ଆଫ୍ରିଦିଙ୍କୁ ହରଭଜନଙ୍କ ଉଚ୍ଚ ପ୍ରଶଂସା

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଭାରତୀୟ ଅଫ୍‌ସ୍ପିନର୍‌ ହରଭଜନ ସିଂହ। ଏକଦା ଏକାଠି କ୍ରିକେଟ୍ ଖେଳୁଥିବା ବେଳେ ହରଭଜନ ଓ ଆଫ୍ରିଦିଙ୍କ ମଧ୍ୟରେ ସଂପର୍କ ଏତେଟା ଭଲ ନ ଥିଲା। ତେବେ କରୋନା ସଂକ୍ରମଣଜନିତ ପରିସ୍ଥିତିରେ ଆଫ୍ରିଦି ପାକିସ୍ତାନର ଲାହୋର ସହରରେ ଥିବା ଅଭାବୀ ଲୋକଙ୍କୁ ମାଗଣାରେ ସାବୁନ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବାଣ୍ଟୁ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଆଫ୍ରିଦିଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି ହରଭଜନ ସିଂହ।
ବୁଧବାର ହରଭଜନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଫ୍ରିଦି ଯାହା କରୁଛନ୍ତି ତାହା ମାନବିକତାର ବଳିଷ୍ଠ ଉଦାହରଣ। ସେଥିପାଇଁ ସେ ପ୍ରଶଂସାର ପାତ୍ର। ହରଭଜନଙ୍କ ଠାରୁ ପ୍ରଶଂସା ପାଇବା ପରେ ନିଜ ପ୍ରତିକ୍ରିୟାରେ ଆଫ୍ରିଦି ଦର୍ଶାଇଛନ୍ତି ମାନବିକତା ଠାରୁ ବଡ଼ କିଛି ନାହିଁ। ହରଭଜନ୍‌ଙ୍କ ପ୍ରଶଂସା ତାଙ୍କ ମନୋବଳ ବଢ଼ାଇ ଦେଇଛି। କରୋନା ସଂକ୍ରମଣ ନିମନ୍ତେ ବିଶ୍ବବ୍ୟାପୀ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସମସ୍ତେ ମିଳିିମିଶି କାମ କରିବା ଉଚିତ୍‌ ବୋଲି ସେ ମତ ଦେଇଛନ୍ତି। ସୂଚନାଥାଉକି କିଛିଦିନ ତଳେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର୍‌ ଏକ ଭିଡିଓ ପୋଷ୍ଟ କରି ଜାତିଧର୍ମ ନିର୍ବିଶେଷରେ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଥିଲେ।

Comments are closed.