙ୍କୁ ଟୀକାକରଣ କରାଯିବ । ଅବଶିଷ୍ଟ ଲୋକମାନଙ୍କୁ ପରବର୍ତୀ ପର୍ଯ୍ୟାୟରେ ଟୀକା ଦିଆଯିବ ବୋଲି ସୂଚନା ମିଳିଛି ।  କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏଥିନିମନ୍ତେ ଏକ ଡ଼ାଟାବେସ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ଓ ତାହାରି ଆଧାରରେ ଟୀକା ପ୍ରଦାନ କରାଯିବ ।

କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ବିଭିନ୍ନ ରାଜ୍ୟରେ କୋଭିଡ ଭ୍ୟାକ୍ସିନ ହିତାଧିକାରୀ ପରିଚାଳନା ବ୍ୟବସ୍ଥା (CVBMS) ପ୍ରସ୍ତୁତ କରାଯାଉଛି। ଏଏନଏମମାନଙ୍କୁ ଟୀକା ପ୍ରଦାନ ନିମନ୍ତେ ତାଲିମ ଦିଆଯିବ ଏବଂ ଏହାବ୍ୟତୀତ ନର୍ସ ଓ ଫାର୍ମା ବିଶେଷଜ୍ଞମାନଙ୍କର ସହାୟତା ନିଆଯିବ ।

ଟୀକାକରଣ କ୍ଷେତ୍ରରେ ଭାରତର ରେକର୍ଡ ବହୁତ ଭଲ ରହିଛି। ରୋଗ ରୋକିବା ପାଇଁ  ପ୍ରତିବର୍ଷ ଗର୍ଭବତୀ ଏବଂ ନବଜାତ ଶିଶୁମାନଙ୍କୁ ଟିକା ଦିଆଯାଏ | ଏଥିପାଇଁ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କର ଡାଟାବେସ୍ ପ୍ରସ୍ତୁତ କରିବାର ଅଭିଜ୍ଞତା ଅଛି ଏବଂ ଟୀକା ସଂରକ୍ଷଣ କରିବାର କ୍ଷମତା ଅଛି | ଟୀକାକୁ ଏକ ନିର୍ଦିଷ୍ଟ ତାପମାତ୍ରାରେ ରଖା ନ ଗଲେ ତାହା ନଷ୍ଟ ହେବାର ଭୟ ରହିଛି । ତେଣୁ ଦେଶରେ ଥିବା ପ୍ରାୟ ୨୭ ହଜାର ଶୀତଳଭଣ୍ଡାରଗୁଡ଼ିକୁ ବ୍ୟବହାର ପାଇଁ ଲକ୍ଷ୍ୟ ରଖାଯାଇଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ସବୁଠାରୁ ବଡ଼ ଆହ୍ବାନପୂଣ୍ଣ ହେବ ବୋଲି କୁହାଯାଉଛି । ଦେଶର ଯୁବଗୋଷ୍ଠୀ କରୋନାରେ ଅଧିକ ସଂକ୍ରମିତ ହେଉଥିବାରୁ ସେମାନଙ୍କୁ କେବେ ଟୀକା ପ୍ରଦାନ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । ସେମାନେ ପ୍ରଥମ ପର୍ଯ୍ୟାୟରେ ନା ପରବର୍ତୀ ପର୍ଯ୍ୟାୟରେ ଟୀକା ଦିଆଯିବ ତାହା ଏଯାଏ ଅସ୍ପଷ୍ଟ ।

ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଧନୀ ରାଷ୍ଟ୍ରମାନଙ୍କଠାରୁ ଏଥିନିମନ୍ତେ ସହଯୋଗ ଓ ସହାୟତା ଲୋଡ଼ିଛି । ସେମାନେ ପାଣ୍ଠି ଦେଲେ ଗରିବ ଦେଶଗୁଡ଼ିକର ନାଗରିକମାନଙ୍କୁ ମାଗଣା ଟୀକା ଦିଆଯାଇ ପାରିବ ବୋଲି ସଂଗଠନ କହିଛି । ୨୦୨୧ ସୁଦ୍ଧା ବିଭିନ୍ନ ଦେଶରେ ୨ ବିଲିଅନ ଡ଼ୋଜ୍ ବିତରଣ ଲକ୍ଷ ରଖାଯାଇଛି ।

Comments are closed.