ଶଙ୍କା ବଢ଼ାଇଲା ନିଜାମୁଦ୍ଦିନ ସମାବେଶ : ୪୪୧ ଜଣଙ୍କଠାରେ କରୋନା ସଂକ୍ରମଣ ଲକ୍ଷଣ

ମୌଲବୀଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ : ନିଜାମୁଦ୍ଦିନ ‘ମର୍କଜ୍‌’(ମସ୍‌ଜିଦ)ରେ ଅନୁଷ୍ଠିତ ‘ତାବଲିଗି ଜମାତ’ ସମାବେଶ ମାଧ୍ୟମରେ ସମଗ୍ର ଦେଶକୁ ବ୍ୟାପିଥିବା କରୋନା ସରକାରଙ୍କ ନିଦ ହଜାଇ ଦେଇଛି। ଏହି ସମାବେଶରେ ଦେଶବିଦେଶରୁ ପ୍ରାୟ ୩୪୦୦ ଧର୍ମାବଲମ୍ବୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୪୪୧ ଜଣଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଇଛି ଓ ୩୫ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ତେଲଙ୍ଗାନାରେ ଏହି ସମାବେଶରେ ଯୋଗ ଦେଇଥିବା ୬ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦେଶକ୍ରମେ ମସ୍‌ଜିଦର ମୌଲବୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଇ ନ ଥିଲା। ଏମିତିକି ଗାଡ଼ିମୋଟର ପାଇଁ ମଧ୍ୟ ଅନୁମତି ଦିଆଯାଇ ନ ଥିଲା; ତେଣୁ ସରକାରଙ୍କ ନିର୍ଦେଶ ଅମାନ୍ୟ କରି ଜନତାଙ୍କ ଜୀବନ ସହ ଖେଳିଥିବା ଆୟୋଜକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଆଦୌ ଦ୍ବିଧା ପ୍ରକାଶ କରିବେ ନାହିଁ ବୋଲି କେଜରିୱାଲ ଘୋଷଣା କରିଛନ୍ତି। ନିଜାମୁଦ୍ଦିନ ସମାବେଶକୁ କେରଳ ସରକାର ତୀବ୍ର ସମାଲୋଚନା କରିଛନ୍ତି।
ନିଜାମୁଦ୍ଦିନରୁ ଫେରିଥିବା ୪୫ଜଣ ମଙ୍ଗଳବାର ତାମିଲନାଡ଼ୁରେ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶରେ ୪ଜଣ ନିଜାମୁଦ୍ଦିନ ଫେରନ୍ତା ଆକ୍ରାନ୍ତ ହୋଇଛନ୍ତି। ଆସାମରେ ପ୍ରାୟ ୫୦୦ ନିଜାମୁଦ୍ଦିନ ଫେରନ୍ତା ସନ୍ଦିଗ୍ଧଙ୍କ ସରକାର ନଜରରେ ରଖିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂଚନାନୁଯାୟୀ, ୨୧୦୦ ବିଦେଶୀ​ ଏହି ସମା​ବେଶରେ ଯୋଗଦେଇଥିଲେ। ଇତିମଧ୍ୟରେ ଦିଲ୍ଲୀ​ରେ ୧୨୦୩ ଜଣଙ୍କର ପରୀକ୍ଷା କରାଯାଇଛି ଓ ୩୦୩ ସଂକ୍ରମିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଆଣ୍ଡାମାନ, ଜାମ୍ମୁ-କାଶ୍ମୀର, କେରଳ, ଓଡ଼ିଶା ସମେତ ପ୍ରାୟ ସମସ୍ତ ରାଜ୍ୟରୁ ମୁସଲମାନମାନେ ଏହି ସମାବେଶରେ ଯୋଗଦେଇଥିଲେ। ପାକିସ୍ତାନ, ମାଲେସିଆ, କିର୍‌ଗିଜ୍‌ସ୍ଥାନ, ଇଣ୍ଡୋନେସିଆ, ସାଉଦିଆରବର ନାଗରିକମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।
ଘଟଣାକ୍ରମ
