ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆୱାସି ଏବଂ ରେଳ ମନ୍ତ୍ରୀ କରୋନା ସଂକ୍ରମିତ

ଇସଲାମାବାଦ୍ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ୍ ନେତା ସାହିଦ ଖକାନ ଆୱାସି ଏବଂ ରେଳମନ୍ତ୍ରୀ ଶେଖ୍ ରସିଦ ଅହମ୍ମଦ କରୋନାରେ ସଂକ୍ରମିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଆୱାସିଙ୍କର କରୋନା ଲକ୍ଷଣ ଦେଖାଯିବା ପରେ ସେ ଗତକାଲି କରୋନା ଟେଷ୍ଟ କରିଥିଲେ। ସୋମବାର ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସେ ବର୍ତ୍ତମାନ ତାଙ୍କ ଘରେ କ୍ବାରେଣ୍ଟାଇନରେ ଅଛନ୍ତି। ଅୱାସି ଅଗଷ୍ଟ ୨୦୧୭ ରୁ ମେ ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏଥିସହିତ ପାକିସ୍ତାନର ବର୍ତ୍ତମାନର ରେଳ ମନ୍ତ୍ରୀ ଶେଖ ରସିଦ ଅହମ୍ମଦଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିବୃତ୍ତିରେ କୁହାଯାଇଛି, ’ଶେଖ ରସିଦଙ୍କ କୋଭିଡ -୧୯ ଟେଷ୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇ ସପ୍ତାହ ଧରି ସେ କ୍ବାରେଣ୍ଟାଇନରେ ରହିବେ।
ସେହିପରି ପୂର୍ବରୁ ମଧ୍ୟ ପାକିସ୍ତାନ ନେତାଙ୍କ ମଧ୍ୟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶାହରିୟାର ଆଫ୍ରିଦି, ପିଏମଏଲ-ଏନ ସାଂସଦ ମିଆନ ନବ ଅଲି ଏବଂ ପିପିପି ନେତା ଶାର୍ଜିଲ ମେମୋନ ମଧ୍ୟ ଏହି ବିପଦପୂର୍ଣ୍ଣ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

Comments are closed.