କରୋନା ଅପଡେଟ: ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମିଳିତ ଭାବେ ଦେଶରେ କରୋନା ଭୁତାଣୁ ସଂକ୍ରମଣ ରୋକିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ରୋଗର ମୁକାବିଲା ପାଇଁ ଔଷଧ ଏବଂ ଆବଶକୀୟ ମେଡିକାଲ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ଭାବେ ମହଜୁଦ ରଖିଛନ୍ତି। ଚୀନ ଭଳି କୌଣସି ଅଘଟଣ ଘଟିଲେ ସରକାର ଏହାର ସଠିକ ମୁକାବିଲା କରିବେ ବୋଲି ସେ କହିଛନ୍ତି। ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଆଜି ସକାଳେ କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ର ମନ୍ତ୍ରୀ ମନସୁଖ ମାଣ୍ଡବୀୟ ସମସ୍ତ ଔଷଧ ଓ ମେଡିକାଲ ଉପକରଣ ମହଜୁଦ ଥିବା ବିଷୟ ତାଙ୍କୁ ଜଣାଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଭାରତ ଇତି ମଧ୍ୟରେ ଚୀନର ଊହାନରୁ ୬୪୫ ଜଣଙ୍କୁ ଦେଶକୁ ଆଣି ସାରିଥିବା ବେଳେ ୭ ଜଣ ମାଳଦୀପ ନାଗରିକଙ୍କୁ ଭାରତ ଆଣି ଦୁଇଟି ସ୍ୱତନ୍ତ୍ର ସେନା ଯାଞ୍ଚ କ୍ୟାମ୍ପରେ ରଖିଛି। ଦୁଇ ସପ୍ତାହ ପର୍ଯ୍ୟନ୍ତ ସେମାନେ ଯାଞ୍ଚ କ୍ୟାମ୍ପରେ ରହିବେ ଏବଂ ପରେ ରକ୍ତ ନମୁନା ପରୀକ୍ଷାରେ ନେଗେଟିଭ ଆସିଲେ ସେମାନଙ୍କୁ ଛଡ଼ାଯିବ। ସେ କହିଛନ୍ତି, ଦେଶର ସୀମାରେ କଡା ଯାଞ୍ଚ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ସମସ୍ତ ବିମାନ ବନ୍ଦରରେ ଥର୍ମାଲ ପଦ୍ଧତିରେ ଯାଞ୍ଚ କରାଯାଉଛି। ବିଶେଷ କରି ବ୍ୟାଙ୍ଗକକ, ସିଙ୍ଗାପୁର, କୁଆଲାଲମ୍ପୁର ଏବଂ ହଂକଂରୁ ଆସୁଥିବା ସମସ୍ତ ବିମାନକୁ ମଧ୍ୟ ଯାଞ୍ଚ କରାଯାଉଛି।

ଏବେ ସୁଦ୍ଧା ୨ ଲକ୍ଷ ୫୧ ହଜାର ୪୪୭ ବିମାନ ଯାତ୍ରୀଙ୍କୁ ୧୨ଟି ପ୍ରମୁଖ ଓ ୬୫ଟି କ୍ଷୁଦ୍ର ବିମାନ ବନ୍ଦରରେ ଯାଞ୍ଚ କରାଯାଇଛି। ଜାପାନର ୟୋକୋହାମା ବନ୍ଦରରେ ଅଟକି ଥିବା ଡାଇମଣ୍ଡ ପ୍ରିନସେସରେ ଥିବା ଦୁଇ ଜଣ ଭାରତୀୟ କର୍ମଚାରୀ ଏହି କରୋନା ଭୁତାଣୁ ସଂକ୍ରମଣ ହୋଇଥିବା ଜଣାପଡିବା ପରେ ବିଦେଶ ମନ୍ତ୍ରାଳୟ ପଦକ୍ଷେପ ନେବା ଆରମ୍ଭ କରିଛି।

ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତଙ୍କ ଉପରେ ଦୃଷ୍ଟି ରଖାଯାଇଛି। ସେମାନଙ୍କ ସମ୍ପର୍କରେ ସମସ୍ତ ସ୍ୱାସ୍ଥ୍ୟଗତ ବିବରଣୀ ସଂଗ୍ରହ କରାଯାଇଥିବା ସେ କହିଛନ୍ତି। ଅନ୍ୟ ପକ୍ଷରେ ୧୫ ହଜାର ୯୯୧ ଜଣଙ୍କ ଉପରେ ନଜର ରଖାଯାଇଛି। ଇତି ମଧ୍ୟରେ ଗୁରୁବାର ସୁଦ୍ଧା ଚୀନରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ୧ ହଜାର ୩୧୦ରେ ପହଂଚିଛି।

Comments are closed.