ମାର୍ଚ୍ଚ ୧୩ରେ ଏହି ସମାବେଶ ଆୟୋଜିତ ହୋଇଥିଲା। ୧୬ରେ କେଜରିୱାଲ ଯେ କୌଣସି ସମାବେଶ ଆୟୋଜନ ଉପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କଟକଣା ଜାରି କରିଥିଲେ। ସର୍ବାଧିକ ୫୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇଥିଲେ। ସେ ପର୍ଯ୍ୟନ୍ତ ସମାବେଶରେ ଯୋଗଦେଇଥିବା ଲୋକେ ମସ୍‌ଜିଦ ପରିସରରେ ଅବସ୍ଥାନ କରିଥିଲେ। ସମାବେଶରେ ଯୋଗଦେଇଥିବା ୧୧ ଇଣ୍ଡୋନେସିଆ ନାଗରିକ ତେଲଙ୍ଗାନାରେ କରୋନା ଆକ୍ରାନ୍ତ ହୋଇଥିବା ୨୦ତାରିଖରେ ଜଣାପଡ଼ିଥିଲା। ୨୧ରେ ଏଠାରେ ୧୭୪୬ଜଣ ରହିଥିଲେ। ସେମାନଙ୍କ ମଧ୍ୟରେ ୨୧୬ ଥିଲେ ବିଦେଶୀ। ୨୨ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଜନତା କର୍ଫ୍ୟୁ ପାଳନ ହେଲା। ୨୩ରେ ମସ୍‌ଜିଦରୁ ୧୫୩୦ଜଣ ବାହାରି ବିଭିନ୍ନ ସ୍ଥାନକୁ ବସ୍‌, ଟ୍ରେନ୍‌ ଓ ବିମାନ ଯୋଗେ ଗଲେ। କେବଳ ବସ୍‌ରେ ୮୨୪ଲୋକ ଫେରିଥିବା ପ୍ରକାଶ। ୨୪ରେ ସରକାର ୨୧ଦିନିଆ ତାଲାବନ୍ଦ ଘୋଷଣା କଲେ। ସେହିଦିନ ନିଜାମୁଦ୍ଦିନ ପୁଲିସ ମସ୍‌ଜିଦରେ ଥିବା ଅବଶିଷ୍ଟ ଲୋକଙ୍କୁ ବାହାରିଯିବା ପାଇଁ ନିର୍ଦେଶ ଦେଇଥିଲେ। ୨୫ରେ ଏହା ମଧ୍ୟରେ ଆହୁରି ୧୦୦୦ଲୋକ ରହିଥିବା ଜଣାପଡ଼ିଲା। ତୁରନ୍ତ ଏକ ଡାକ୍ତରୀ ଦଳ ସେଠାକୁ ଯାଇ ଯାଞ୍ଚ କରିବା ପରେ ସନ୍ଦିଗ୍ଧଙ୍କୁ ମସ୍‌ଜିଦ ପରିସରସ୍ଥ ଆଇସୋଲେସନ୍‌ ଗୃହରେ ରଖିଲେ। ମସ୍‌ଜିଦ କର୍ତ୍ତୃପକ୍ଷ ଲୋକଙ୍କୁ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ସ୍ଥାନୀୟ ଜିଲାପାଳଙ୍କଠାରୁ ଅନୁମତି ଲୋଡ଼ିଲେ। ଏଠାରେ ଯୋଗଦେଇଥିବା ଜଣେ ବ୍ୟକ୍ତି ୨୬ରେ ଶ୍ରୀନଗରରେ ଆକ୍ରାନ୍ତ ହେଲେ ଓ ତାଙ୍କର ମୃତ୍ୟୁ ଘଟିଲା। ସେହିଦିନ ଜିଲାପାଳ ମସ୍‌ଜିଦ ଯାଇ ସ୍ଥିତି ଅନୁଧ୍ୟାନ କଲେ। ୨୭ରେ ୬ ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନକୁ ନିଆଗଲା। ୨୮ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କର୍ମକର୍ତ୍ତା ମସ୍‌ଜିଦ ଯାଇ ଜିଲାପାଳଙ୍କ ସହାୟତାରେ ୩୩ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ। ୨୯ରାତିରେ ପୁଲିସ ସହାୟତାରେ ସ୍ବାସ୍ଥ୍ୟ ଅଧିକାରୀମାନେ ମସ୍‌ଜିଦରୁ ଲୋକଙ୍କୁ ଡାକ୍ତରଖାନାକୁ ନେଲେ। ଏ ନେଇ ମାର୍ଚ୍ଚ ୨୩ ଓ ୨୮ରେ ପୁଲିସ ମସ୍‌ଜିଦକୁ ୨ଟି ନୋଟିସ ଜାରି କରିଥିଲା। ସମାବେଶ ଆୟୋଜନରେ କିଛି ଭୁଲ୍‌ ନ ଥିଲା ବୋଲି ମୌଲବି ଦର୍ଶାଇଥିଲେ।

Comments are closed.