କରୋନା ଭୟ : ଘୁଞ୍ଚିପାରେ ଟୋକିଓ ଅଲିମ୍ପିକ୍‌ସ

ଟୋକିଓ : ଜାପାନର ଟୋକିଓ ସହରରେ ଆସନ୍ତା ଜୁଲାଇ ୨୪ରୁ ଅଲିମ୍ପିକ୍‌ସ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନା ଭାଇରସ୍‌ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଟୋକିଓ ଅଲିମ୍ପିକ୍‌ସ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଆୟୋଜକ ଜାପାନ ଚାହିଁଲେ ଟୋକିଓ ଅଲିମ୍ପିକ୍‌ସ ବିଳମ୍ବିତ ହୋଇପାରିବ ବୋଲି ଜାପାନ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ମତ ଦେଇଛନ୍ତି ଅଲିମ୍ପିକ୍‌ସ ମନ୍ତ୍ରୀ ସେଇକୋ ହାସିମୋଟୋ।

କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବାରୁ ଏହାର ପ୍ରଭାବ ଟୋକିଓ ଅଲିମ୍ପିକ୍‌ସ ଉପରେ କ’ଣ ପଡ଼ିବ ବୋଲି ଜାପାନ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ହାସିମୋଟୋ କହିଥିଲେ ଆୟୋଜକ ଜାପାନ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ୨୦୨୦ ଶେଷ ସୁଦ୍ଧା ଯେକୌଣସି ସମୟରେ ଅଲିମ୍ପିକ୍‌ସ ଆୟୋଜିତ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ଯଦି କରୋନା ଭାଇରସ୍‌ ଆତଙ୍କ ଯୋଗୁଁ ଜୁଲାଇରେ ଅଲିମ୍ପିକ୍‌ସ ଆୟୋଜିତ ହୋଇନପାରେ ତେବେ ଏହାକୁ ଚଳିତ ବର୍ଷ ଶେ​‌ଷ ସୁଦ୍ଧା ଯେକୌଣସି ସମୟରେ ଆୟୋଜନ କରାଯାଇ ପାରିବ। ସୂଚନାଥାଉକି ଚୁକ୍ତି ଅନୁଯାୟୀ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ଚାହିଁଲେ ଅଲିମ୍ପିକ୍‌ସ ଆୟୋଜନକୁ ବାତିଲ କରି ଦେଇପାରିବ। ତେବେ କିଛିଦିନ ତଳେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ସଭାପତି ଥୋମାସ୍‌ ବାଚ୍ ସାମ୍ବାଦିକଙ୍କୁ କହିଥିଲେ ଟୋକିଓ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ଆୟୋଜନ ପାଇଁ ପ୍ରଚେଷ୍ଟା ଜାରି ରହିଛି।  ଜାପାନର ଅଲିମ୍ପିକ୍‌ସ ମନ୍ତ୍ରୀ ଆହୁରି କହିଥିଲେ ଟୋକିଓ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ଆୟୋଜନ ପାଇଁ ଆୟୋଜକ କମିଟି ସମସ୍ତ ପ୍ରସ୍ତୁତି ଶେଷ କରିଛି। ଅଲିମ୍ପିକ୍‌ସର ସଫଳ ଆୟୋଜନ ନିମନ୍ତେ ୧୨.୫୧ ବିଲିୟନ୍‌ ଡଲାର ଅର୍ଥ ଖର୍ଚ୍ଚ ପାଇଁ ବ୍ୟୟବରାଦ କରାଯାଇଛି।

Comments are closed.